ଆସନ୍ତା ୧୨ତାରିଖରେ ବିଜେପିର ପ୍ରଥମ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ : ପ୍ରତାପ ଷଡଙ୍ଗୀ।। ଆସନ୍ତା ୧୨ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୨ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚିବେ ଓ ସନ୍ଧ୍ୟା ୫ଟାରେ ଜନତା ମଇଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ

0
16

ଭୁବନେଶ୍ୱର,୧୦/୦୬/୨୦୨୪: ରାଜ୍ୟର ୨୫ବର୍ଷର କଳା ଶାସନର ଅନ୍ତ ଘଟାଇ ପ୍ରଥମ କରି ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି । ଓଡ଼ିଶାରେ ଭ୍ରଷ୍ଟାଚାର, ଅତ୍ୟାଚାରର କଳାକାରନାମା ଚଳାଇଥିବା ବିଜେଡି ସରକାରର ପତନ ଘଟିଛି । ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀ, ଗଣତନ୍ତ୍ରର ହତ୍ୟାକାରୀ, ସତ୍ୟର କଣ୍ଠରୋଧକାରୀ ଓ ଭ୍ରଷ୍ଟାଚାରର ମୂର୍ତିମନ୍ତ ପାହାଡ ବୋଲି ବିବେଚନା କରାଯାଉଥିବା ନବୀନ ସରକାରକୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି । ଓଡ଼ିଶାର ସ୍ୱାଭିମାନ ଓ ଅସ୍ମିତାକୁ ନିଲାମ ଓ ହତ୍ୟା କରିଥିବା ନବୀନ ଶାସନ ବିରୋଧରେ ୨୦୨୪ରେ ଜନଶକ୍ତି ଓ ପ୍ରଜାଶକ୍ତି ଜାଗ୍ରତ ହେବା ଏକ ଐତିହାସିକ ଘଟଣା । ଏହା ଦ୍ୱାରା ଲୋକତନ୍ତ୍ରର ବିଜୟ ହୋଇଛି । ଏହି ଘଟଣା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ପାଲ୍ୟାମେଂଟ ଏବେ ବିଜେଡି ମୁକ୍ତ ହୋଇଛି ଓ ବିଜେପି ପୂର୍ଣ୍ଣବହୁମତରେ ସରକାର ପ୍ରତିଷ୍ଠା କରିଛି । ପ୍ରଶାସକ ହାତରେ କ୍ଷମତା ସମର୍ପି ଥିବା ନବୀନ ସରକାର ହତାଶ୍ ହୋଇବସିଛନ୍ତି ଓ ପ୍ରଶାସକ ମହୋଦୟ ରାଜନୀତିରୁ ସନ୍ୟାସ ନେବେ ବୋଲି ଘୋଷଣା କରିଛନ୍ତି । ଭିକାରୀର ବୈରାଗ ହେବାର କୌଣସି ଅର୍ଥ ନାହିଁ । ପ୍ରଶାସନିକ ଅଧିକାରୀ କୌଣସି ରାଜନେତା କିମ୍ବା ଜନନାୟକ ନଥିଲେ ସେ ନବୀନଙ୍କ ଆଶୀର୍ବାଦରେ ବଳିୟାନ ହୋଇଥିଲେ । ଅନ୍ଧକାରର ବିନାଶ ହୋଇ ଆଲୋକର ପର୍ବ ଆରମ୍ଭ ହେଉଛି । ଓଡ଼ିଶାରେ “ଡବଲ ଇଞ୍ଜିନ ସରକାର ଗଠନ” ହେଉଛି । ଏଥିପାଇଁ ପ୍ରତ୍ୟେକ ଓଡ଼ିଶାବାସୀ ନିଜ ଘରେ, ମନ୍ଦିରଗୁଡିକରେ ଦୁଇଟି ଲେଖାଏଁ ଦୀପ ଜାଳି ସରକାର ପରିବର୍ତନର ଖୁସି ମନାନ୍ତୁ । ସେଥିରୁ ଗୋଟିଏ କେନ୍ଦ୍ରରେ ତୃତୀୟଥର ମୋଦି ସରକାର ଗଠନ ପାଇଁ ଓ ଅନ୍ୟଟି ରାଜ୍ୟରେ ପ୍ରଥମଥର ବିଜେପି ସରକାର ଗଠନ ପାଇଁ ଜଳାନ୍ତୁ ବୋଲି ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ ଓଡ଼ିଶାବାସୀଙ୍କୁ ଅନୁରୋଧ କରିଛନ୍ତି ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ, ଆସନ୍ତାକାଲି ୪ଟା ୩୦ରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ପର୍ଯ୍ୟବେକ୍ଷକଭାବେ ମାନ୍ୟବର ରାଜନାଥ ସିଂ ଓ ଭୂପିନ୍ଦର ଯାଦବ ଉପସ୍ଥିତ ରହିବେ । ଏହାପରେ ମାନ୍ୟବର ରାଜ୍ୟପାଳଙ୍କୁ ଦାବି ଉପସ୍ଥାପନ ପାଇଁ ସମସ୍ତ ନୂତନ ବିଧାୟକମାନେ ଯିବେ । ଆସନ୍ତା ୧୨ତାରିଖରେ ଦିନ ଜନତା ମଇଦାନରେ ବିଜେପିର ପ୍ରଥମ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିବ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ । ମାନ୍ୟବର ପ୍ରଧାନମନ୍ତ୍ରୀ ୨ଟା ୩୦ରେ ଭୁବନେଶ୍ୱରରେ ପହଂଚିବେ ଓ ସନ୍ଧ୍ୟା ୫ଟାରେ ଜନତା ମଇଦାନରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଓ ସୋସିଆଲ ମିଡିଆ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here