ଓଡିଶାର ଗଞ୍ଜାମ ଜିଲ୍ଲାରୁ ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନର ଶୁଭାରମ୍ଭ।ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ-ସ୍ବାସ୍ଥ୍ୟ ମନ୍ତ୍ରୀ

0
11

ବ୍ରହ୍ମପୁର,୦୧/୦୭/୨୦୨୪: ରାଜ୍ୟରେ ଆରମ୍ଭ ହୋଇଛି ପ୍ରଧାନ ମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ l ସମନ୍ବୀତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଗଂଜାମ ଜିଲ୍ଲାରୁ ଶୁଭାରମ୍ଭ କରିଛନ୍ତି l ଏଥିନେଇ ବ୍ରହ୍ମପୁର ସ୍ଥିତ ଡାଇମଣ୍ଡ ଜୁବୁଲି ଟାଉନ ହଲ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ ବୋଲି ଜଣାଇ ସମନ୍ବିତ ସର୍ବେକ୍ଷଣ କାର୍ଯ୍ୟକ୍ରମ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ଆବାହକରେ ଆୟୋଜିତ ହେଉଥିବା ଅବଗତ କରାଇଥିଲେ । ବ୍ୟାପକ ସଚେତନତା ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରାଇବା ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସେ ଜଣାଇଥିଲେ । ଅନ୍ୟତମ ଅତିଥି ଭାବେ ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ସଚେତନତା ମାଧ୍ୟମରେ ଏହି କାର୍ଯ୍ୟକ୍ରମଟି ଅଧିକ କ୍ରିୟାଶୀଳ ହେବ ବୋଲି କହିଥିଲେ l ଚଳିତ ବର୍ଷ ନିୟମିତ ଟୀକା କରଣ ରୁ ବାଦ୍ ପଡିଥିବା ଏବଂ ଏହି ଯୋଜନାରୁ ବଞ୍ଚିତ ଥିବା ଲୋକଙ୍କୁ ସଠିକ୍ ସ୍କ୍ରିନିଂ କରିବା ସହିତ ହେପାଟାଇଟିସ୍-ବି ପରୀକ୍ଷା ହୋଇ ନଥିବା ଗର୍ଭବତୀ ମହିଳା ମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଆଜି ଠାରୁ ଆରମ୍ଭ ହୋଇ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିବ । ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆଶା କର୍ମୀଗଣ ସମସ୍ତ ଘରକୁ ଘର ଯାଇ ଓ.ଆର୍.ଏସ୍. ପ୍ରସ୍ତୁତି, ଜିଙ୍କର ବ୍ୟବହାର, ଏଲ୍ ଲିନ୍/ଆଇଟିଏନ୍ ର ବ୍ୟବହାର, ହାତ ଧୋଇବା, ବିପଦ ପୂର୍ଣ୍ଣ ଡାଇରିଆ, ଯକ୍ଷ୍ମା, କୁଷ୍ଠ ରୋଗ ଇତ୍ଯାଦିର ଚିକିତ୍ସା ପଦ୍ଧତି ସମ୍ପର୍କରେ ସଚେତନତା ସୃଷ୍ଟି କରିବେ । ସୁବିଧା ସ୍ତରରେ ସମନ୍ବିତ ଆଇଇସି କାର୍ଯ୍ୟକ୍ରମ ଜରିଆରେ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯାଇ ସାମଗ୍ରୀ ଗୁଡିକର ପ୍ରସ୍ତୁତି ଓ ବ୍ୟବହାର ସମ୍ପର୍କରେ ଅବଗତ କରାଇ ଦିଆଯିବ । ବିଗତ ବର୍ଷ ମାନଙ୍କରେ ପାଖାପାଖି ୮୩୮୦୦୦ ପରିବାରଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ପାଞ୍ଚ ବର୍ଷରୁ କମ୍ ବୟସର ପ୍ରାୟ ୫୦୮୬ ଜଣ ଶିଶୁଙ୍କ ଠାରେ ଡାଇରିଆ ଚିହ୍ନଟ କରାଯାଇଥିଲା ଏବଂ ସେମାନଙ୍କୁ ଓଆରଏସ୍ ଏବଂ ଜିଙ୍କ ସହିତ ଚିକିତ୍ସା କରାଯାଇଥିଲା । ସେହି ଭଳି ୨୫୬୪୦ ଜଣ ବ୍ଯକ୍ତିଙ୍କ ଠାରେ ମ୍ଯାଲେରିଆ, ଡେଙ୍ଗୁ ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ୨୫୯୫ ଜଣ ବ୍ୟକ୍ତିଙ୍କ ଠାରେ ଯକ୍ଷ୍ମା ଜନିତ ପୂର୍ବ ସୂଚନା ମିଳିଥିଲା ଏବଂ ୧୯୯୪ ଜଣଙ୍କ ଠାରେ କୁଷ୍ଠ ଜନିତ ରୋଗ ଥିବା ସନ୍ଦେହ କରାଯାଇ ସେମାନଙ୍କୁ ସଠିକ ଚିକିତ୍ସା କରାଯାଇଥିଲା । ରାଜ୍ୟର ସମସ୍ତ ଗୋଷ୍ଠୀଗତ ଏବଂ ବିଦ୍ଯାଳୟ ଗୁଡିକରେ ସଠିକ ହାତ ଧୋଇବା ପଦ୍ଧତି ସମ୍ପର୍କରେ ଶିକ୍ଷା ଦିଆଯାଇ କିଭଳି ନୀରୋଗ ରହିପାରିବେ ସେ ସମ୍ପର୍କରେ ବୁଝାଇ ଦିଆଯାଇଥିଲା । ଏହିଭଳି କାର୍ଯ୍ୟକ୍ରମ ନିହାତି ଭାବେ ସଫଳ ହେବ, ଜନସାଧାରଣ ଉପକୃତ ହେବେ ଏବଂ ସମାଜରେ ସୁସ୍ଥ ସ୍ବାସ୍ଥ୍ୟର ବାତାବରଣ ଫେରିଆସିବ ବୋଲି ଆଶା ପୋଷଣ କରାଯାଇଥିଲା । ଏହି ଦିଗରେ ଆଶାକର୍ମୀ ମାନଙ୍କର ମୁଖ୍ୟ ଭୂମିକା ରହିବ ଏବଂ ସେମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରାଇବେ ବୋଲି ବିଚାର ବିମର୍ଶ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିଥି ଭାବେ ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ବ୍ରହ୍ମପୁର ଉପଜିଲ୍ଲାପାଳ ଧୀନା ଦସ୍ତାଗିର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ l ଏହି ଅବସରରେ ଏକ ସଚେତନତା ରଥ ଶୁଭାରମ୍ଭ କରାଯାଇଥିଲା ଏବଂ ଅନେକ ହିତାଧୀକାରୀଙ୍କୁ ପୁଷ୍ଟିକର ଖାଦ୍ୟ ଏବଂ ଏମଡିଡି କୀଟ୍ ଅତିଥି ମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମରେ ବହୁ ଆଶା କର୍ମୀ, ଏଏନଏମ କର୍ମୀ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here