ବ୍ରହ୍ମପୁର, ୦୯/୦୪/୨୦୨୪: ଭାରତୀୟ କାଳଗଣନା ପଦ୍ଧତି ଅତ୍ୟନ୍ତ ପ୍ରାଚୀନ ଓ ବିଜ୍ଞାନସମ୍ମତ ମଧ୍ୟ। ଅତି ବିଶାଳ କାଳଖଣ୍ଡକୁ ସଠିକ୍ ଭାବେ ମାପିବା କେବଳ ଭାରତୀୟଙ୍କ ଦ୍ବାରା ସମ୍ଭବପର ହୋଇପାରିଛି । ସେହି କ୍ରମରେ ଜାନୁଆରୀ ୧ ନୁହେଁ, ଚୈତ୍ର ଶୁକ୍ଳ ପ୍ରତିପଦା ହିଁ ଆମର ରାଷ୍ଟ୍ରୀୟ ନବବର୍ଷ । ଏହି ଦିନ ଭାରତୀୟ
ପରମ୍ପରାରେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଘଟଣାମାନ ସଂଘଟିତ ହୋଇଥିଲା। ଭଗବାନ ଶ୍ରୀରାମ ଓ ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ, ମହର୍ଷି ଦୟାନନ୍ଦଙ୍କ ଦ୍ବାରା ଆର୍ଯ୍ୟ ସମାଜ ପ୍ରତିଷ୍ଠା, ଦେବୀ ଦୁର୍ଗାଙ୍କ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ, ସନ୍ଥ ଝୁଲେଲାଲ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ପ୍ରତିଷ୍ଠାତା ଡା କେଶବ ବଳିରାମ ହେଡଗୱାରଙ୍କ ଜନ୍ମଦିନ ହେଉଛି ଆଜି । ବ୍ରହ୍ମାଙ୍କ ଦ୍ଵାରା କାଳଗଣନା ଆରମ୍ଭ ସହ ଯୁଗାବ୍ଦ,ଶକାବ୍ଦ, ଶାଳିବାହନାଦ ଗଣନା ଆଜି ଠାରୁ ଆରମ୍ଭ । ଏଣୁ ଏହି ଦିନକୁ ସମସ୍ତ ହିନ୍ଦୁ ତଥା ଭାରତୀୟ ପାଳନ କରିବା ଉଚିତ । ଆର୍ଏସ୍ଏସ୍ ଜଗନ୍ନାଥ ଉପନଗର ଦ୍ୱାରା ମଙ୍ଗଳବାର ହିନ୍ଦୁ ନବବର୍ଷ ତଥା ବର୍ଷ ପ୍ରତିପଦା ଉତ୍ସବ ପାଳନ ଅବସରରେ ଏହା କୁହାଯାଇଛି।ଗୋସାଇଁନୂଆଗାଁ କେ.ସି.ହାଇସ୍କୁଲ ପଡିଆ ଠାରେ ଆଜି ପୂର୍ବାହ୍ନରେ ଶତାଧିକ ଗଣବେଶଧାରୀ ସ୍ବୟଂସେବକଙ୍କ ଉପସ୍ଥିତିରେ ଏହି ଉତ୍ସବ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ବ୍ରହ୍ମପୁର ସହ-ନଗର କାର୍ଯ୍ୟବାହ ନୀଳକଣ୍ଠ ଚୌଧୁରୀ, ମୁଖ୍ୟ ବକ୍ତା ଥିଲେ ଜିଲ୍ଲା କୁଟୁମ୍ବ ପ୍ରବୋଧନ ପ୍ରମୁଖ ନାରାୟଣ ପଣ୍ଡା। ମୁଖ୍ୟ ବକ୍ତା କଳି ଯୁଗାବ୍ଦ ୫୧୨୬ ତଥା ବିକ୍ରମ ସମ୍ବତ ୨୦୮୧ ଆରମ୍ଭର ଶୁଭେଚ୍ଛା ସମସ୍ତଙ୍କୁ ଜଣାଇଥିଲେ । ପ୍ରତିଟି ଭାରତୀୟ ଏହାକୁ ପାଳି ରାଷ୍ଟ୍ରୀୟ ଚେତନାର ଉନ୍ମେଷରେ ସହଭାଗୀ ହେବାକୁ ଆହ୍ବାନ ଦେଇଥିଲେ । କାର୍ଯ୍ୟକ୍ରମରେ ଆର୍ଏସ୍ଏସ୍ ଉତ୍କଳ (ପୂର୍ବ) ପ୍ରାନ୍ତ ସେବା ପ୍ରମୁଖ ଶାନ୍ତନୁ ମାଝୀ, ବହୁ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମେତ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ, ବିଧାୟକ ପ୍ରାର୍ଥୀ କେ.ଅନୀଲ କୁମାର,ଦଳର ଜିଲ୍ଲା ସଭାପତି ଡା. ସୁବାସ ସାହୁ ପ୍ରମୁଖ ଯୋଗ ଦେଇ ସମସ୍ତଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ।