ପୋଲସରା ୨୯/୬/୨୪ ଦୁଇ ଜଣ ଏକ ସ୍କୁଟିରେ ବୁଗୁଡ଼ାରୁ ନିଜ ଗ୍ରାମ ମାଳତେନ୍ତୁଳିଆ ଫେରୁଥିବା ବେଳେ ଚଳନ୍ତା ସ୍କୁଟିରେ କୌଣସି କାରଣରୁ ନିଆଁଲାଗି ସ୍କୁଟିଟି ଜଳି ଯାଇଥିବା ବେଳେ ସୌଭାଗ୍ୟ ବଶତଃ ଦୁଇ ବ୍ୟକ୍ତି ସୁରକ୍ଷିତ ଭାବେ ରକ୍ଷା ପାଇଯାଇଥିଲେ। ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନା ଅନ୍ତର୍ଗତ ଗୋଲିଆ-ବିରିପୁର ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ପୋଲସରା ଥାନା ଅନ୍ତର୍ଗତ ମାଳତେନ୍ତୁଳିଆ ଗ୍ରାମର ସୁଜିତ ସାହୁ ଓ ତାଙ୍କର ଜଣେ ସମ୍ପର୍କୀୟ ମିଶି ବୁଗୁଡା ସହରକୁ ବିହନ ଧାନ କିଣିବା ପାଇଁ ସ୍କୁଟିରେ ଯାଇ ଫେରୁଥିବା ବେଳେ ଅଧାରାସ୍ତାରେ ହଠାତ୍ ସ୍କୁଟିଟି ଚଳନ୍ତା ଅବସ୍ତାରେ ନିଆଁ ବାହାରିଥିଲା। ଗାଡିର ନିଆଁକୁ ଆୟତ କରିବା ଚେଷ୍ଟା କରିଥିଲେ ମଧ୍ୟ ସ୍କୁଟିର ବିଭିନ୍ନ ଜାଗାରେ ନିଆଁ ଲାଗିଯାଇଥିଲା । ସୁଜିତ ଓ ଉପସ୍ଥିତ ଲୋକେ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାଣିର ଅଭାବ ଯୋଗୁଁ ନିଆଁ ଆୟତ ନହୋଇ ହୁତାଶନ ହୋଇ ଜଳିଥିଲା। ନିରୁପାୟ ହୋଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ମଧ୍ୟ ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସ୍କୁଟି ଗାଡିଟି ସମ୍ପୁର୍ଣ୍ଣ ଜଳିପୋଡି ପାଉଁସ ହୋଇଯାଇଥିଲା । ନିମ୍ନ ମଧ୍ୟବିତ୍ତ ଚାଷୀ ସୁଜିତ ସାହୁ ବହୁ କଷ୍ଟରେ ସ୍କୁଟି ଗାଡିଟିଏ କିଣିଥିବା ବେଳେ ସ୍କୁଟିରେ ନିଆଁ ଲାଗି ସମ୍ପୁର୍ଣ୍ଣ ଜଳିପୋଡି ପାଉଁସ ହୋଇଯାଇଥିବା ହେତୁ ସେ ମର୍ମାହତ ହୋଇପଡିଛନ୍ତି ।