ପୋଲସରା ୩/୩/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ବିରଞ୍ଚି ନାରାୟଣ ରଥ ଉତ୍କଳ ବିଶ୍ଵବିଦ୍ୟାଳୟର ୫୩ ତମ ସମାବର୍ତ୍ତନ ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ କୁଳପତି ସବିତା ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସମ୍ମାନସୂଚକ ଡକ୍ଟରେଟ ଉପାଧି ଗ୍ରହଣ କରିଛନ୍ତି। ଡକ୍ଟର ରଥ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବିଦ୍ୟାନଗରୀ ଗୋଳବାଇ ଶାସନରେ ୧୯୮୬ ମସିହାରେ ସ୍ବର୍ଗତ କୁଳମଣି ରଥ ଓ ସ୍ବର୍ଗତ ଇନ୍ଦୁମତି ରଥଙ୍କ କନିଷ୍ଠ ପୁତ୍ର ଭାବେ ଜନ୍ମ ଗ୍ରହଣ କରିଥିଲେ। ଉତ୍କଳ ବିଶ୍ଵବିଦ୍ୟାଳୟରୁ ଏମ.ଏ., ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଏମ.ଫିଲ ଶିକ୍ଷା ସମାପ୍ତ ପରେ ୨୦୧୦ ମସିହାରେ ୟୁଜିସି ଏନ.ଇ.ଟି. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଖୋର୍ଦ୍ଧା ଜିଲ୍ଲାର କୁହୁଡି ସହରର ଜନତା ମହାବିଦ୍ୟାଳୟରେ କିଛି ବର୍ଷ ଅଧ୍ୟାପନା କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି। ଡକ୍ଟର ରଥ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ଡକ୍ଟର ଶରତ ଚନ୍ଦ୍ର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ” ଓଡ଼ିଆ ଚଉପଦୀକୁ କବି ବାଙ୍କନିଧି ଦାଶଙ୍କ ଅବଦାନ” ବିଷୟରେ ଗବେଷଣା କରୁଥିଲେ। ଶ୍ରୀ ରଥଙ୍କ ଗବେଷଣାତ୍ମକ ସନ୍ଦର୍ଭ ପ୍ରାକ୍ତନ ପ୍ରଫେସର ଡକ୍ଟର ବିଜୟ କୁମାର ଶତପଥୀ ଓ ପ୍ରଫେସର ଦୁର୍ଗା ମାଧବ ନନ୍ଦଙ୍କ ଦ୍ୱାରା ପରୀକ୍ଷିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି। ଅଧ୍ୟାପକ ଶ୍ରୀ ରଥ ଡକ୍ଟରେଟ ଉପାଧି ପାଇଥିବା ଯୋଗୁଁ ପ୍ରାଧ୍ୟାପକ, ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ବୃନ୍ଦ ଅଭିନନ୍ଦନ ଜଣାଇଛନ୍ତି।