ଭୁବନେଶ୍ୱର,୧୩/୦୨/୨୦୨୪: ପୂଣ୍ୟଭୂମି ଓଡ଼ିଶାର ଜନତାଙ୍କୁ ଦେଖିବା ପାଇଁ ଆସିଥିଲି, କିନ୍ତୁ ଏଠାରେ ମୁଁ ଅନୁଭବ କରୁଛି କେବଳ ବିଜ୍ଞାପନ ଆଧାରରେ ଚାଲିଛି ସରକାର । ରାଜ୍ୟରେ ଚାଲିଛି ‘ଆଉଟସୋର୍ସିଂ’ର ସରକାର । ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ବାବୁ କିଛି କରନ୍ତିନି କି ଜାଣନ୍ତିନି, ସବୁ ତାଙ୍କ ଅଫିସର କରୁଛନ୍ତି । ‘ବେ-ଲଗାମ ଅଫିସର’ ଓଡିଶାକୁ ଭ୍ରଷ୍ଟାଚାରରେ ବୁଡାଇ ଦେଲେଣି । ଏଠି ଭ୍ରଷ୍ଟାଚାର, ଦୁର୍ନୀତିର ସରକାର ଚଳାଇଛନ୍ତି ଅଧିକାରୀମାନେ । ଓଡିଶାରେ ମୋଦିଜୀଙ୍କ ଯୋଜନାକୁ “ନବୀନଙ୍କ ନାଁରେ” ବ୍ରାଣ୍ଡିଂ କରାଯାଉଛି, ଯାହା ଓଡ଼ିଶାର ସାଧାରଣ ଜନତା ଜାଣିଗଲେଣି । ସେଥିଲାଗି ନବୀନଙ୍କ ପ୍ରଭାବ ଏଥର ରାଜ୍ୟବାସୀଙ୍କ ଉପରେ କାର୍ଯ୍ୟ କରିବ ନାହିଁ । ମହିଳା ସଶକ୍ତିକରଣ ନାମରେ ଓଡ଼ିଶାରେ ମାତୃଜାତିକୁ ଶୋଷଣ କରାଯାଉଛି । ଏଠାରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଯାଉନି ବରଂ ଭୋଟ ବ୍ୟାଙ୍କ ପ୍ରଚାରରେ ନିୟୋଜିତ କରାଯାଉଛି । ଓଡ଼ିଶାରେ ମା’, ଭଉଣୀମାନେ ଅସୁରକ୍ଷିତ । ମହିଳାଙ୍କ ଅତ୍ୟାଚାର ମାମଲାରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଶୀର୍ଷ ସ୍ଥାନରେ ଅଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାକୁ ହେଲେ ଓଡ଼ିଶାରେ ଟଙ୍କା ଦେବାକୁ ପଡୁଛି । ସେହିପରି ରାସନକାର୍ଡ, ମୋଦି ସରକାର ଦେଉଥିବା ଶୌଚାଳୟ ପାଇଁ ଟଙ୍କା ଆସୁଛି, କିନ୍ତୁ ନବୀନ ବାବୁ ଓ ତାଙ୍କ ସହଯୋଗୀ ଆତ୍ମସାତ କରୁଛନ୍ତି । ମୋଦି ସରକାର ନାଁ ନେଇଯିବେ ବୋଲି ନବୀନ ବାବୁ ଏଠି ବିକାଶର ବାଟ ଓଗାଳୁଛନ୍ତି । ଓଡ଼ିଶାର ବିକାଶ ମୋଦି ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ, କେନ୍ଦ୍ରୀୟ ଯୋଜନା ଏବଂ ସହାୟତା ଦେଉଛନ୍ତି । କିନ୍ତୁ ନବୀନ ବାବୁ ଏଠି ବସି କେବଳ ‘ବ୍ରାଣ୍ଡିଂ’ କରୁଛନ୍ତି । ନବୀନ ସରକାରରେ ଓଡ଼ିଶା ଆଗକୁ ବଢ଼ିପାରିବ ନାହିଁ । ବିଜେପି ସରକାରକୁ ଆସିଲେ ଓଡିଶା ଦେଶର ୧ନମ୍ବର ରାଜ୍ୟ ହେବ ବୋଲି ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ କହିଛନ୍ତି ।
ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦିନିକିଆ ଓଡିଶା ଗସ୍ତରେ ଆସିଥିବା ଶ୍ରୀ ଚୌହ୍ୱାନ କହିଛନ୍ତି ଯେ, ଓଡିଶାର ବିକାଶ ପାଇଁ ବିଭିନ୍ନ ଯୋଜନା, ଅନୁଦାନ ଏବଂ ସହାୟତା ଆକାରରେ ଗତ ୯ବର୍ଷରେ ମୋଦି ୧୮ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଓଡିଶାକୁ ଦେଇଛନ୍ତି । ମୋଦି ସରକାର ଓଡ଼ିଶାର ବିକାଶ ପାଇଁ ଯେଉଁ ଟଙ୍କା ଦେଇଛନ୍ତି ତାହାର ସଠିକ୍ କାର୍ଯ୍ୟାନ୍ୱୟନ ହୋଇନାହିଁ । ଓଡିଶାକୁ ଟଙ୍କା ମୋଦିଜୀ ଦେଉଛନ୍ତି, କିନ୍ତୁ ଠପ୍ପା ଲଗାଉଛନ୍ତି ନବୀନ । କେନ୍ଦ୍ର ଯୋଜନାକୁ ରିବ୍ରାଣ୍ଡିଂ କରି ନାଁ ନେଉଛନ୍ତି, ଯାହାକୁ ଜନତା ଜାଣିଗଲେଣି । ରାଜ୍ୟରେ ଟଙ୍କା ନେଇ ଅଯୋଗ୍ୟ ଲୋକଙ୍କୁ ଚାକିରୀ ଦିଆଯାଉଛି, ଯୁବପୀଢ଼ି ବେକାର ରହୁଛନ୍ତି । ଏଠାରେ ନବୀନ ବାବୁ କିଛି କରୁନାହାନ୍ତିି, ବରଂ ମୋଦି ଦେଉଥିବା ଅର୍ଥ ଚଳୁ କରୁଛନ୍ତି । ଗରିବ କଲ୍ୟାଣ ଯୋଜନାରେ କେନ୍ଦ୍ର ସରକାର ଗରିବଙ୍କୁ ଚାଉଳ ଯୋଗାଉଛନ୍ତି କିନ୍ତୁ ଏଠାରେ ‘ବ୍ୟାଗ୍ରେ’ ନବୀନ ବାବୁ ରିବ୍ରାଂଣ୍ଡି କରିବା ସହ ୧ହଜାର ଟଙ୍କା ଦେବାର ଘୋଷଣା କରି ନିଜ ନାଁକୁ ପ୍ରଚାର କରୁଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ଚୌହ୍ୱାନ କହିଛନ୍ତି ।
ଓଡ଼ିଶାର ୮୬ପ୍ରତିଶତ ଲୋକ ମୋଦିଜୀଙ୍କୁ ଚାହୁଁଛନ୍ତି । ତେଣୁ ଗତ ନିର୍ବାଚନଠାରୁ ଏଥର ଲୋକସଭାରେ ଅଧିକ ସିଟ୍ ପାଇବା ସହ ବିଧାନସଭାରେ ବିଜେପି ପୂର୍ଣ୍ଣ ବହୁମତ ପାଇ ସରକାର ଗଠନ କରିବ । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବିକଶିତ ଭାରତ ଗଠନ କରିବାର ସଂକଳ୍ପ ନେଇଛନ୍ତି । ସ୍ୱାଧିନତାର ଅମୃତକାଳରେ ଏକ ବୈଭବଶାଳୀ, ଗୌରବଶାଳୀ, ସମ୍ପନ୍ନ ଓ ସମୃଦ୍ଧ ଭାରତବର୍ଷ ନିର୍ମାଣ ମୋଦିଜୀଙ୍କ ନେତୃତ୍ୱରେ ସମ୍ଭବ ହୋଇଛି । ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ତୃତୀୟ ଥର ‘ମୋଦି ସରକାର’ ଗଠନ ହେବା ପାଇଁ ବିଜେପିର କାର୍ଯ୍ୟକର୍ତା ପୂର୍ଣ୍ଣ ପ୍ରାଣରେ ଲାଗିଛନ୍ତି । ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକ ସାଙ୍ଗରେ ହେବ । ନିର୍ବାଚନ ପାଇଁ ନବୀନ ସରକାର ବିରୋଧରେ ଚତୁଃପାଶ୍ୱର୍ରେ ଏକ ବାତାବରଣ ସୃଷ୍ଟି ହୋଇଛି । ବିଜେଡି ବିରୁଦ୍ଧରେ ପୂର୍ଣ୍ଣ ଶକ୍ତିରେ ଓଡିଶାରେ ବିଜେପି ନିର୍ବାଚନ ଲଢ଼ିବ ଏବଂ ଜିତିବ ବୋଲି ଶ୍ରୀ ଚୌହ୍ୱାନ କହିଛନ୍ତି ।
ଭୁବନେଶ୍ୱର ପହଂଚିବା ପରେ ଶ୍ରୀ ଚୌହ୍ୱାନ ସିଧାସଳଖ ଜଗତସିଂହପୁର ଗସ୍ତ କରି ସ୍ଥାନୀୟ ଲୋକସଭା ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗ ଦେବା ପରେ ପ୍ରସିଦ୍ଧ ମା’ ଶାରଳା ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହା ପରେ ଶ୍ରୀ ଚୌହ୍ୱାନ ସଂଧ୍ୟାରେ କଟକ ଗସ୍ତ କରି ‘କଟକ ସଂସଦୀୟ କ୍ଷେତ୍ର କାର୍ଯ୍ୟକର୍ତା ସମ୍ମିଳନୀ’ରେ ଯୋଗ ଦେଇଥିଲେ । ଏହାପରେ କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି ।
Home ବ୍ରହ୍ମପୁର ସ୍ପେଶାଳ ଦିନିକିଆ ଓଡିଶା ଗସ୍ତରେ ମଧ୍ୟପ୍ରଦେଶ ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହ୍ୱାନ। ଓଡିଶାରେ...