ଭଞ୍ଜବିହାର,୧୩/୦୨/୨୦୨୪: ଆସନ୍ତା ୧୬ ତାରିଖ ଠାରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆୟୋଜନ ହେବାକୁ ଯାଉଛି ୩୭ତମ ଜାତୀୟ ପୂର୍ବାଞ୍ଚଳ ଯୁବ ମହୋତ୍ସବ ଉମଙ୍ଗ-୨୦୨୪। ଏ ନେଇ ସମଗ୍ର ବିଶ୍ଵବିଦ୍ୟାଳୟ ଏବେ ଉତ୍ସବ ମୁଖର ଥିବା ବେଳେ, ବିଶ୍ଵବିଦ୍ୟାଳୟ ପ୍ରଶାସନ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ପର୍ବର ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।ଫେବୃଆରୀ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ ପାଞ୍ଚଦିନ ଧରି ଚାଲିବାକୁ ଥିବା ଏହି ଯୁବ ମହୋତ୍ସବରେ ଭାରତର ପୂର୍ବାଞ୍ଚଳର ଚାରୋଟି ରାଜ୍ୟରୁ ୧୭ ଟି ବିଶ୍ଵବିଦ୍ୟାଳୟରୁ ପାଖାପଖି ୭୦୦ ଛାତ୍ରଛାତ୍ରୀ ଓ ଟିମ ମ୍ୟାନେଜର, ଅଧ୍ୟାପକ ମାନେ ଯୋଗ ଦେଉଛନ୍ତି। ମହୋତ୍ସବରେ ପ୍ରତିଯୋଗିମାନେ ଯୁବ ପ୍ରତିଭା ପ୍ରଦର୍ଶନ ତଥା ନିଜ ରାଜ୍ୟର ସଂସ୍କୃତି ଓ ଲୋକକଳା ପ୍ରଦର୍ଶନ କରିବା ସହ ବିଭିନ୍ନ ପ୍ରତିଯୋଗତାରେ ଭାଗନେବେ । ଯୁବ ମହୋତ୍ସବ ଏବଂ ଶିବିର ଛାତ୍ରଛାତ୍ରୀ ମାନଙ୍କୁ ସର୍ବଦା ଆକର୍ଷିତ ଓ ଉତ୍ସାହିତ କରିଥାଏ।ଯେତେବେଳେ ବିଶ୍ଵବିଦ୍ୟାଳୟ ଏବଂ ଏହାର ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକ ଦ୍ବାରା ସୃଜନଶୀଳ କଳା, ସାହିତ୍ୟ ଏବଂ ସାଂସ୍କୃତିକ ମହୋତ୍ସବ ଆୟୋଜନ କରିଥାନ୍ତି , ଏସବୁରେ ଛାତ୍ରଛାତ୍ରୀ ମାନେ ସେମାନଙ୍କ ପ୍ରତିଭା ଦେଖାଇବାର ଏକ ସୁଯୋଗ ପାଇଥାନ୍ତି। ଏହି ମହୋତ୍ସବରେ ଶାନ୍ତି,ସହନଶୀଳତା, ଜାତୀୟତାକିକରଣ, ସାମ୍ପ୍ରଦାୟିକ ସମନ୍ୱୟ ଏବଂ ମାନବତାର ମଧ୍ୟ ପରିଚୟ ମିଳିଥାଏ ।ପ୍ରତ୍ୟେକ ଅଂଶଗ୍ରହଣକାରୀ ଦଳ ନିଜ ନିଜ ବିଶ୍ଵବିଦ୍ୟାଳୟକୁ ଉପସ୍ଥାପନ କରିବା ସହିତ ନିଜ ରାଜ୍ୟକୁ ମଧ୍ୟ ଏହି ପ୍ରତିଯୋଗିତାରେ ପ୍ରତିନିଧିତ୍ଵ କରିଥାନ୍ତିି। ତଥା ଅନ୍ୟ ରାଜ୍ୟର ପ୍ରତିପକ୍ଷଙ୍କ ଆଗରେ ନିଜ ରାଜ୍ୟର କଳା ଏବଂ ସଂସ୍କୃତିର ପରିଭାଷାକୁ ଦେଖାଇବାର ଏକ ନିଆରା ସୁଯୋଗ ପାଇଥାନ୍ତି।
