ସ୍କୁଲ୍ ବସରେ ଅଗ୍ନି ନିରାପତ୍ତା ନିୟମର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶନାମା ଜାରି।ନିୟମିତ ହେବ ଯାଞ୍ଚ, ଖୁଲାପ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ।ସମସ୍ତ ଆରଟିଓଙ୍କୁ ଚିଠି ଲେଖୁଲେ ପରିବହନ କମିସନର।ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖ୍ ପଦକ୍ଷେପ

0
69

କଟକ,୨୧/୦୭/୨୦୨୪:ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧୂକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମଭିଆର)୧୯୮୯ର ଧାରା୧୨୫ସି ଅନୁଯାୟୀ ସମସ୍ତ ସ୍କୁଲ ବସରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ସଠିକ୍ ଅନୁପାଳନ ହେବା ଅନିବାର୍ଯ୍ୟ । ଖଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିସନର ଅମିତାଭ ଠାକୁର ।ସ୍କୁଲ ବସରେ ଅଗ୍ନି ନିର୍ବାପକ ଆଲାରମ୍ (ଏଫ ଡି ଏ ଏସ), (ଏଫ ଡି ଏସ ଏସ) ଓ (ଏଫ ଏ ପି ଏସ)ବ୍ୟବସ୍ଥା ଆବଶ୍ୟକ ଭାବେ ଲାଗୁ କରିବାକୁ ବାଧ୍ୟତାମୂଳକ ନିୟମ ରହିଛି । ଅଗ୍ନି ଅଘଟଣ ରୋକିବା ଓ ମୁକାବିଲା ଦିଗରେ ଏହା ସହାୟକ ହୋଇଥାଏ । ତେଣୁ ବସରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କେନ୍ଦ୍ରୀୟ ମୋଟର ଯାନ ଆଇନ ୧୯୮୯ର ନିୟମ ୧୨୫ସି ଅନୁସାରେ ସମସ୍ତ ସ୍କୁଲ ବସରେ ଏଆଇଏସ ୧୩୫ ଆଧାରରେ ଏହି ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗୁଡ଼ିକ ସଠିକ୍ ଭାବେ ଅନୁପାଳନ ହେବା ଆବଶ୍ୟକ । ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ସହ ଅନୁବନ୍ଧିତ ହୋଇ ଛାତ୍ରଛାତ୍ରୀଙ୍କୁ ପରିବହନ କରୁଥ‌ିବା ବସ୍ ମାଲିକମାନେ ଏହି ନିୟମର ନିଶ୍ଚିତ ଅନୁପାଳନ ନିମନ୍ତେ ଆଇନରେ ପ୍ରାବଧାନ ରହିଛି ।ତେବେ ଏହା ଠିକ୍ ଭାବେ ପାଳନ ହେଉଛି କି ନାହିଁ ସେ ସଂପର୍କରେ ବିଭିନ୍ନ ସମୟରେ ପଦକ୍ଷେପ ନେଇ ଆସିଛି ରାଜ୍ୟ ପରିବହନ ପ୍ରାଧିକରଣ । ଆଗକୁ ଏହାକୁ ଅଧ‌ିକ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି । ସ୍କୁଲ ବସ୍ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯିବ । ସମସ୍ତ ଜୋନ୍‌ ଉପ ପରିବହନ ଆୟୁକ୍ତ ଏବଂ ଆଞ୍ଚଳିକ ପରିବହନ ଅଧିକାରୀମାନେ ନିୟମିତ ଭାବେ ଏହାର ଯାଞ୍ଚ କରିବେ । କୌଣସି ସ୍କୁଲ ବସ୍ ଏହାର ଉଲ୍ଲଙ୍ଘନ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ପରିବହନ କମିସନର ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ନିଜ ନିଜ ଅଞ୍ଚଳରେ ଏହି ନିୟମ ଅନୁପାଳନକୁ ସୁନିଶ୍ଚିତ କରିବାକୁ ମୋଟର ଯାନ ନିରୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ଉଲ୍ଲଙ୍ଘନ କରୁଥିବା ବସ୍ ଗୁଡ଼ିକର ଫିଟନେସ୍ ସାର୍ଟିଫିକେଟ ରଦ୍ଦ କରିବାକୁ
ନିର୍ଦ୍ଦେଶ ଦିଆଯାଇଛି । କୋମଳମତି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି କୌଣସି ଅଣଦେଖାକୁ ବରଦାସ୍ତ କରାଯିବ ନାହିଁ । ତେଣୁଏ କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପରିବହନ କମିସନର
ଅମିତାଭ ଠାକୁର ।

LEAVE A REPLY

Please enter your comment!
Please enter your name here