କାର୍ଯ୍ୟରତ ସାମ୍ବାଦିକାଙ୍କ ଉପରକୁ କୁକୁର ଛାଡ଼ିବା ଅମାନବନୀୟ : ଦୀଲିପ ମଲ୍ଲିକ

0
13

ଭୁବନେଶ୍ୱର,୨୬/୦୬ : ପୋଲିସର ନାଲି ଆଖି ଦେଖାଇ ଗଣମାଧ୍ୟମ ସଂସ୍ଥା ଓ ସାମ୍ବାଦିକମାନଙ୍କ କଣ୍ଠରୋଧ କରିବା ହେଉଛି ବିଜେଡିର ଚିରାଚରିତ ଅଭ୍ୟାସ । ଓଟିଭି, ବଡ ଖବର, କନକ, ସମ୍ବାଦ ଭଳି ଗଣମାଧ୍ୟମ ସଂସ୍ଥା ଓ ତାଙ୍କ କର୍ମଚାରୀଙ୍କ ଉପରେ ଆକ୍ରମଣ, ଧମକ ଦେବା ଭଳି ବିଜୁ ଜନତା ଦଳର ଅଗଣତାନ୍ତ୍ରିକ ଉଦାହରଣ ରହିଛି । ଗତକାଲି ଜଣେ କାର୍ଯ୍ୟରତ ସାମ୍ବାଦିକାଙ୍କ ଉପରେ ପୂର୍ବତନ ସୂଚନା ଓ ପ୍ରସାରଣ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ରଘୁନନ୍ଦନ ଦାଶ ନିଜ ସରକାରୀ ବାସଭବନରେ କୁକୁର ଛାଡି ଦେଇ ଭୟଭୀତ କରିଛନ୍ତି । ଏହା ତାଙ୍କ ହୀନ ମାନସିକତାର ପରିଚୟ ଦେଇଛି । ଏଭଳି ଅମାନବୀୟ କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଦୀଲିପ ମଲ୍ଲିକ କହିଛନ୍ତି ।
ଶ୍ରୀ ମଲ୍ଲିକ କହିଛନ୍ତି, ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ “ନୀରବ ନିର୍ଦ୍ଦେଶ”ରେ ଗଣମାଧ୍ୟମ ସଂସ୍ଥା, କାର୍ଯ୍ୟରତ ସାମ୍ବାଦିକମାନଙ୍କ ଉପରେ ଆଗରୁ ଅନେକ ଥର ଆକ୍ରମଣ ହୋଇଛି । ଗତକାଲିର ଅମାନବୀୟ ଘଟଣା ମଧ୍ୟ ନବୀନ ବାବୁଙ୍କ ନିର୍ଦ୍ଦେଶରେ ହୋଇଛି । ଘଟଣାକୁ ୨୪ ଘଂଟା ବିତିଯାଇଥିଲେ ସୁଦ୍ଧା ନବୀନ ପଟ୍ଟନାୟକ ଚୁପ୍ ବସିଥିବାରୁ ଏହି ଘଟଣା ତାଙ୍କ ଇଙ୍ଗିତରେ ହୋଇଥିବା ସ୍ପଷ୍ଟ ହୋଇଛି । ନା ସେ ଘଟଣାକୁ ନିନ୍ଦା କରିଛନ୍ତି, ନା ପଦୁଟିଏ କହିଛନ୍ତି । ତାଙ୍କ ଦଳର ଜଣେ ବରିଷ୍ଠ ନେତାଙ୍କ ଏଭଳି କାର୍ଯ୍ୟକଳାପ ସମ୍ପର୍କରେ ନବୀନ ପଟ୍ଟନାୟକ ମୁହଁ ଖୋଲନ୍ତୁ ।
“ଔଷଧ ରାଗରେ ତାଟିଆ କାମୁଡ଼ିବା” ଭଳି ନିର୍ବାଚନ ହାରିବା ପରେ ବିଜେଡି ନେତାମାନେ ଏବେ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ଅତୀତରେ ନବୀନ ସରକାର ସମୟରେ ଅନେକ ଗଣମାଧ୍ୟମ ସଂସ୍ଥା ଏବଂ କାର୍ଯ୍ୟରତ ସାମ୍ବାଦିକମାନେ ଆକ୍ରୋଶର ଶିକାର ହୋଇଛନ୍ତି । ଏପରିକି ସଚିବାଳୟ ଓ ବିଧାନସଭା ଯିବା ଉପରେ ରୋକ ଲଗାଇ ଦେଇଥିଲେ । ଦଉଡି ବାନ୍ଧି ସାମ୍ବାଦିକମାନଙ୍କୁ ଅପମାନିତ କରିବାକୁ ପଛାଇ ନଥିଲେ । ନିର୍ବାଚନ ହାରିବା ପରେ ବି ଗଣମାଧ୍ୟମ ଓ ସାମ୍ବାଦିକମାନଙ୍କୁ ଅପମାନିତ କରିବାର ମାନସିକତା ଓ ଅହଂକାର ଆଜି ବି ନବୀନ ବାବୁ ଓ ତାଙ୍କ ଦଳର ନେତାଙ୍କର ରହିଛି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ୍ କୁମାର ଦାସ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here