ନୂଆ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଖୋଜା ଚାଲିଛି ବାସଭବନ

0
17

ଭୂବନେଶ୍ୱର,୧୪/୦୬/୨୦୨୪:ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଏହା ଭିତରେ ତିନି ଦିନ ବିତିଲାଣି । ହେଲେ, ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କେଉଁଠି ରହିବେ ତାହା ଚୂଡାନ୍ତ ହୋଇପାରି ନାହିଁ । ରାଜ୍ୟ ଅତିଥି ଭବନର ପ୍ରଥମ ମହଲାରୁ ଅସ୍ଥାୟୀ ଭାବେ ମୁଖ୍ୟମନ୍ତ୍ରୀ କାମ କରୁଥିଲେ ବି, ତାଙ୍କ ପାଇଁ ଘର ଖୋଜା ଚାଲିଛି ।ଗତ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରଠାରୁ ରାଜ୍ୟ ଅତିଥି ଭବନ ରହୁଛନ୍ତି ଓ ଅଫିସ ଚଳାଉଛନ୍ତି ମୋହନ ଚରଣ ମାଝୀ ।ରାଜ୍ୟ ଅତିଥି ଭବନ ହିଁ ତାଙ୍କ ପାଇଁ ବାସଭବନ ଓ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପାଲଟିଛି । ଏଇଠି ବିଭାଗୀୟ ଅଧିକାରୀଙ୍କଠୁ ଆରମ୍ଭ କରି ନେତା, ମନ୍ତ୍ରୀ ଓ ସାଧାରଣ ଲୋକଙ୍କୁ ସାକ୍ଷାତ କରୁଛନ୍ତି ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଅଚାନକ କ୍ଷମତା ପରିବର୍ତ୍ତନ ସହ ନୂଆ କ୍ଷମତା କେନ୍ଦ୍ରର ଆବଶ୍ୟକତା ପଡିଛି । ଆଉ ସେଥିପାଇଁ ତତ୍ପର ହୋଇପଡିଛି ସାଧାରଣ ପ୍ରଶାସନ ବିଭାଗ । ଏମିତି ଏକ ସରକାରୀ କ୍ୱାର୍ଟର ଖୋଜୁଛି ସାଧାରଣ ପ୍ରଶାସନ ବିଭିଗ ଯେଉଁଠି ସବୁ ପ୍ରକାର ସୁବିଧା ସୁଯୋଗ ସହ ରହିପାରିବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ।ମିଳିଥିବା ସୂଚନା ଅନୁସାରେ ଖାଲିଥିବା କିଛି ସରକାରୀ କ୍ୱାର୍ଟର ସହିତ ଦୀର୍ଘବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଭାବେ ବ୍ୟବହାର ହୋଇଆସୁଥିବା କ୍ୱାର୍ଟରକୁ ମଧ୍ୟ ବିଚାରକୁ ନେଇଛି ସାଧାରଣ ପ୍ରଶାସନ ବିଭାଗ । କିନ୍ତୁ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ରହଣୀ ଉପଯୋଗୀ କରିବା ପାଇଁ ସମୟ ଲାଗିପାରେ । ରାଜଭବନରୁ ଏଜି ଛକ ମଧ୍ୟରେ ଥିବା ଏହି କ୍ୱାର୍ଟରରେ ରହୁଥିଲେ ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଗିରିଧର ଗମାଙ୍ଗ । ଅର୍ଥାତ ଏହା ହିଁ ଥିଲା ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ । ହେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କରିଦିଆଗଲା ଏବଂ ନବୀନ ନିବାସ ପାଲଟିଗଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ।ଦୀର୍ଘ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ତାଙ୍କର ପୈତୃକ ବାସଭବନ ନବୀନ ନିବାସରେ ହିଁ ରହିଥିଲେ । ତେଣୁ ଆଉ ମୁଖ୍ୟମନ୍ତ୍ରୀ ଆବାସର ଆବଶ୍ୟକତା ଅନୁଭବ ହୋଇନଥିଲା । ଏବେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ସହ ଖୋଜା ପଡିଛି ନୂଆ ମୁଖ୍ୟମନ୍ତ୍ରୀ ଙ୍କ ଆବାସ ।ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟଶୈଳୀ ସଂପୂର୍ଣ୍ଣ ଭିନ୍ନ । ପ୍ରତିଦିନ ସେ ଏକାଧିକ ନେତା, ଅଫିସର ଓ ସାଧାରଣ ଲୋକଙ୍କୁ ଭେଟୁଥିବାରୁ ତାଙ୍କ ସୁରକ୍ଷା ଯୋଗାଇବା ଏକ ବଡ ଚ୍ୟାଲେଞ୍ଜ ହୋଇପଡିଛି । ସେହି ଦୃଷ୍ଟିରୁ ରାଜଭବନ ଆଖପାଖରେ ଥିବା ସରକାରୀ କ୍ୱାର୍ଟର ମଧ୍ୟରୁ ଗୋଟିକୁ ମୁଖ୍ୟମନ୍ତ୍ରୀଙ୍କ ଆବାସ ପାଇଁ ଚୟନ କରାଯାଇ ଖୁବଶୀଘ୍ର ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here