ମାରଦା ମନ୍ଦିରର ଦୈନିକ ପୂଜାର୍ଚ୍ଚନା ପାଇଁ ସ୍ଥାୟୀ ପାଣ୍ଠି ଯୋଗାଯାଉ।

0
11

ପୋଲସରା ୨୭/୬/୨୪ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମଥୁରା ଗ୍ରାମର ଐତିହାସିକ ସ୍ଥାନ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ଆଜକୁ ପ୍ରାୟ ୨୯୧ ବର୍ଷ ପୂର୍ବେ ଡିସେମ୍ବର ୨୯ ତାରିଖ ଦିନ ପ୍ରତିଷ୍ଠିତ ହୋଇଥିଲା। ମୁସଲମାନ ଶାସକଙ୍କ ଶ୍ରୀମନ୍ଦିର ଆକ୍ରମଣ କରିବା ବେଳେ ଆଠଗଡ ରାଜା ଶ୍ରୀ ଜଗନ୍ନାଥ ହରିଚନ୍ଦନ ଜଗଦ୍ଦେବ ଦୁଇ ମାସ ମଧ୍ୟରେ ମାରଦା ମନ୍ଦିର ଜଙ୍ଗଲ ମଧ୍ୟରେ ନିର୍ମାଣ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ୧୭୩୩ ମସିହା ଡିସେମ୍ବର ୨୯ ତାରିଖ ଦିନ ମାରଦା ମନ୍ଦିରରେ ଗୁପ୍ତରେ ରଖି ନୀତି ନିୟମ ପ୍ରକାରେ ପ୍ରତିଦିନ ପୂଜାର୍ଚ୍ଚନା କରୁଥିଲେ। ସେହିପରି ପୁରୀ ଗଜପତି ମହାରାଜା ଦ୍ଵିତୀୟ ରାମଚନ୍ଦ୍ର ଦେବ ଓ ରାଜା ପରିବାରଙ୍କୁ ପାଣ୍ଡିରୀପଡା ଠାରେ ଭୂଗର୍ଭରେ ଥିବା ଗୁପ୍ତ ଗଡରେ ଆଶ୍ରୟ ଦେଇ ନିରାପଦରେ ରଖିବା ଦ୍ୱରା ଶତୃମାନେ ଏହାର ସନ୍ଧାନ ପାଇବାରେ ବିଫଳ ହୋଇଥିଲେ। ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ପୁରୀ ଗଜପତି ମହାରାଜାଙ୍କୁ ଆଠଗଡ଼ ରାଜା ଶରଣ ଦେଇଥିବା ଯୋଗୁଁ ମାରଦା ମନ୍ଦିର ଶରଣ ଶ୍ରୀକ୍ଷେତ୍ର ନାମରେ ନାମିତ ହୋଇଛି। ୧୭୩୬ ଏପ୍ରିଲ ୨୮ ତାରିଖ ପଯ୍ୟନ୍ତ ୨୯ ମାସ ଧରି ଜଗତରନାଥ ଜଗନ୍ନାଥ ମାରଦା ମନ୍ଦିରରେ ରହିବା ପରେ ପୁଣି ଶ୍ରୀମନ୍ଦିରକୁ ଫେରିଥିଲେ। ବର୍ତ୍ତମାନ ମାରଦା ମନ୍ଦିରରେ କୌଣସି ବିଗ୍ରହ ନଥିବା ବେଳେ ମନ୍ଦିର ଗର୍ଭରେ ଯେଉଁ ତିନିଟି ଚକା ବଇଠି ଉପରେ ତିନି ଠାକୁର ସିଂହାସନ ରୂଢ଼ ଥିଲେ ତାହା ପୂଜା ପାଉଛନ୍ତି। ଦୁଃଖର ବିଷୟ ଜଗନ୍ନାଥଙ୍କୁ ଯେଉଁ ମାରଦା ମନ୍ଦିର ଗୁପ୍ତରେ ରଖି ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣି ପାରିଛି, ସେହି ମନ୍ଦିରରେ ଦୈନିକ ପୂଜାର୍ଚ୍ଚନା ପାଇଁ ସ୍ଥାୟୀ ପାଣ୍ଠି ନଥିବାରୁ ହାତ ପତେଇବାକୁ ପଡୁଛି।