ଜଙ୍ଗଲରେ ଯୁବକଙ୍କୁ ଗଳାକାଟି ହତ୍ୟା : ଶବ ଉଦ୍ଧାର ସହ ପୋଲିସ ତଦନ୍ତ ଜାରି

0
180

ବ୍ରହ୍ମପୁର, ୨୪/୦୯/୨୦୨୩: ଗଞ୍ଜାମ ପୋଲିସ ଜିଲ୍ଲା ପାଟପୁର ଥାନା ପୋଲିସ ରବିବାର ସକାଳୁ ବୃନ୍ଦାବନପୁର ଗ୍ରାମ ନିକଟ ଜଙ୍ଗଲରୁ ଗଳାକଟା ଅବସ୍ଥାରେ ଜନୈକ ଛେଳି ଚରାଳିଙ୍କ ମୃତଦେହ ଉଦ୍ଧାର କରିଥିବା ଜଣାପଡିଛି । ମୃତକ ଜଣକ ସାନଖେମୁଣ୍ଡି ବ୍ଲକ ପଦ୍ମପୁର ପଞ୍ଚାୟତ ବୃନ୍ଦାବନପୁର ଗ୍ରାମର ସୁନୀଲ ନାୟକ (୨୨)ହୋଇଥିବା ନେଇ ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ଦିଆଯାଇଛି । ଏନେଇ ମୃତ ସୁନୀଲର ମାଆ ଋବି ନାୟକ ପୁଅକୁ କେହି ହତ୍ୟା କରି ପରେ ଫୋପାଡି ଦେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପହଞ୍ଚି ପାଟପୁର ପୋଲିସର ତଦନ୍ତ ଜାରି ରଖିଥିବା ବେଳେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଅନୁସନ୍ଧାନୀ କୁକୁର ସହାୟତାରେ ଘଟଣାର ଖୋଳତାଡ଼ କରୁଥିବା ଜଣାପଡିଛି । ମିଳିଥିବା ଖବର ପ୍ରକାରେ ଗତକାଲି ସକାଳୁ ମୃତ ସୁନୀଲ ବାପାଙ୍କ ଦେହ ଅସୁସ୍ଥ ଥିବା ହେତୁ ଛେଳିପଲ ଧରି ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇଥିଲା । ଅପରାହ୍ନରେ ମାଆ ଋବି ପୁଅ ପାଇଁ ଖାଇବା ( ଘୋଟଣା) ଧରି ଜଙ୍ଗଲକୁ ଯାଇଥିଲେ ମଧ୍ୟ ପୁଅକୁ ପାଇନଥିଲେ । ଏପରିକି ଛେଳିପଲ ନିକଟରେ ପୁଅ ଧରିଥିବା ତଲାରୀ ପଡ଼ିଥିବା ବେଳେ କିଛି ରକ୍ତ ଟୋପା ପଡ଼ିଥିବା ନେଇ ମାଆର ମନରେ ଏକପ୍ରକାର ସନ୍ଦେହ ସୃଷ୍ଟି ହୋଇଥିଲା । ଏପଟେ ବିଳମ୍ବିତ ସନ୍ଧ୍ୟା ଯାଏଁ ପୁଅକୁ ଖୋଜାଖୋଜି ପରେ ଶେଷରେ ନିରାଶ ହୋଇ ଘରକୁ ଫେରିଥିଲେ ।
ଅପରପକ୍ଷରେ ରବିବାର ସକାଳୁ ଗ୍ରାମବାସୀଙ୍କ ସହ ମାଆ ରବି ପୁଅକୁ ସେହି ଜଙ୍ଗଲରେ ପୁଣି ଖୋଜିବା ସମୟରେ ଏକ ଘଞ୍ଚବୁଦା ମୂଳେ ପୁଅର ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ । ଖବର ପ୍ରଚାରିତ ପରେ ଜଙ୍ଗଲକୁ ଲୋକଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଥାନା କେସ୍ ନଂ ୬୧୦/୨୩ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାପଡ଼ିଛି । ଏଣେ ତାଙ୍କ ପୁଅର କାହା ସହ ଶତ୍ରୁତା ନଥିବା ମାଆଙ୍କ ପକ୍ଷରୁ ବକ୍ତବ୍ୟ ମିଳିଥିବା ବେଳେ କିଏ କାହିଁକି ଏଭଳି ନୃଶଂସ ହତ୍ୟା କରି ଫୋପାଡି ଦେଇଛି ବୋଲି ସାଧାରଣରେ ସଂଶୟ ସୃଷ୍ଟି କରିଛି । ପ୍ରଶ୍ନ ଉଙ୍କି ମାରୁଛି । ପାଟପୁର ପୋଲିସ ମୃତଦେହକୁ ଜବତ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇ ଅନୁସନ୍ଧାନ କରୁଥିବା ବେଳେ ବ୍ୟବଛେଦ ରିପୋର୍ଟ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିବା ନେଇ ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ପକ୍ଷରୁ ସୂଚିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here