ଭଞ୍ଜବିହାର ରେ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳିତ। ବିବିଧ ଜ୍ଞାନ ଶୃଙ୍ଖଳାରେ ଓଡ଼ିଆ ଭାଷାର ଉପଯୋଗ ଦିଗରେ ପ୍ରତିବଦ୍ଧ ପ୍ରୟାସ ହେଉ : ଡ. ଓଝା

0
111

ବ୍ରହ୍ମପୁର, ୧୩/୦୩/୨୦୨୪ : ଓଡ଼ିଆ ଭାଷା ପୃଥିବୀର ଏକ ପୁରାତନ, ଶୌର୍ଯ୍ୟସଂପନ୍ନ, ପ୍ରାମାଣିକ, ବିଜ୍ଞାନ ସମ୍ମତ, ମାନକ ଓ ସ୍ବୀକୃତିପ୍ରାପ୍ତ ଆଧୁନିକ ଭାରତୀୟ ଭାଷା l ଭାରତ ସରକାର ୨୦୧୪ ମସିହାରେ ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲେ l ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିର ଅନ୍ୟୂନ ଗୋଟିଏ ଦଶନ୍ଧି ଅତିକ୍ରାନ୍ତ ହୋଇ ସାରିଲାଣି l ମାତ୍ର ବିବିଧ ଦିଗରେ ଓଡ଼ିଆ ଭାଷାର ବ୍ୟାପକ ପ୍ରୟୋଗ ଏ ଯାବତ୍ ସାକାର ରୂପ ପରିଗ୍ରହଣ କରି ନାହିଁ l ଓଡ଼ିଆ ଭାଷାର ଗୁଣାତ୍ମକ ଅଭିବୃଦ୍ଧି ପରିପ୍ରେକ୍ଷୀରେ ବିବିଧ ଆଧୁନିକ ଜ୍ଞାନ ଶୃଙ୍ଖଳାରେ ଓଡ଼ିଆ ଭାଷାର ବ୍ୟାପକ ଉପଯୋଗ ଦିଗରେ ପ୍ରତିବଦ୍ଧ ପ୍ରୟାସ ହେବା ଆବଶ୍ୟକ ବୋଲି ସୁଖ୍ୟାତ କବି ଓ ଆଲୋଚକ ଡକ୍ଟର୍ କୁଳମଣି ଓଝା ମତବ୍ୟକ୍ତ କରିଛନ୍ତି l
ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ପକ୍ଷରୁ ‘ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ’ ପାଳନ ଅବକାଶରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ରୂପେ ଯୋଗଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ଉପସଚିବ ତଥା ଓଡ଼ିଆ ଭାଷା-ସାହିତ୍ୟ ବିଭାଗର ସହକାରୀ ପ୍ରଫେସର୍ ଡ. କୁଳମଣି ଓଝା ଓଡ଼ିଆ ଭାଷାର ଅଢ଼େଇ ହଜାର ବର୍ଷର ଭାଷିକ ବିବର୍ତ୍ତନ ଓ ଅବାରିତ ଧାରା ସଂପର୍କରେ ତଥ୍ୟପୂର୍ଣ୍ଣ ଆଲୋଚନା କରିଥିଲେ l ଓଡ଼ିଆ ଭାଷାର ସାମର୍ଥ୍ୟ ଓ ଭାବାଭିବ୍ୟକ୍ତିର ବହୁପକ୍ଷୀୟ ସଂଭାବନା ବିଷୟରେ ଉଲ୍ଲେଖ କରିବା ସଂଗେ ସଂଗେ ଓଡ଼ିଆ ଭାଷା-ସାହିତ୍ୟର ବିଦ୍ୟାର୍ଥୀମାନେ ମୌଳିକ ଗ୍ରନ୍ଥ ଅଧ୍ୟୟନ ସହ ଓଡ଼ିଆ ଭାଷାର ବିଭିନ୍ନ ବିଭବ ଓ ଭାଷିକ ପ୍ରକରଣ ସଂପର୍କିତ ଗବେଷଣା ନିମନ୍ତେ ପ୍ରତିବଦ୍ଧ ପ୍ରୟାସ କରନ୍ତୁ ବୋଲି ଡ. ଓଝା କହିଥିଲେ l
କାର୍ଯ୍ୟକ୍ରମର ସଂଯୋଜକ ଓଡ଼ିଆ ବିଭାଗର ସହକାରୀ ପ୍ରଫେସର୍ ଡ. ଦେବୀପ୍ରସାଦ ଶତପଥୀ ଏହି ଆଲୋଚନା ଚକ୍ରରେ ଅଧ୍ୟକ୍ଷତା କରିଥିଲେ l ବିଭାଗୀୟ ପ୍ରଫେସର୍ ଡ. ସଦାନନ୍ଦ ନାୟକ ଓ ସହକାରୀ ପ୍ରଫେସର୍ ଡ. ସମୀର ଭୋଇ ଓଡ଼ିଆ ଭାଷାର ବୈଶିଷ୍ଟ୍ୟ ଓ ମୌଳିକ ଭିତ୍ତି ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l
ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମୁଖ୍ୟ ଆଲୋଚକ ଡ. ଓଝା ଆଲୋଚନା ଚକ୍ରର ଶୁଭାରମ୍ଭ କରିଥିଲେ l ବିଭାଗୀୟ ଅତିଥି ଅଧ୍ୟାପକ ଜିତେନ୍ଦ୍ର କୁମାର ମହାନ୍ତି ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ ସ୍ନାତକୋତ୍ତର ଦ୍ବିତୀୟ ବର୍ଷ ଛାତ୍ରୀ ସୁଶ୍ରୀ ଜ୍ୟୋତି କବି ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here