ବ୍ରହ୍ମପୁର,୧୮/୦୭/୨୦୨୪:
ଲାଠୀସ୍ଥ ଉତ୍କଳ ବିଦ୍ୟାପୀଠ ସରକାରୀ ଉଚ୍ଚବିଦ୍ୟାଳୟରେ ପୁରୀ ଲୋକ ଭାଷା ପ୍ରଚାର ସମିତି ପକ୍ଷରୁ ଏକ ଦଶଦିନାତ୍ମକ ସଂସ୍କୃତ ସମ୍ଭାଷଣ ବର୍ଗ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର କୁମାର ତ୍ରିପାଠୀ ଙ୍କ ଦ୍ବାରା ଉଦ୍ଘାଟିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମିତିର ରାଜ୍ୟ ସଭାପତି ପଣ୍ଡିତ ଗୋପାଳ କୃଷ୍ଣ ପାଢ଼ୀ କହିଲେ ଯେ ସଂସ୍କୃତ ଭାଷାର ଉନ୍ନତି ବିନା ଆମ ଭାରତୀୟ ଭାଷାସମୂହ ଦୁର୍ବଳ ହୋଇଯିବେ। ନୈତିକ ମୂଲ୍ୟବୋଧର ଉତ୍ଥାନ ପାଇଁ ସଂସ୍କୃତର ଆବଶ୍ୟକତା ଯେ କେତେ ତାହା ସମସ୍ତେ ସ୍ବୀକାର କରନ୍ତି। ସମିତିର ବରିଷ୍ଠ ପ୍ରଚାରକ କାହ୍ନୁଚରଣ ପ୍ରଧାନ ଏହି ସମ୍ଭାଷଣ ବର୍ଗକୁ ସଂଚାଳନ କରୁଛନ୍ତି। ୫୦ ଜଣ ଛାତ୍ରଛାତ୍ରୀ ଏହି ବର୍ଗରେ ଯୋଗଦେଇ ସଂସ୍କୃତ ଭାଷାଶିକ୍ଷା କରୁଛନ୍ତି।ସଂସ୍କୃତ ଶିକ୍ଷୟିତ୍ରୀ ଗୀତାଞ୍ଜଳି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଛନ୍ତି।