ପ୍ରଥମେ କିଛିବର୍ଷ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦୈନିକ ଏକ ଶହ ଟଙ୍କା ପୂଜାର୍ଚ୍ଚନା କରିବା ପାଇଁ ଅନୁଦାନ ଦେଉଥିଲେ ମଧ୍ୟ କୌଣସି କାରଣ ନଦର୍ଶାଇ ସେହି ଅନୁଦାନ ବନ୍ଦ କରିଦେଲେ। ମାରଦା ମନ୍ଦିରର ପରିଚାଳନା କମିଟିର ସଭାପତି ଭାବେ ଗଞ୍ଜାମ ଜିଲ୍ଲାପାଳ ରହିଥିବା ବେଳେ ପୋଲସରା ବିଡ଼ିଓ ସମ୍ପାଦକ ଭାବେ ରହିଛନ୍ତି। କିଛିବର୍ଷ ପୂର୍ବେ ପ୍ରଶାସନ ଦେବୋତ୍ତର ବିଭାଗ ସହ ଆଲୋଚନା କରି ମନ୍ଦିରକୁ ଅନୁଦାନ ଆସୁଥିଲା। ହେଲେ ରାଜନୈତିକ ଇଛାଶକ୍ତିର ଅଭାବ ଓ ପ୍ରଶାସନିକ ଅବହେଳା ଯୋଗୁଁ ମାରଦା ମନ୍ଦିରକୁ ଦେବୋତ୍ତର ବିଭାଗ ପକ୍ଷରୁ ଦୈନିକ ପୂଜା ପାଇ ଆଉ ଅନୁଦାନ ଆସିଲାନାହିଁ। ଯାହା ଫଳରେ ଇତିହାସର ମୂକସାକ୍ଷୀ ଏହି ମାରଦା ମନ୍ଦିର ପୂଜାର୍ଚ୍ଚନା ଓ ନୀତିକାନ୍ତି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଖୁସିର ବିଷୟ ମାରଦା ମନ୍ଦିର କମିଟିର ସମ୍ପାଦକ ତଥା ପୋଲସରା ବିଡ଼ିଓ କୁରେଶ ଚନ୍ଦ୍ର ଜାନୀ ଗତ ଜୁନ ୨୫ ତାରିଖ ଦିନ ମାରଦା ଜଗନ୍ନାଥ ମନ୍ଦିରର ପୂଜାର୍ଚ୍ଚନା ପାଇଁ ଦୈନିକ ୫୦୦ ଟଙ୍କା ଲେଖାଏଁ ଅନୁଦାନ ଦେବାକୁ ଦେବୋତ୍ତର ବିଭାଗ କମିଶନର ମହୋଦୟଙ୍କୁ ପତ୍ର ଲେଖିଛନ୍ତି। କେବଳ ପତ୍ର ଲେଖିଦେଇ ଚୁପ ରହିଗଲେ ମାରଦା ମନ୍ଦିରର ପୂଜାର୍ଚ୍ଚନା ପାଇଁ ପାଣ୍ଠି ଆସିବନାହିଁ। ପ୍ରଶାସନିକ ସ୍ତରରେ ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଓ ପୋଲସରା ବିଡ଼ିଓ ମହୋଦୟ ଆନ୍ତରିକ ଉଦ୍ୟମ କରିବା ସହ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଳିକଙ୍କ ସମେତ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଏବଂ ସମସ୍ତ ସମିତି ମେମ୍ବର ଓ ସରପଞ୍ଚ ବୃନ୍ଦ ରାଜନୈତିକ ସ୍ତରରେ ସହଯୋଗ କଲେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରର ଉତ୍ତମ ଭାବେ ପୂଜାର୍ଚ୍ଚନା ହୋଇପାରିବ।

LEAVE A REPLY

Please enter your comment!
Please enter your name here