ବେଆଇନ କ୍ଳିନିକ ଖୋଲି ଚାକିରିରୁ ନିଲମ୍ୱିତ ହେଲେ ଅସଲି ଫାର୍ମାସିଷ୍ଟ

0
161

ବ୍ରହ୍ମପୁର , ୨୦/୦୭/୨୦୨୩ : ବ୍ରହ୍ମପୁର ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଅଧୀନ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ତର୍ଗତ ପୋଡାମାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ତାପସ ବିଶ୍ବାଳ ଡେଙ୍ଗାଉସ୍ତାରେ ବେଆଇନ କ୍ଳିନିକ ଖୋଲି ଚିକିତ୍ସା କରୁଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଆଜି ଗୁରୁବାର ଦିନ ବିଭାଗୀୟ ଚିଠି ନଂ ୧୦୧୭୦ ପ୍ରକାରେ ଅଭିଯୁକ୍ତ ଫାର୍ମାସିଷ୍ଟ ତାପସଙ୍କୁ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ନିଲମ୍ବିତ କରିଥିବା ଘୋଷଣା କରିଛନ୍ତି । ସୂଚନା କ୍ରମରେ ତାପସ ସ୍ବାସ୍ଥ୍ୟ ବିଭାଗର ଜଣେ ସରକାରୀ କର୍ମଚାରୀ ହୋଇ ମଧ୍ୟ ଦୀର୍ଘବର୍ଷ ହେଲା ସେ ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ବଜାରରେ ଭରତ ଡେଣ୍ଟାଲ କ୍ଳିନିକ ନାମରେ ଏକ ବେଆଇନ କ୍ଳିନିକ ଖୋଲି ରୋଗୀସେବା ନାମରେ ସାଧାରଣ ଲୋକଙ୍କ ଠାରୁ ସେବା ନାମରେ ଶୋଷଣ କରୁଥିଲେ । ପରନ୍ତୁ ଗତ ରବିବାର ଦିନ ଡେଙ୍ଗାଇସ୍ତାରେ ନକଲି ଏମ୍ସ ଡାକ୍ତରଙ୍କୁ ଗିରଫ ପରେ ଜିଲ୍ଲା ପ୍ରଶାସନ କ୍ରିୟାଶୀଳ ହୋଇଥିଲା । ଜିଲ୍ଲା କାର୍ଯ୍ୟାଳୟର ଆଦେଶ ପ୍ରକାରେ ସାନଖେମୁଣ୍ଡି ତହସିଲଦାର ଡଃ ଶ୍ରୀନିବାସ ବେହେରା ଓ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ବାହାନ ଦାସ ଗତକାଲି ଡେଙ୍ଗାଓସ୍ତାରେ ଚାଲିଥିବା ବିଭିନ୍ନ ବେଆଇନ କ୍ଳିନିକ ଉପରେ ଅତର୍କିତ ଚଢ଼ାଉ କରିଥିଲେ । ଏହି କ୍ରମରେ ଭରତ ଡେଣ୍ଟାଲ କ୍ଳିନିକ ଉପରେ ଚଢ଼ାଉ ପରେ ଏହି କ୍ଳିନିକକୁ ପୋଡ଼ାମାରୀ ଡାକ୍ତରଖାନାର ସରକାରୀ ଫାର୍ମାସିଷ୍ଟ ତାପସ ବିଶ୍ଵାଳ ବେଆଇନ ଭାବେ ଚଳାଇଥିବା ଜଣାପଡିଥିଲା । ଅଧିକାରୀଙ୍କ ତନଖି ସମୟରେ କ୍ଳିନିକ ପଞ୍ଜୀକୃତ ହୋଇନଥିବା ଜଣାପଡିଥିଲା । ଏଥିସହ କ୍ଳିନିକ ପରିସରରେ ଥିବା ମେଡିସିନ ମଧ୍ୟ ନକଲି ଥିବା ଜଣାପଡିଥିଲା । ଏପରିକି ସ୍ବାସ୍ଥ୍ୟ ରୋଗ ନିଦାନ ଜନିତ ବହୁ ମୂଲ୍ୟବାନ ଯନ୍ତ୍ରପାତି ସହ ଅନେକ ମେସିନ ମଧ୍ୟ ରହିଥିଲା । ଘଟଣାସ୍ଥଳରେ ତହସିଲଦାର ଉକ୍ତ କ୍ଳିନିକକୁ ସିଲ୍ କରିଥିଲା । ସମ୍ପ୍ରତି ଜିଲ୍ଲାରେ ନକଲି ଡାକ୍ତର ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସରକାରୀ ଚିକିତ୍ସାଳୟର ଅବ୍ୟବସ୍ଥା ଏବଂ ବେଆଇନ କ୍ଳିନିକକୁ ନେଇ ସ୍ବାସ୍ଥ୍ୟସେବାରେ ଆସ୍ଥା ପ୍ରକଟ କରିବାକୁ ଲୋକେ ଭୟଭୀତ ହେଉଥିବା ଜଣାପଡିଛି । ଅନ୍ୟ କ୍ରମରେ ଆଜି ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ବେଆଇନ କ୍ଳିନିକ ପରିଦର୍ଶନ କରି ତହସିଲଦାରଙ୍କ ଉପସ୍ଥିତିରେ ସିଲ୍ ଖୋଲାଯାଇ ସମସ୍ତ କାଗଜପତ୍ରର ସଠିକ ଯାଞ୍ଚ କରି ଫେରିଥିବା ସୂଚନା ରହିଅଛି ।

LEAVE A REPLY

Please enter your comment!
Please enter your name here