୧୯୮୫ ମସିହା ପରଠାରୁ ପ୍ରତିବର୍ଷ ଭାରତୀୟ ବିଶ୍ଵବିଦ୍ୟାଳୟ ସଂଘ ଅନ୍ତଃବିଶ୍ଵବିଦ୍ୟାଳୟ ଯୁବ ମହୋତ୍ସବ ଆୟୋଜନ କରିଆସୁଛି। ଚଳିତ ବର୍ଷ ଏହି ଯୁବ ମହୋତ୍ସବର ୩୭ତମ ସଂସ୍କରଣ ବ୍ରହ୍ମ ଦାୟିତ୍ବ ପୁର ବିଶ୍ବବିଦ୍ୟାଳୟକୁ ଦିଆଯାଇଛି। ଏହି ପ୍ରତିଯୋଗିତା ଫେବୃଆରୀ ୧୬ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୨୦ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ଏଥିରେ ଚାରୋଟି ରାଜ୍ୟରୁ ୧୧୫ ଟି ବିଶ୍ଵବିଦ୍ୟାଳୟ ଓ ସେମାନଙ୍କ ମଧ୍ୟରେ ଅନୁବନ୍ଧିତ ଥିବା ୪୫୦୦୦ ମହାବିଦ୍ୟାଳୟ ଗୁଡ଼ିକୁ ନିମନ୍ତ୍ରଣ କରାଯାଇଥିଲା। ଏଥିମଧ୍ୟରୁ ୧୭ ଟି ବିଶ୍ଵବିଦ୍ୟାଳୟରୁ ପାଖାପାଖି ୭୦୦ ଛାତ୍ରଛାତ୍ରୀ ଓ ଟିମ ମ୍ୟାନେଜର, ଅଧ୍ୟାପକ ମାନେ ଯୋଗ ଦେଉଛନ୍ତି। ଏହି ପଞ୍ଚ ଦିବସୀୟ ମହୋତ୍ସବରେ ୯ଟି ବିଭାଗ ଯଥା ଶାସ୍ତ୍ରୀୟ, ଲାଇଟ୍ ଭୋକାଲ, ଏକକ, ଭାରତୀୟ ଏବଂ ପାଶ୍ଚାତ୍ୟ ସଙ୍ଗୀତ ଓ ନୃତ୍ୟ କୁ ସ୍ଥାନ ଦିଆଯାଇଛି।ଏହାସହିତ ଚିତ୍ରତ୍ତୋଳନ ଏବଂ କୋଲାଜ୍ ତିଆରି , ରଙ୍ଗୋଲି,ମେହେନ୍ଦି, ମାଟି ନମୁନା ଓ ସଙ୍ଗୀତ, ନୃତ୍ୟର ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ । ସାହିତ୍ୟ ଓ ସାଂସ୍କୃତିକ ମୂଲ୍ୟବୋଧ ତଥା ସଦଭାବନା ଓ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ରେ ଏହି ଯୁବ ମହୋତ୍ସବ କୁ “ଉମଙ୍ଗ -୨୦୨୪” ନାମରେ ନାମିତ କରାଯାଇଛି।ସମଗ୍ର ଆୟୋଜନ ଓ ପ୍ରସ୍ତୁତି ତଥା “ଉମଙ୍ଗ-୨୦୨୪” କୁ ବ୍ରହ୍ମପୁର ଜନମାନସ ରେ ଉପସ୍ଥାପନ କରିବା ପାଇଁ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ, ଛାତ୍ର କଲ୍ୟାଣ ସମ୍ପାଦକ ତଥା ଯୁବ ମହୋତ୍ସବର ଆବାହକ ପ୍ରଫେସର ଗଣେଶ ସେଠୀ ଏବଂ ସହଯୋଗୀ ଆବାହକ ଡକ୍ଟର ଜୟନ୍ତ କୁମାର ପଣ୍ଡା ଓ ସାଂସ୍କୃତିକ ସଂଯୋଜକ ଡକ୍ଟର ସରିତା ଦାସ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
Home ବ୍ରହ୍ମପୁର ସ୍ପେଶାଳ ୩୭ତମ ଜାତୀୟ ପୂର୍ବାଞ୍ଚଳ ଯୁବ ମହୋତ୍ସବ ଉମଙ୍ଗ-୨୦୨୪ ପାଇଁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଉତ୍ସବମୁଖର