ବୁଗୁଡା, ୧/୭/୨୪ ଗଞ୍ଜାମ ଜିଲ୍ଲାର ଘୁମୁସର ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର କରଚୁଲି ସେକ୍ଟରରେ ୭୫ ତମ ବନ ମହୋତ୍ସବ ସପ୍ତାହ ଶୁଭାରମ୍ଭ ହୋଇଯାଇଛି। ୧୯୫୦ ମସିହାରୁ ଜାତୀୟ ସ୍ତରରେ ଜୁଲାଇ ପ୍ରଥମ ସପ୍ତାହ ଅର୍ଥାତ ଜୁଲାଇ ୧ ତାରିଖ ଠାରୁ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ବନ ମହୋତ୍ସବ ପାଳନ ହୋଇ ଆସୁଅଛି। ବିଶ୍ୱ ପରିବେଶ ଗୁରୁତ୍ତର ବିପର୍ଯ୍ୟୟ ଆଡକୁ ଗତି କରୁଥିବା ବେଳେ ପରିବେଶକୁ ସୁରକ୍ଷା ଦେବାପାଇଁ ବୃକ୍ଷ ରୋପଣ କରି ବନାନୀ ସୃଷ୍ଟି କରିବା ପ୍ରଥମ କର୍ତ୍ତବ୍ୟ। ଗୋଟିଏ ବୃକ୍ଷ ତାର ଜୀବନ କାଳ ମଧ୍ୟରେ ବାୟୁ ମଣ୍ଡଳରୁ ବିଷାକ୍ତ ବାୟୁ ଅଙ୍ଗାରକାମ୍ଳ ଗ୍ରହଣ କରିବା ସହ ଲକ୍ଷ ଲକ୍ଷ ଟଙ୍କାର ମାନବ ଓ ପ୍ରାଣୀ ମାନଙ୍କ ଜୀବନ ରକ୍ଷାକାରୀ ବାୟୁ ଅମ୍ଳଜାନ ଦେଉଅଛି। କେବଳ ଏତିକି ନୁହେଁ, ବୃକ୍ଷ ଦ୍ୱାରା ମୃତ୍ତିକା ସଂରକ୍ଷଣ ହେବାସହ ଛାୟା, ମରୁଡୁ ହ୍ରାସ, ବର୍ଷା, ବିକଳ୍ପ ଇନ୍ଧନ, ଔଷଧ ପ୍ରଭୃତି ଆମକୁ ଯୋଗାଉଅଛି। ଚଳିତ ବର୍ଷ ବନ ମହୋତ୍ସବ ସପ୍ତାହ ଉପଲକ୍ଷେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର କରଚୁଲି ସେକ୍ଟରରେ ବୃକ୍ଷ ରୋପଣ କରି ଶୁଭାରମ୍ଭ କରିଛନ୍ତି। କରଚୁଲି ସେକ୍ଟର ବନପାଳ ପଲ୍ଲବୀ ନନ୍ଦଙ୍କ ତତ୍ତ୍ୱାବଧାନରେ ୧୨୫୦୦ ବୃକ୍ଷ ରୋପଣ ପାଇଁ ଧାର୍ଯ୍ୟ ହୋଇଅଛି। ଏଥିସହ ବନାଞ୍ଚଳ ଅଧିକାରୀ ଶ୍ରୀ ମିଶ୍ର ଜନସାଧାରଣଙ୍କୁ ଚାରା ବଣ୍ଟନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ବୃକ୍ଷ ରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମରେ ବୁଗୁଡା ବନାଞ୍ଚଳର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।