ବୁଗୁଡା ୫/୬/୨୪ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳ ପକ୍ଷରୁ ଜୁନ ୫ ତାରିଖ ଦିନ ବୁଦ୍ଧଖୋଲ ପ୍ରକୃତି ଉଦ୍ୟାନ ପରିସରରେ ବିଶ୍ୱ ପରିବେଶ ଦିବସ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଏସିଏଫ ରଜତ କୁମାର ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁଦ୍ଧଖୋଲ ଉନ୍ନୟନ ସମିତି ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ, ସଂସ୍କାରବାଦୀ ଶିଳ୍ପୀ ଡକ୍ଟର ସ୍ଥିତଧୀ ରଥ, ପ୍ରକୃତି ବନ୍ଧୁ ଗୌରୀଶଙ୍କର ମିଶ୍ର, ଅଧ୍ୟାପକ ବିଭୂତି ଭୂଷଣ ମିଶ୍ର, ଗଙ୍ଗାଧର ବିଷୋୟୀ ପ୍ରମୁଖ ଯୋଗଦେଇଥିଲେ। ଅତିଥି ବୃନ୍ଦ ଉପସ୍ଥିତ ପରିବେଶ ପ୍ରେମୀମାନଙ୍କୁ ବର୍ତ୍ତମାନର ପରିବେଶକୁ ସୁରକ୍ଷା ପାଇଁ ବୃକ୍ଷ ରୋପଣ ଓ ସୁରକ୍ଷା ଏବଂ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବାକୁ ବକ୍ତବ୍ୟ ପ୍ରଦାନ କରିଥିଲେ। ପରିବେଶ ଦିବସ ଅବସରରେ ଉପସ୍ଥିତ ସମସ୍ତେ ଜଣେ ଜଣେ ପରିବେଷ ସୁରକ୍ଷା ଯୋଦ୍ଧା ଭାବେ କାର୍ଯ୍ୟ କରିବାକୁ ଶପଥ ଗ୍ରହଣ କରିଥିଲେ। ପରିବେଷ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି ପାଇଁ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଏସିଏଫ ରଜତ କୁମାର ବିଷୋୟୀ ବୁଦ୍ଧଖୋଲରେ ବୃକ୍ଷ ରୋପଣର ଶୁଭାରମ୍ଭ କରିଥିଲେ। ବୁଗୁଡା ବନାଞ୍ଚଳ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।