ଚାନ୍ଦପୁର ଗ୍ରାମର ମୃତ ଟିକଲ ସାହୁଙ୍କ ନାମରେ ଥିବା ୩୫ ଲକ୍ଷ ଓ ୮୬ ଲକ୍ଷ ଟଙ୍କାର ମୂଲ୍ୟବାନ ଜମି ଷଡ଼ଯନ୍ତ୍ର, ଜାଲିଆତି ଓ ଠକେଇ କରି ହଡ଼ପ ମାମଲା ରେ ରାଜ୍ୟ ପୋଲିସ ମାନବାଧିକାର ସେଲ୍ ନିର୍ଦ୍ଦେଶକ ଓଡିଶାଙ୍କ ପକ୍ଷରୁ ବ୍ରହ୍ମପୁର ଏସପି, ଜିଲ୍ଲା ପୋଲିସ ଗୁଇନ୍ଦା ବ୍ୟୁରୋ ଓ ଦକ୍ଷିଣାଞ୍ଚଳ ପୋଲିସ ଡ଼ିଆଇଜିଙ୍କୁ ତଦନ୍ତ ନିର୍ଦ୍ଦେଶ

0
113

ବ୍ରହ୍ମପୁର,୦୬/୧୨/୨୦୨୩: ଗତ ସେପ୍ଟେମ୍ବର ମାସରେ ଚାନ୍ଦପୁର ଗ୍ରାମର ୩୫ ଲକ୍ଷ ଟଙ୍କାର ଏକ ମୂଲ୍ୟବାନ ବିବାଦୀୟ ଜମିକୁ କିଛି ଦାବିଦାରଙ୍କ ଅଜାଣତରେ, ଅନ୍ୟ ଏକ ଜମିର ପଞ୍ଜିକରଣ ସମୟରେ ଉକ୍ତ ବିବାଦୀୟ ଜମିର ଦଲିଲରେ ଦସ୍ତଖତ ନେଇଯାଇ ଓ ମୃତ ଟିକଲ ସାହୁଙ୍କ ନାମରେ ଜାରି ହୋଇଥିବା ଉତ୍ତରାଧିକାରୀ ପ୍ରମାଣପତ୍ରରୁ ଚାରି ନାତୁଣୀଙ୍କ ନାମକୁ ଚଞ୍ଚକତା କରି କାଟି ଦେଇଥିବା ସତ୍ତ୍ବେ, କନିଷି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ପଜ୍ଞିକରଣ କରାଇ ନିଆଯାଇଥିବାର ଅଭିଯୋଗ ସ୍ଥାନୀୟ ଗୋଳନଥରା ଥାନା, କନିଷି ତହସିଲଦାର ଓ ସବ୍ ରେଜିଷ୍ଟ୍ରାରଙ୍କ ଠାରେ ଅଭିଯୋଗ ହୋଇଥିଲା । ମାତ୍ର, ମାସ ତମାମ କୋୖଣସି ପଦକ୍ଷେପ ନନିଆଯିବା ହେତୁ, ଢେଙ୍କାନାଳ ଜିଲ୍ଲାର ଜଣେ ବରିଷ୍ଠ ଓ ବିଶିଷ୍ଟ ମାନବାଧିକାର ରକ୍ଷକ ଶ୍ରୀ ଭଜମନ ବିଶ୍ଵାଳଙ୍କ ଦ୍ଵାରା ମାନ୍ୟବର ଜାତୀୟ ମାନବାଧିକାର କମିଶନ ଦିଲ୍ଲୀଙ୍କ ଦ୍ବାରସ୍ଥ ହୋଇ ଅଭିଯୋଗ କରି ନ୍ୟାୟ ପ୍ରଦାନ ନିମନ୍ତେ ପ୍ରାର୍ଥନା କରାଯାଇଥିଲା ।

ଏହାପରେ, ଗୋଳନଥରା ଥାନା ପକ୍ଷରୁ ଏକ କେସ୍‌ ୫୬୦/୨୦୨୩ ରେ ରୁଜୁ ହୋଇଥିଲେ ମଧ୍ୟ ତହସିଲ ଓ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା । ଉପରୋକ୍ତ ୩୫ ଲକ୍ଷ ଟଙ୍କାର ଜମି ହଡ଼ପ ଘଟଣା ମନରୁ ନଲିଭୁଣୁ ପୁଣି ସେହି ମୃତ ଟିକଲ ସାହୁଙ୍କ ନାମରେ ଥିବା ଅନ୍ୟ ଏକ ବହୁ ମୂଲ୍ୟବାନ ୮୬ ଲକ୍ଷ ଟଙ୍କାର ଜମିକୁ ଉକ୍ତ ଜମିର ଭୋଗ ଦଖଲକାରୀଙ୍କ ଅଜାଣତରେ, ବିନା ସ୍ଵିକୃତି ଓ ସମ୍ମତିରେ ଭୋଗଦଖଲକାରୀଙ୍କ ଦସ୍ତଖତକୁ ରମାରାଣୀ ବଦଳରେ ରୋମାରାଣୀ ପାତ୍ର ବୋଲି ଓ ସ୍ଵିକୃତି/ସମ୍ମତି ଜାଗା ବଦଳରେ ଦ୍ଵିତୀୟ ସାକ୍ଷୀ ସ୍ଥାନରେ ଜାଲ ଦସ୍ତଖତ ନେଇ ପଜ୍ଞିକରଣ କରେଇ ଦେଇଥିବାର ଅଭିଯୋଗ ବିଭିନ୍ନ ଖବରକାଗଜରେ ପ୍ରକାଶିତ ହୋଇଥିଲା । ସାଧାରଣରେ ଅସନ୍ତୋଷ ଓ ଚର୍ଚ୍ଚା ଯେ, ଯଦି ପ୍ରଥମ ୩୫ ଲକ୍ଷ ଟଙ୍କାର ଘଟଣାଟି ଠିକ୍ ସମୟରେ ଓ ଠିକ୍ ବାଟରେ ନିରପେକ୍ଷ ତଦନ୍ତ ହୋଇ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଥାନ୍ତା, ତେବେ ଦିତୀୟ ୮୬ ଲକ୍ଷ ଟଙ୍କାର ଘଟଣାଟି ଘଟେଇବାକୁ ସେହି ସମାନ ଅଭିଯୁକ୍ତ ମାନେ ସାହାସ୍ କରି ପାରିନଥାନ୍ତେ ଓ ଏଡ଼ାଇ ଦିଆଯାଇ ପାରିଥାନ୍ତା ମଧ୍ୟ । ତେଣୁ ସାଧାରଣରେ ଅସନ୍ତୋଷ ଓ ଚର୍ଚ୍ଚା ଯେ ସ୍ଥାନୀୟ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ଓ ଏହି ଷଡ଼ଯନ୍ତ୍ର, ଜାଲିଆତି, ଠକେଇ ଓ ହଡ଼ପ ଘଟଣାରେ ସମ୍ପୃକ୍ତିକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ ।
ସୂଚନାଯୋଗ୍ୟ ଶ୍ରୀ ଭଜମନ ବିଶ୍ଵାଳଙ୍କ ପକ୍ଷରୁ ଜାତୀୟ ମାନବାଧିକାର କମିଶନଙ୍କ ଠାରେ ଅଭିଯୋଗ କରିବା ବ୍ୟତୀତ ରାଜ୍ୟ ପ୍ରଶାସନ ଓ ପୋଲିସ ବିଭାଗର ଉଚ୍ଚପଦସ୍ଥ ପଦାଧିକାରୀଙ୍କ ଠାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରାଯାଇଥିଲା । ଏହି ଅଭିଯୋଗର ଗୁରୁତ୍ଵ ଓ ଏକ କୋଟି ଟଙ୍କାରୁ ଅଧିକ ଠକେଇର ମୂଲ୍ୟକୁ ଆକଳଣ କରି ପୋଲିସ ରାଜ୍ୟ ମୂଖ୍ୟ କାର୍ଯ୍ୟାଳୟରୁ ବ୍ରହ୍ମପୁର ଏସପି, ଜିଲ୍ଲା ଗୋଇନ୍ଦା ବ୍ୟୁରୋ ଓ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜିଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ ନିମନ୍ତେ ନିର୍ଦ୍ଦେଶନାମା ଆସିଥିବା ଶ୍ରୀ ବିଶ୍ବାଳ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ଏହି ସମାନ ଅଭିଯୋଗକୁ ତଦନ୍ତ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ରୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କଟକ କାର୍ଯ୍ୟାଳୟକୁ ତଦନ୍ତ ନିମନ୍ତେ ଇ-ମେଲ୍ ଦ୍ବାରା ନିର୍ଦ୍ଦେଶ ଦିଆଯାଇଥିଲା ।
କିଛି ନିର୍ଦ୍ଦିଷ୍ଟ ଜମି ମାଫିଆ, ଦଲାଲ୍ ଓ ଟାଉଟର୍ ଏହି ଦୁଇ ବିବାଦୀୟ ଜମିରୁ ଷଡ଼ଯନ୍ତ୍ର, ଜାଲିଆତି ଓ ଠକେଇ କରି ଲକ୍ଷ ଲକ୍ଷ ଟଙ୍କାର ମୋଟା ଅଙ୍କର ମୁନାଫା ପାଇବା ଉଦ୍ଦେଶ୍ୟରେ ଏହି ଜମିରେ ସମ୍ପୃକ୍ତି ଥିବା ଛଅ ରକ୍ତ ସମ୍ପର୍କୀୟ ପରିବାର ମଧ୍ୟରେ ବିବାଦ/ଅଶାନ୍ତ/ହିଂସାତ୍ମକ ବାତାବରଣ ସୃଷ୍ଟି କରାଇବା ଓ ତହସିଲ ଓ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟର କିଛି ଅଧିକାରୀ ଓ କର୍ମଚାରୀଙ୍କୁ ବିଶ୍ବାସରେ ବିଷ ଦେଇ ଫସାଇବାରେ ମୂଖ୍ୟ ଭୁମିକା ଗ୍ରହଣ କରିଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି । ତେଣୁ, ଏହାର ବିଧିବଦ୍ଧ ଭାବେ ନିରପେକ୍ଷ ତଦନ୍ତ ହୋଇ ଏହି ଷଡ଼ଯନ୍ତ୍ର, ଜାଲିଆତି ଓ ଠକେଇରେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ସାମିଲ ଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ତଦନ୍ତ ପରିସରଭୁକ୍ତ କରି ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ଼ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବ୍ୟତୀତ ଏହି ନିର୍ଦ୍ଦିଷ୍ଟ ଠକ ମାନଙ୍କ ଦ୍ଵାରା ଗତ ଦଶନ୍ଧି ଧରି ହୋଇଥିବା ସମସ୍ତ ଜାଲିଆତି ଓ ଠକେଇର ତଦନ୍ତ ନିମନ୍ତେ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here