ପୋଲସରା, ୧୬/୫/୨୪ ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ପୋଲସରା ସହରର ତୋଟା ସାହିରେ ମଇ ୧୬ ତାରିଖ ଦିନ ପୂର୍ବାହ୍ନ ପ୍ରାୟ ସାଢେ ଦଶ ଘଣ୍ଟା ସମୟରେ ଏକ ଗୁଳିକାଣ୍ଡ ଘଟିଯାଇଛି। ଏହି ଗୁଳିକାଣ୍ଡରେ ପୋଲସରା ମଠ ସାହିର ଗଣେଶ ଖଟେଇ (୨୫) ଗୁରୁତର ଆହାତ ହୋଇଛନ୍ତି। ଗୁଳିକାଣ୍ଡ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘଟିଥିବା ପୋଲିସ ସୂଚନା ପ୍ରଦାନ କରିଛି। ଗଣେଶ ଖଟେଇ କୌଣସି କାମରେ ତୋଟା ସାହିକୁ ଯାଇ ଫେରିବା ବେଳେ ପୂର୍ବରୁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ହୋଇ ତୋଟା ସାହି ସ୍ଥିତ ଟେଲିଫୋନ ଏକ୍ସଚେଞ୍ଜ ଅଫିସ ଆଗରେ ଅଭିଯୁକ୍ତମାନେ ଗଣେଶଙ୍କ ମୁଣ୍ଡକୁ ଲକ୍ଷ କରି ଆନୁମାନିକ ୩ ରାଉଣ୍ଡ ଗୁଳି ଫୁଟାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ସୌଭାଗ୍ୟ କ୍ରମେ ଗୁଳି ଗୁଡିକ ଗଣେଶଙ୍କ ମୁଣ୍ଡରେ ନବାଜି ଗୋଟିଏ ଗୁଳି ଡାହାଣ କାନରେ ବାଜି ଚାଲିଯାଇଥିଲା। କାନରୁ ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ଗଣେଶଙ୍କୁ ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନିଆ ଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଏସଡିପିଓ ରଜନୀ କାନ୍ତ ସାମଲ, ପୋଲସରା ପୋଲିସ ଆଇଆଇସି କୌଶିକ ମାଝି ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ବାଇକ, ଗୋଟିଏ କଳା ରଙ୍ଗର ମାସ୍କ, ମାଟିଆ ରଙ୍ଗର ଦୁଇଟି ଚପଲ, ତିନୋଟି ଗୁଳିର ଖୋକା ଓ ଗୋଟିଏ ମୋବାଇଲ ଜବତ କରିଛନ୍ତି। ପାଠ ଲେଖାଯିବା ସୁଦ୍ଧା ଥାନାରେ କୌଣସି ଏତଲା ହୋଇନଥିବା ଆଇଆଇସି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ପୋଲସରା ପୋଲିସ ଘଟଣାର ତଦନ୍ତ ଜାରି ରଖିଛନ୍ତି।