ବ୍ରହ୍ମପୁର,୦୩/୧୦/୨୦୨୩: ନିମଖଣ୍ଡି ପୁଲିସ୍କୁ ଏକ ବଡ଼ ସଫଳତା ମିଳିଥିବା ଜଣାପଡିଛି । ଏକ ତାଲାବନ୍ଦ ଘରୁ ୩୦ ଭରି ଗହଣା ଚୋରି ମାମଲାର ତଦନ୍ତ କରୁଥିବା ବେଳେ ପୁଲିସ୍ ଏକ ବଡ଼ ଗହଣା ଚୋରି ରାକେଟ୍ର ପର୍ଦାଫାସ୍ କରିବା ସହିତ ରାକେଟ୍ର ୪ଜଣ ସଦସ୍ୟଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ସନିଆ ଗୈାଡ, ମୁଥୁଟ ଫିଇନାନ୍ସ ମ୍ୟାନେଜର ଥିବା ମୋହନ ପାଢୀ, ସୁନାରୀ ସନ୍ତୋଷ ଗାଇୱାଡା ଓ ସୁରେନ୍ଦ୍ର ମହାପାତ୍ର ରହିଛନ୍ତି । ଅଭିଯୁକ୍ତଙ୍କ ନିକଟରୁ ୨କିଲୋ ୭୨୮ ଗ୍ରାମ ସୁନା ଓ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜବତ କରାଯାଇଥିବା ନେଇ ବ୍ରହ୍ମପୁର ଏସପି ଡ଼ା ସର୍ବଣା ବିବେକ ଏମ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସୁନା ଚୋରି ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ସନିଆ ଗୈାଡକୁ ବିଶାଖାପାଟଣାରୁ ଗିରଫ କରାଯାଇଥିବା ଏସପି କହିଛନ୍ତି । ଏହି ସଫଳତା ପାଇଁ ସଦର ଏସଡିପିଓ ଶିବ ଶଙ୍କର ମହାପାତ୍ର, ନିମଖଣ୍ଡି ଥାନା ଅଧିକ ଭାବାନନ୍ଦ ପ୍ରଧାନ ଓ ତାଙ୍କ ଟିମକୁ ଏସପି ପ୍ରସଂସା କରିଛନ୍ତି ଏବଂ ପୁଲିସ କର୍ମଚାରୀଙ୍କୁ ପୁରସ୍କାର ଅର୍ଥ ମଧ୍ୟ ପ୍ରଦାନ କରିଛନ୍ତି ।ସୂଚନାନୁସାରେ ଗତ ୨୧ ତାରିଖରେ ହୋଇଥିବା ଅଭିଯୋଗ ପ୍ରକାରେ ଲୋଚାପଡ଼ା ନିକଟସ୍ଥ ବିଜୟ ବିହାର ତୃତୀୟ ଲାଇନ୍ରେ ରହୁଥିବା କାଳୀ ଚରଣ ପଣ୍ଡା(୫୯)ଙ୍କ ଘରୁ ୩୦ ଭରି ସୁନା ଚୋରି ହୋଇଥିବା ନେଇ କରାଯାଇଥିବା ଏତଲା ପ୍ରକାରେ ।
ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତେବେ ସେଠାରେ ଲାଗିଥିବା ଏକ ସିସିଟିଭି ଫୁଟେଜ୍ ଅଧାରରେ ପୁଲିସ୍ ଚୋରକୁ ବିଶାଖାପାଟଣାରୁ କାବୁ କରିଥିଲା। ତେବେ ତାକୁ ଅଧିକ ପଚରାଉଚରା କରିବାରୁ ଏହା ପଛରେ ଏକ ବଡ଼ ରାକେଟ୍ କାମ କରୁଥିବା ଜାଣିବାକୁ ପାଇଥିଲା। ସେହି ସୂଚନାକୁ ଭିତ୍ତି କରି ପୁଲିସ୍ ବିଭିନ୍ନ ସ୍ଥାନରୁ ୪ଜଣଙ୍କୁ ଉଠାଇ ନେଇଥିଲା। ସେମାନଙ୍କଠାରୁ ପୁଲିସ୍କୁ ୨କେଜି ୭ ୨୮ଶହ ଗ୍ରାମ୍ ସୁନା ଅଳଙ୍କାର ଓ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ମିଳିଛି । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଘଟଣାର ତଦନ୍ତ ବର୍ତ୍ତମାନ ଜାରି ରହିଥିବା ଏସପିଙ୍କ ପକ୍ଷରୁ ସୂଚନା ମିଳିଅଛି ।