ମା’ ସିଂହାସନୀଙ୍କ ପୀଠରେ ପ୍ରସିଦ୍ଧ ରଜପର୍ବ ପାଳିତ ।

0
68

ପୋଲସରା: ୧୬/୦୬/୨୪: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର କସିପଡା ସ୍ଥିତ ମା’ ସିଂହାସନୀଙ୍କ ଶକ୍ତିପୀଠରେ ତିନି ଦିନିଆ ପ୍ରସିଦ୍ଧ ରଜପର୍ବ ବହୁ ଆଡମ୍ବର ସହ ପାଳିତ ହୋଇଯାଇଛି। ରଜ ପର୍ବର ମା’ ସିଂହାସନୀଙ୍କ ସ୍ଵତନ୍ତ୍ର ରୀତିନୀତି ପ୍ରକାରେ ପୂଜାପାଠ ଆୟୋଜିତ ହୋଇଥିଲା । ମା’ ସିଂହାସନୀଙ୍କ ମାର୍ଜଣା ପରେ ଶ୍ରୀମନ୍ଦିରରୁ ଆସିଥିବା ସ୍ଵତନ୍ତ୍ର ପାଟ ବସ୍ତ୍ର ପରିଧାନ ପୂର୍ବକ ସୁନା ଅଳଙ୍କାରରେ ସୁସଜ୍ଜିତ କରାଯାଇଥିଲା । ସକାଳ ଧୂପ, ଅବକାଶ ଓ ଆଳତୀ ସହ ଚଣ୍ଡୀପାଠ ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା। ଏହା ପରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ରଜ ପର୍ବରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶ୍ରଦ୍ଧାଳୁ ମାନେ ଆସି ମା’ଙ୍କ ଆଶୀର୍ବାଦ ଲାଭ କରିଥିଲେ । ମନ୍ଦିର ପରିଚାଳନା କମିଟି ପକ୍ଷରୁ ଭକ୍ତ ନିମନ୍ତେ ସୁବିଧାରେ ଦର୍ଶନ, ପ୍ରାସାଦ ସେବନ ଓ ମାନସିକଧାରୀ ଭକ୍ତ ମାନଙ୍କ ମୁଣ୍ଡନ ବ୍ୟବସ୍ଥା କରାଯାଇଥିଲା। ରଜ ପର୍ବ ପାଇଁ ମନ୍ଦିର ପରିଚାଳନା କମିଟିର ସଭାପତି ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଷ୍ଟ୍ର ମନ୍ତ୍ରୀ(ସ୍ୱାଧୀନ) ଗୋକୁଳାନନ୍ଦ ମଲ୍ଲିକଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ବିଭାଗ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ପଟ୍ଟନାୟକ ଯୋଗଦେଇଥିଲେ। ରଜର ଦ୍ଵିତୀୟ ଓ ତୃତୀୟ ଦିନରେ ଶ୍ରଦ୍ଧାଳୁମାନଙ୍କ ସୁବିଧାରେ ଦର୍ଶନ ଓ ପୂଜା, ପ୍ରସାଦ ସେବନ, ମୁଣ୍ଡନ କାର୍ଯ୍ୟକ୍ରମ, ଟ୍ରାଫିକ ନିୟନ୍ତ୍ରଣ, ପାନୀୟ ଜଳ, ପରିମଳର ବ୍ୟବସ୍ଥା ପ୍ରଭୃତି ପାଇଁ ପ୍ରଶାସନିକ ଅଧିକାରୀ ଓ ମନ୍ଦିର ପରିଚାଳନା କମିଟିର ମିଳିତ ତତ୍ତ୍ୱାବଧାନରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଗାଡି ପାର୍କିଂ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା। ଆଇନ ଶୃଙ୍ଖଳା ନିମନ୍ତେ ପୁରୁଷୋତ୍ତମପୁର ଉପଖଣ୍ଡ ପୋଲିସ ଅଧିକାରୀ ରଜନୀକାନ୍ତ ସାମଲଙ୍କ ନେତୃତ୍ୱରେ ପୋଲସରା ଥାନାଧିକାରୀ କୌଶିକ ମାଝୀଙ୍କ ତତ୍ତ୍ଵାବଧାନରେ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲା । ପୋଲସରା ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ମଲ୍ଲିକ, ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ, ପାଣ୍ଡିରୀପଡା ସରପଞ୍ଚ ରଘୁନାଥ ଭୂୟାଁ, ମନ୍ଦିର ପରିଚାଳକ ରଘୁନାଥ ସାହୁଙ୍କ ସମେତ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ସ୍ବେଛାସେବୀ ଅନୁଷ୍ଠାନ ସହ ଜନପ୍ରତିନିଧି ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here