Home ବ୍ରହ୍ମପୁର ସ୍ପେଶାଳ ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦର ସାରସ୍ୱତ ଉତ୍ସବ ସହ...

ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦର ସାରସ୍ୱତ ଉତ୍ସବ ସହ ତ୍ରିନାଥ ନାୟକଙ୍କ ଜୀବନୀ ଗ୍ରନ୍ଥ ଲୋକାର୍ପିତ

0
100

ବ୍ରହ୍ମପୁର, ୦୩/୦୬/୨୦୨୪: ଗଞ୍ଜାମ ଜିଲ୍ଲା ଭାଷା, ସାହିତ୍ୟ, କଳା ଓ ସଂସ୍କୃତି ବିକାଶ ପରିଷଦ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ ସମ୍ମେଳନ କକ୍ଷରେ ଏକ ସାରସ୍ୱତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପରିଷଦର ସଭାପତି ଡ. ହରିକୃଷ୍ଣ ନାୟକଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗ ପ୍ରାକ୍ତନ ମୁଖ୍ୟ ପ୍ରଫେସର୍ ଇ. ରାଜା ରାଓ ଉଦ୍ଘାଟକ, ଖଲ୍ଲିକୋଟ କ୍ଲଷ୍ଟର୍ ବିଶ୍ୱବିଦ୍ୟାଳୟ ପ୍ରାକ୍ତନ କୁଳପତି ପ୍ରଫେସର୍ ମନ୍ମଥ ପାଢ଼ୀ ମୁଖ୍ୟଅତିଥି, ଡ. ଲମ୍ବୋଦର ପାଣିଗ୍ରାହୀ ଓ ଇଂ ଯାମିନୀକାନ୍ତ ଦାସ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଏହି ଅନୁଷ୍ଠାନ ପ୍ରତିଷ୍ଠାତା ସଭାପତି ତ୍ରିନାଥ ନାୟକଙ୍କ ସେବା ସମର୍ପିତ ଜୀବନ ସଂପର୍କରେ ଆଲୋକପାତ କରିଥିଲେ।ପରିଷଦର ସଂପାଦକ ଡ. ବନମାଳୀ ପାଣିଗ୍ରାହୀଙ୍କ ସଂଯୋଜନା ରେ ସଂଚାଳିତ ଏହି ଉତ୍ସବ ଆରମ୍ଭରେ ରାଷ୍ଟ୍ର ଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଅତିଥିମାନେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଅତିଥିମାନଙ୍କ କରକମଳରେ ତ୍ରିନାଥ ନାୟକଙ୍କ ଜୀବନୀ ଗ୍ରନ୍ଥ ‘ବାୟୋଗ୍ରାଫି ଅଫ୍ ଶ୍ରୀ ତ୍ରିନାଥ ନାୟକ’ ଲୋକାର୍ପିତ ହୋଇଥିଲା ।ଉଦଘାଟକ ପ୍ରଫେସର୍ ଇ. ରାଜା ରାଓ ତାଙ୍କ ବକ୍ତବ୍ୟରେ ବିଶ୍ୱ ସାହିତ୍ୟରେ ବିଭିନ୍ନ ଧାରାର ଜୀବନୀ ଗ୍ରନ୍ଥ ରଚନା ସଂପର୍କରେ ଉଲ୍ଲେଖ ପୂର୍ବକ ତ୍ରିନାଥ ନାୟକଙ୍କ ଜୀବନୀ ଗ୍ରନ୍ଥ ତାଙ୍କ କୃତିତ୍ୱର ଏକ ପ୍ରାମାଣିକ ସଂକଳନ ବୋଲି କହିଥିଲେ। ଅତିଥିଗଣ ଶ୍ରୀ ନାୟକଙ୍କ ବୃତ୍ତିଗତ ଜୀବନ, ସାମାଜିକ ଜୀବନ, ଲେଖକୀୟ ଉପଲବ୍ଧି ବିଷୟରେ ଆଲୋଚନା କରିଥିଲେ l ଏହି ଉତ୍ସବରେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ବରିଷ୍ଠ ସାହିତ୍ୟିକ ବର୍ଗରେ ସମ୍ବର୍ଦ୍ଧିତ ତ୍ରିନାଥ ନାୟକଙ୍କ ଅଶୀତମ ଜନ୍ମଦିନ ପାଳନ କରା ଯାଇଥିଲା ।ଦ୍ଵିତୀୟ ପର୍ଯ୍ୟାୟରେ ଡ. ହରିକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ଏକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l କବି ଓ ସମାଲୋଚକ ଡ. କୁଳମଣି ଓଝା ସମ୍ମାନିତ ଅତିଥି ରୂପେ କବିତାର ଭାବଧର୍ମ ଓ ଭାଷିକ ପ୍ରକରଣ ସଂପର୍କରେ ଆଲୋକପାତ କରିଥିଲେ । ଡ. ବନମାଳୀ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । କବୟିତ୍ରୀ ପଦ୍ମିନୀ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପାଠୋତ୍ସବରେ ଚାଳିଶରୁ ଊର୍ଦ୍ଧ୍ଵ କବି ଓ କବୟିତ୍ରୀ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l କଣ୍ଠଶିଳ୍ପୀ ଓ କବୟିତ୍ରୀ ବନ୍ଦନା ମିଶ୍ର ଜଗନ୍ନାଥଙ୍କ ଭଜନ ପରିବେଷଣ କରିଥିବା ବେଳେ ପଣ୍ଡିତ ଚନ୍ଦ୍ରଶେଖର ମହାପାତ୍ର ବେଦପାଠ କରିଥିଲେ l ଶେଷରେ ଇଂ ସଞ୍ଜୟ କୁମାର ନାୟକ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ l

NO COMMENTS

LEAVE A REPLY

Please enter your comment!
Please enter your name here

error: Content is protected !!