ପୋଲସରା, ୨୧/୭/୨୪ ପୋଲସରା ବ୍ଲକ ଅନ୍ତର୍ଗତ ଧନେଇ ଜଳଭଣ୍ଡାରରୁ ଖରିଫ ଚାଷ ପାଇଁ ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୨ ତାରିଖ ଦିନ କେନାଲରେ ପାଣି ଛଡ଼ାଯିବା ପାଇଁ ସାଧାରଣ ଅଧିବେଶନରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ବିଷୟ ନେଇ ଚିରିକିପଡା ଶାସନ ଧନେଇ ଜଳସେଚନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ସୁଦର୍ଶନ ଶତପଥି ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୋଲସରା ତହସିଲଦାର ରୁବି ବେହେରା, ଚିରିକିପଡା ଶାସନ ଓ ପୋଲସରା ସହକାରୀ ଯନ୍ତ୍ରୀ ଦ୍ବୟ, ପୋଲସରା ଓ ବୁଗୁଡା କୃଷି ଅଧିକାରୀ ଦ୍ବୟ, ଚିରିକିପଡା ଶାସନ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ, ଗୋଲିଆ ପଞ୍ଚାୟତ ସରପଞ୍ଚ, କୃଷି ବିଭାଗ କର୍ମଚାରୀ ଓ କୃଷକ ବୃନ୍ଦ ସଭାରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଆସନ୍ତ ଅଗଷ୍ଟ ୨ ତାରିଖ ଦିନ ଧନେଇ ଜଳଭଣ୍ଡାରରୁ କେନାଲରେ କୃଷି କାର୍ଯ୍ୟ ପାଇଁ ପ୍ରଥମ ପର୍ଯ୍ୟାୟରେ ପାଣି ଛାଡିବାକୁ ନିଷ୍ପତ୍ତି ଗ୍ରହଣ ହେଲା, ଆବଶ୍ୟକତା ଓ ଜଳଭଣ୍ଡାରର ଗଚ୍ଛିତ ଜଳକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଜଳ ଛାଡିବାକୁ ଏବଂ ବିଭିନ୍ନ ପାଣି ପଞ୍ଚାୟତ ଅଧୀନରେ ଥିବା ସମସ୍ତ ଅନାଧିକୃତ ଆଉଟଲେଟ ଗୁଡିକୁ ବନ୍ଦ କରି ସୁସମ ଜଳ ବଣ୍ଟନ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଶେଷରେ ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ସତ୍ୟ ସୁନ୍ଦର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।