ହିଞ୍ଜିଳି ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
108

ଛତ୍ରପୁର,୩୦/୦୪/୨୦୨୪:ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରମ୍ଭ ହେଲା ଅଭିଯାନ। ପଞ୍ଚମ ଥର ମୁଖ୍ୟମନ୍ତ୍ରୀ ପଦରେ ଅଧିଷ୍ଠିତ ଥିବା ବେଳେ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ପଦରେ ବସିବା ପାଇଁ ଆଜିଠୁ ଆରମ୍ଭ ହୋଇଛି ନୂତନ ଅଭିଯାନ। ନବୀନ ପଟ୍ଟନାୟକଙ୍କ ପାରମ୍ପରିକ ଆସନ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ପ୍ରାୟ ୧୧ଟା ୦୫ ମିନିଟରେ ନରସିଂହପୁର ଛକରେ ଥିବା ଏକ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିବା ପରେ ବହୁ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ତାରା ତାରିଣୀ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ। ସେଠାରୁ ମା’ଙ୍କ ଆଶୀର୍ବାଦ ନେଇ ଛତ୍ରପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସର ପାର୍ଥ ସାରଥି ହାସଂଦାଙ୍କ ଠାରେ ନାମାଙ୍କନପତ୍ର ଦାଖଲ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ, ଦଳର ବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ, ୨୦୦୦ ମସିହାରେ ନବୀନ ପ୍ରଥମ ଥର ପାଇଁ ହିଞ୍ଜିଳି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହା ନିର୍ବାଚନରେ ୨୯,୮୨୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ନବୀନ। ୨୦୦୪ରେ ଦ୍ୱିତୀୟ ଥର ବିଧାୟକ ଭାବେ ୪୨,୬୪୨ ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ। ସେହିପରି ୨୦୦୯ରେ ତୃତୀୟ ଥର ବିଧାୟକ ଭାବେ ୬୧,୭୭୩ ଓ ୨୦୧୪ ନିର୍ବାଚନରେ ଚତୁର୍ଥ ଥର ବିଧାୟକ ଭାବେ ୭୬,୫୮୬ ଖଣ୍ଡ ଭୋଟରେ ବିଜୟ ହାସଲ କରିଥିଲେ। ୨୦୧୯ରେ ସେ ୬୦,୧୬୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇ ପଞ୍ଚମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଚଳିତ ଥର ମୁଖ୍ୟମନ୍ତ୍ରୀ ଷଷ୍ଠ ଥର ପାଇଁ ସେହି ସମାନ ଆସନରୁ ପ୍ରାର୍ଥୀ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ ହିଞ୍ଜିଳି ବ୍ୟତୀତ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିରୁ ମଧ୍ୟ ନିର୍ବାଚନ ଲଢ଼ିବେ। ଆସିକା ସଂସଦୀୟ ଆସନ ଅଧୀନରେ ଥିବା ହିଞ୍ଜିଳିରେ ଆସନ୍ତା ମେ’ ୨୦ ତାରିଖରେ ମତଦାନ ହେବ। ନବୀନ ମଧ୍ୟ ଗତ ୨୪ ତାରିଖରେ ହିଞ୍ଜିଳି ଓ ଶେରଗଡ଼ରୁ ଦଳୀୟ ପ୍ରଚାର ଆରମ୍ଭ କରିଥିଲେ।

LEAVE A REPLY

Please enter your comment!
Please enter your name here