ବ୍ରହ୍ମପୁର,୦୨/୦୨/୨୦୨୪-ଆଜି ସ୍ଥାନୀୟ ଉଦ୍ୟାନ ବିଭାଗର ଆତ୍ମା ପ୍ରକଳ୍ପ ସଭାଗୃହ ଠାରେ ରାଜ୍ୟ କୃଷି ନିର୍ଦ୍ଦେଶାଳୟ ଉପଦେଷ୍ଟା ତଥା ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଜିଲ୍ଲା ସ୍ତରୀୟ ପଦ୍ମଶ୍ରୀ ସୁବାସ ପାଲକର ଜୈବିକ କୃଷିପଦ୍ଧତି ତାଲିମ ଶିବିର ଉଦଘାଟନ କରିଥିଲେ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଫଳ ଓ ଆଗ୍ରହି ଚାଷୀ ଶୁକ୍ରବାର ପୂର୍ବାହ୍ନରେ ଅନୁଷ୍ଠିତ ଶିବିରରେ ଯୋଗ ଦେଇଥିବା ବେଳେ ମୂଖ୍ୟ ବକ୍ତା ଭାବେ ଜିଲ୍ଲା ମୂଖ୍ୟ କୃଷିଅଧିକାରୀ ଡଃ ସୁବ୍ରତ ସାହୁ, ସମ୍ମାନୀୟ ଅତିଥି ଭାବେ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଡ଼ଃ କନ୍ଧ ଜେନା ପ୍ରମୁଖ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ତାଲିମ ବିଶାରଦ ଲତାବେନ ପଟେଲ (ଗୁଜରାଟ), ପ୍ରତିଭା ମାନସିଂ(ଗୁଜରାଟ), ଆଇନଜୀବୀ ସବିତା ସାହୁକାର ପ୍ରମୁଖ ମଞ୍ଚାସୀନ ଥିଲେ । ଆବାହକ ୟୁନିସେଫ ପୁରସ୍କାର ପ୍ରାପ୍ତ ସମାଜସେବୀ ରମେଶ ଚନ୍ଦ୍ର ସାହୁ ଅତିଥି ପରିଚୟ ପ୍ରଦାନକାରିଥିବା ବେଳେ କଳିଙ୍ଗ ଆଶ୍ରମ ସମ୍ପାଦକ ରମେଶ ପଣ୍ଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ତିନିଦିନିଆ କାର୍ଯ୍ୟକ୍ରମର ମାଧ୍ୟମରେ ଫିଲ୍ଡ ଷ୍ଟଡି ଏବଂ ପରିବେଶ ସମ୍ପର୍କିତ ଆଲୋଚନା ଓ ସମୂହ ଆଲୋଚନା କାର୍ଯ୍ୟ କ୍ରମ ରହିଥିବା ବେଳେ ପ୍ରମୋଦ ବିଶ୍ୱାଳ, ଜ୍ୟୋସ୍ନା ସାହୁ, ଜଗନ୍ନାଥ ସାହୁ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଏହାକୁ ତାଲିମ ପ୍ରାପ୍ତ ସଫଳ ଚାଷୀ କାହ୍ନୁଚରଣ ବେହେରା ଏହି ତାଲିମ ଶିବିରକୁ ପରିଚାଳନା କରିଥିଲେ। ଏହି ତାଲିମ ଶିବିରରେ ନିଜର ଘର ଛାତ ଉପରେ କୀଟନାଶକ ଏବଂ ରାସାୟନିକ ସାରର ପ୍ରୟୋଗ ବିହୀନ ବିଷାକ୍ତ ମୁକ୍ତ ପନିପରିବା ଚାଷ କରି ଜୀବିକା ଉପାର୍ଜନ ସହ ସମାଜର ହିତ ସାଧନ କରାଯାଇପାରିବ ବୋଲି ଆଲୋଚନା ହୋଇଥିଲା । ଏହିପରି ପାଲକର ଜୈବିକ କୃଷି ପ୍ରଣାଳୀରେ ଗାଁ ଗାଁ ରେ କୃଷିପଦ୍ଧତି ର ପ୍ରୟୋଗ ଦ୍ଵାରା ଚାଷଜମି ର ଉର୍ବରତା ବଳବତ୍ତର ରହିବା ସହ ପରିବେଶ ଏବଂ ଉତ୍ତମ ସ୍ଵାସ୍ଥ୍ୟସୁରକ୍ଷା ସହ ଗୋସମ୍ପଦ ର ବିକାଶ ହୋଇପାରିବ ବୋଲି ମତପୋଷଣ କରିଥିଲେ । ଯଦିଓ ସାରଯୁକ୍ତ କୃଷିଜାତ ଦ୍ରବ୍ୟଠାରୁ ଜୈବିକ କୃଷି ପ୍ରଣାଳୀରେ ଉତ୍ପାଦିତ ପନିପରିବା ର ବଜାର ଦର ସାମ୍ପ୍ରତିକ ସ୍ଥିତି ସାମାନ୍ୟ ଅଧିକ ରହୁଥିଲେ ମ ଏହା ପରିବେଷ ତଥା ସାମାଜିକ ହିତ ଦୃଷ୍ଟିରୁ ସରକାରୀ ପ୍ରୋତ୍ସାହନ ଯୋଗାଇଦେଲେ ବହୁଚାଷୀ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ ପାଇଥିଲା।