ପୁରୀ,୨୨/୦୬/୨୦୨୪: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିଜେ କରି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି। ସମସ୍ତ ନୀତିକାନ୍ତି ପରେ ଶ୍ରୀଜିଉ ଗଜ ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାନ ପକ୍ଷରୁ ନୀତ ନିର୍ଘଣ୍ଟ ଚୂଡ଼ାନ୍ତ କରାଯାଇଥିଲା। ଏହି ଅନୁଯାୟୀ, ରାତି ୪.୩୦ରେ ମଙ୍ଗଳାର୍ପଣ ପରେ ଭୋରରେ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହଙ୍କୁ ସ୍ନାନବେଦିକୁ ବିଜେ କରାଯାଇଥିଲା। ପ୍ରଥମେ ବଡ଼ଠାକୁର ବଳଭଦ୍ର ରତ୍ନବେଦି ଛାଡ଼ି ଧାଡି ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ। ପରେ ମା’ ସୁଭଦ୍ରା ପହଣ୍ଡିରେ ଆସି ସ୍ନାନ ମଣ୍ଡପରେ ପହଞ୍ଚି ଥିଲେ। ଶେଷରେ କାଳିଆସାଆନ୍ତ ରତ୍ନବେଦି ଛାଡ଼ି ଧାଡି ପହଣ୍ଡିରେ ହଲି ହଲି ସ୍ନାନବେଦିରେ ପହଞ୍ଚିଥିଲେ। ପରେ ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଦାରୁଦିଅଁ। ଦାରୁ ଦିଅଁଙ୍କ ସ୍ପତନ୍ତ୍ର ନୀତିକାନ୍ତି ସମାପନ ପରେ ଚତୁର୍ଦ୍ଧାବିଗ୍ରହ ୧୦୮ ଗରା ସୁବାସିତ ଜଳରେ ସ୍ନାନବେଦିରେ ସ୍ନାନ କରିଥିଲେ।
ରତ୍ନବେଦୀରୁ ସ୍ନାନବେଦୀକୁ ଆସି ସୁନା କୂଅର ୧୦୮ ସୁବାସିତ ଜଳରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଏହି ମାନବୀୟ ଲୀଳା ଅଧରପୋଛା ସହ ଅନ୍ୟାନ୍ୟ ନୀତି ପରେ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରା ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।
ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଓ ହଳଦିଆ ରଙ୍ଗର ଗଜବେଶରେ ବଡ଼ଠାକୁର ଦର୍ଶନ ଦେଇଛନ୍ତି । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ଭକ୍ତମାନେ ନିଜକୁ ଧନ୍ୟ ମନେ କରିଛନ୍ତି। ପ୍ରବଳ ଖରା ଓ ଗୁଳୁଗୁଳି ସତ୍ତ୍ବେ ଭକ୍ତମାନେ ଏହି ବେଶ ଦର୍ଶନ କରି ବହୁତ ଖୁସି ଅନୁଭବ କରିଛନ୍ତି।