ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଷଷ୍ଠ ସନ୍ଧ୍ୟା ରେ ନାଟକ”ସେହି ଚାରିଦିନ” କହିଲା କେତେ ଭୟଙ୍କର ସନ୍ଦେହର ପରିଣାମ” ମଞ୍ଚସ୍ଥ

0
146

ବ୍ରହ୍ମପୁର, ୦୯/୦୫/୨୦୨୩:ସମ୍ପର୍କର ସୂତା ଖିଅ ଯେତିକି ଟାଣିବ ସେତିକି ମଜଭୁତ ହୋଇ ଆଗକୁ ଯିବ । ଆଉ ଟିକିଏ ଭୁଲ ବୁଝାମଣାରୁ ଭାଙ୍ଗିଯାଏ ଦୀର୍ଘ ଦିନର ସମ୍ପର୍କ । ଏଭଳି ଏକ ନିବିଡ଼ ସମ୍ପର୍କ ହେଉଛି ସ୍ୱାମୀ ସ୍ତ୍ରୀଙ୍କ ପବିତ୍ର ସମ୍ପର୍କ । ଏହି ସମ୍ପର୍କର ଡୋରୀରେ ଅନ୍ୟମାନେ ବାନ୍ଧି ହୋଇଥାଆନ୍ତି । ସମ୍ପର୍କର ମୂଳଦୁଆ ଭରସା ଓ ବିଶ୍ୱାସ ଉପରେ ବଞ୍ଚି ରହିଥାଏ । ହେଲେ ଆଜିର ସମାଜରେ ଲୋକଙ୍କ ଉଗ୍ର ମାନସିକତା,ପରିବର୍ତ୍ତିତ ଜୀବନଶୈଳୀ,ଅପ ସଂସ୍କୃତି ଓ ଭୁଲ ବୁଝାମଣା ପାଇଁ ସମ୍ପର୍କରେ ସୃଷ୍ଟି ହୋଇଥାଏ ଝଡ଼ । ଦେଖୁ ଦେଖୁ ଭାଙ୍ଗିଯାଏ ସୁନାର ସଂସାର । ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖୁଥିବା କଅଁଳ ଓ ଅନାଥ ଶିଶୁଟିର ଆଶାବାଦୀ ହୃଦୟଟି ଶ୍ୱାସରୁଦ୍ଧ ହୋଇଯାଏ । ସବୁ ସ୍ମୃତିକୁ ସାଉଁଟି ସେ ସନ୍ଧାନ କରେ ତାର ପ୍ରକୃତ ପରିଚୟ । ଯାହା ଲାଗି ତା ଜୀବନ ଅନ୍ଧାର ହୋଇଗଲା । ଯାହାକୁ ନେଇ ସେ ଗୁମୁରି ଗୁମୁରି କାନ୍ଦେ । ହେଲେ ଏ ଦରଦୀ ସମାଜ ତାକୁ ଆଶ୍ରା ସିନା ଦେଇପାରିବ,ହେଲେ ମାଆର କୋଳ ଓ ବାପାର ଅନୁଶାସନ କଣ ଦେଇପାରିବ । ସମ୍ପର୍କର ସେତୁବନ୍ଧ ଉପରେ ସନ୍ଦେହର କଳା ବାଦଲ ଢାଙ୍କି ହୋଇ କିଭଳି ଭୟଙ୍କର ହୋଇଛି ପରିଣାମ, ସେଭଳି କିଛି ସୁନ୍ଦର ସାମାଜିକ ବାର୍ତ୍ତା ଦେଇ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ର ଷଷ୍ଠ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଛି ନାଟକ “ସେଇ ଚାରିଦିନ” ।ଓଡିଶା ନାଟକ ସମାରୋହ ସମିତି ତରଫରୁ ବ୍ରହ୍ମପୁର କଳାକାର ଏକତା ମଞ୍ଚ ସହଯୋଗରେ ଆୟୋଜିତ ନାଟକ ମହୋତ୍ସବ ରେ ସୁନାବେଡା ଉତ୍କଳ ସାଂସ୍କୃତିକ ପରିଷଦ ତରଫରୁ ମଂଚସ୍ଥ ଏହି ନାଟକକୁ ପ୍ରଦୀପ୍ତ ମହାନ୍ତି ରଚନା କରିଥିବା ବେଳେ ମୃଣ୍ମୟ ସରକାର ନିର୍ଦ୍ଦେଶନା ଦେଇଥିଲେ । ସଂଗୀତରେ ପ୍ରତାପ ରୁଦ୍ର ବିଶ୍ବାଳ ଓ ମଞ୍ଚସଜ୍ଜାରେ ଏମ. ଜି ରାଜୁ ଦାୟିତ୍ୱ ତୁଲାଇଥିଲେ । ନାଟକର ବିଭିନ୍ନ ଭୂମିକାରେ ଜିତେନ ପୁରୋହିତ,ସୋନମ ପୁରୋହିତ,ଶ୍ରୀୟା,ଅନିକେତ,ଅମରେଶ,ଶଙ୍କର,ଗୋପାଳ, ମୀରା,ରାଘବ,ପ୍ରକାଶ, ରୋହିତ ଓ ରବି ଅଭିନୟ କରିଥିଲେ । ନାଟକ ପୂର୍ବରୁ ଆୟୋଜିତ ଷଷ୍ଠ ସନ୍ଧ୍ୟାରେ ମହୋତ୍ସବ କମିଟିର ଅଧକ୍ଷ ଡ଼.ମିହୀର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟର ଉପ-ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅବସରପ୍ରାପ୍ତ ଅଧିକ୍ଷଣ ଯନ୍ତ୍ରୀ ଇଂ.ଜାମିନିକାନ୍ତ ଦାସ ଏବଂ ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସଭାପତି ବଳରାମ ଦାସ ପ୍ରମୁଖ ଯୋଗଦେଇଥିଲେ । ଉଷାରାଣୀ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନଳିନୀ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ସମ୍ପାଦକ ଶଙ୍କର୍ଷଣ ସାବତ ପରିଚାଳନା କରିଥିବା ବେଳେ ନାଟ୍ୟ ନିର୍ଦ୍ଦେଶକ ରାଜଗୋପାଳ ପାଢ଼ୀ କଳାକାର ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ଅନିଲ ପାତ୍ର, ସାଧାରଣ ସମ୍ପାଦକ ସାପା ସୀମାଦ୍ରୀ,ମହୋତ୍ସବ କମିଟି ଉପାଧ୍ୟକ୍ଷ ନାରାୟଣ ମହାଙ୍କୁଡ଼ ,ରାମଚନ୍ଦ୍ର ସାସମଲ ,ସୁନୀଲ ସ୍ୱାଇଁ,କୈଳାସ ପାଣିଗ୍ରାହୀ,ଆରତୀ ପାତ୍ର,ରବୀନ୍ଦ୍ର ନାୟକ,ଭାବଗ୍ରାହୀ ପାଳ,ଉମେଶ ଚୌଧୁରୀ,ସତ୍ୟବ୍ରତ ଦାସ ପ୍ରମୁଖ ସହଯୋଗ କରିିଥିଲେ ।

LEAVE A REPLY

Please enter your comment!
Please enter your name here