ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ଚତୁର୍ଥ ବାର୍ଷିକ ସମ୍ମିଳନୀ । ଅଧ୍ୟାୟୀଙ୍କ ମନରେ ଉତ୍କଣ୍ଠା ଓ ଜିଜ୍ଞାସା ସୃଷ୍ଟି କରିପାରିଲେ ଭାଷା-ସାହିତ୍ୟ ଅଧ୍ୟାପନା ସଫଳ ହେବ : ପ୍ର. ପ୍ରଧାନ

0
40

ଫୁଲବାଣୀ, ୨୮/୦୭/୨୦୨୪ : ଓଡ଼ିଆ ଭାଷା-ସାହିତ୍ୟ ଅଧ୍ୟାପନା ସେତିକି ବେଳେ ସଫଳ ହେବ, ଯେତେବେଳେ ଜଣେ ଅଧ୍ୟାପକ ବା ଅଧ୍ୟାପିକା ଶ୍ରେଣୀକକ୍ଷରେ ଅଧ୍ୟାୟୀମାନଙ୍କ ମନରେ ଉତ୍କଣ୍ଠା ଓ ଜିଜ୍ଞାସାବୋଧ ସୃଷ୍ଟି କରିବାରେ ସମର୍ଥ ହେବେ l ଶ୍ରେଣୀକକ୍ଷରେ ଅନୁକୂଳ ବାତାବରଣ ସୃଷ୍ଟି ସହ ଅଧ୍ୟାୟୀମାନଙ୍କ ମନରେ ବିଷୟ ଭିତ୍ତିକ ଉତ୍କଣ୍ଠା ଓ ଜିଜ୍ଞାସା ସୃଷ୍ଟି ଦିଗରେ ଯତ୍ନବାନ ହେବାକୁ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ପ୍ରଫେସର୍ ଡ. କୃଷ୍ଣଚନ୍ଦ୍ର ପ୍ରଧାନ ମତବ୍ୟକ୍ତ କରିଛନ୍ତି l ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ଚତୁର୍ଥ ବାର୍ଷିକ ସମ୍ମିଳନୀ ଓ ଜାତୀୟ କର୍ମଶାଳାର ଉଦ୍-ଯାପନୀ ଉତ୍ସବରେ ବିଷୟ ବିଶାରଦ ରୂପେ ଯୋଗଦେଇ ପ୍ରଫେସର୍ ପ୍ରଧାନ ଏହି ମର୍ମରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ବିଶାରଦ ଭଞ୍ଜ ସାହିତ୍ୟର ବିଶିଷ୍ଟ ବିଦ୍ୱାନ୍ ପ୍ରଫେସର୍ ବାଉରିବନ୍ଧୁ ସାହୁ, ଲୋକ ସଂସ୍କୃତିବିତ୍ ଡ. କମ୍ବୁପାଣି ସାମନ୍ତ ଓ ଡ. ରଘୁନାଥ ମେହେର ମଧ୍ୟକାଳୀନ ଓଡ଼ିଆ ସାହିତ୍ୟର ଅଧ୍ୟାପନା ଶୈଳୀ ସଂପର୍କରେ ସବିଶେଷ ଆଲୋକପାତ କରିଥିଲେ l
ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ଅଧ୍ୟାପକଙ୍କ ଜ୍ଞାନ ପରିବର୍ଦ୍ଧନ, ଅଧ୍ୟାପନା ଦକ୍ଷତା ବୃଦ୍ଧି, ଶିକ୍ଷାଦାନ କୌଶଳରେ ଅଭିନଵତା, ଉଭୟ ପ୍ରାଚୀନ ଓ ସଦ୍ୟତନ ଜ୍ଞାନ-ବିଜ୍ଞାନ ସହିତ ଆତ୍ମିକ ଭାବେ ପରିଚିତି ଉଦ୍ଦେଶ୍ୟରେ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀ ଆନୁକୂଲ୍ୟରେ ଆୟୋଜିତ ଜାତୀୟ କର୍ମଶାଳାରେ ଏହି ମତ ପ୍ରକାଶ ପାଇଛି l ଫୁଲବାଣୀ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଜୁଲାଇ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ଚତୁର୍ଥ ବାର୍ଷିକ ସମ୍ମିଳନୀ ଓ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା l ଏହି ଜାତୀୟ କର୍ମଶାଳାର ଉଦ୍ଘାଟନୀ ଉତ୍ସବରେ ସଂଗୋଷ୍ଠୀର ସଭାପତି ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ ପୌରୋହିତ୍ୟ କରିଥିଲେ l ‘ସାହିତ୍ୟ, ସର୍ଜନା ଓ ଶିକ୍ଷାଦାନ ଶୈଳୀ’ ଶୀର୍ଷକ ଏହି ଜାତୀୟ କର୍ମଶାଳାରେ ଛଅଟି ବୈଷୟିକ ଅଧିବେଶନରେ ବହୁ ବିଶିଷ୍ଟ ବିଶାରଦ ଓ ରାଜ୍ୟର ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରୁ ଆସିଥିବା ଉଦୀୟମାନ ଅଧ୍ୟାପକ ଓ ଗବେଷକମାନେ ଯୋଗଦେଇ ଉପର୍ଯ୍ୟୁକ୍ତ ପ୍ରସଙ୍ଗରେ ଦୁଇ ଦିନ ଧରି ସବିଶେଷ ଆଲୋଚନା କରିଥିଲେ l ସଂଗୋଷ୍ଠୀର ସଂପାଦକ ଶାନ୍ତି ନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର୍ ଡ. ଶରତ କୁମାର ଜେନା ସମ୍ମିଳନୀ ଓ କର୍ମଶାଳାର ଆଭିମୁଖ୍ୟ ସଂପର୍କରେ ସୂଚନା ପ୍ରଦାନ କରିଥିଲେ lଉଦଘାଟନୀ ଉତ୍ସବରେ ଭଞ୍ଜ ସାହିତ୍ୟର ବିଶିଷ୍ଟ ବିଦ୍ୱାନ୍ ପ୍ରଫେସର୍ ବାଉରିବନ୍ଧୁ ସାହୁ ଉଦ୍ଘାଟକ ରୂପେ ଯୋଗଦେଇ ଓଡ଼ିଆ ଭାଷା-ସାହିତ୍ୟ ଅଧ୍ୟାପନାର ଧାରା, ପଦ୍ଧତି, ପ୍ରଣାଳୀ ଓ ଶୈଳୀ ସଂପର୍କରେ ନିଜ ଅନୁଭୂତିରୁ ଆଲୋଚନା କରିଥିଲେ l ଏହି ଉତ୍ସବରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ପରିଦର୍ଶକ ପ୍ରଫେସର୍ ଡ. କୃଷ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ରୂପେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଅଧ୍ୟାପନାର ପାଠ୍ୟଦାନ ଶୈଳୀରେ ଅଧ୍ୟାପକୀୟ ସର୍ଜନଶୀଳତା ସମ୍ବନ୍ଧରେ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ପ୍ରଦାନ କରିଥିଲେ l ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ପ୍ରାକ୍ତନ ନିର୍ଦ୍ଦେଶକ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଉପ-ନିର୍ଦ୍ଦେଶକ ସୁଶାନ୍ତ ଦାସ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ୱାଳ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଓଡ଼ିଆ ଅଧ୍ୟାପକଙ୍କ ଶିକ୍ଷାଦାନ ଦକ୍ଷତା ବୃଦ୍ଧି ନେଇ ମାର୍ଗଦର୍ଶନ କରିଥିଲେ l ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ସୁବାସ ଚନ୍ଦ୍ର ପ୍ରଧାନ ସ୍ୱାଗତ ଭାଷଣ ଏବଂ ମହାବିଦ୍ୟାଳୟ ଅଭ୍ୟନ୍ତରୀଣ ଗୁଣବତ୍ତା ପ୍ରମାଣନ ପ୍ରକୋଷ୍ଠ ସଂଯୋଜକ ଡ. ଶ୍ରୀନିବାସ ଆଚାର୍ଯ୍ୟ ପ୍ରାକ୍-ସୂଚନା ପ୍ରଦାନ କରିଥିଲେ l ଶେଷରେ ଓଡ଼ିଆ ଅଧ୍ୟାପକ ସଂଗୋଷ୍ଠୀର ଆଞ୍ଚଳିକ ସଂଯୋଜକ ଡ. ଚନ୍ଦ୍ରଶେଖର ଦାସ ଧନ୍ୟବାଦ ଅର୍ପଣ କରିଥିଲେ l
‘ସାହିତ୍ୟର ସ୍ୱରୂପ ଓ ପରିଭାଷା’ ଶୀର୍ଷକ ପ୍ରଥମ ବୈଷୟିକ ଅଧିବେଶନ ଡ. ନଳିନୀ କୁମାର ପାଣିଗ୍ରାହୀ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା l ଏହି ଅଧିବେଶନରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ କୃତ୍ତିବାସ ବିଶ୍ୱାଳ, ଡ. ରାଧାଗୋବିନ୍ଦ ପାଢ଼ୀ, ସାମନ୍ତିଆପଲ୍ଲୀ ଶ୍ରୀ ଭରତ ପତି ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଡ. ଅଶୋକ କୁମାର ପଣ୍ଡା ଓ କେ.ଏସ୍. ୟୁ.ବି. ମହାବିଦ୍ୟାଳୟ ଓଡ଼ିଆ ବିଭାଗ ଅଧ୍ୟାପିକା ରୋଜାଲିନ୍ ମହାରଣା ପ୍ରମୁଖ ଆଲୋଚକ ରୂପେ ଯୋଗଦେଇ ଏହି ବିଷୟରେ ଆଲୋଚନା କରିଥିଲେ l
‘ସର୍ଜନଶୀଳତାରେ ଆଧାର ଓ ଅନୁଷଙ୍ଗ’ ଶୀର୍ଷକ ଦ୍ଵିତୀୟ ବୈଷୟିକ ଅଧିବେଶନରେ ସଂଚାଳନା କରିଥିଲେ ନରେନ୍ଦ୍ରପୁର କେ.ଏମ୍. ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟାପକ ଡ. ହୃଷୀକେଶ ପଣ୍ଡା l ଏହି ଅଧିବେଶନରେ ବିଶିଷ୍ଟ ଗବେଷକ ଡ. ଲମ୍ବୋଦର ପାଣିଗ୍ରାହୀ, ରେଭେନ୍ସା ଏକକ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ବିଭାଗ ସହକାରୀ ପ୍ରଫେସର୍ ଡ. ଜ୍ଞାନୀ ଦେବାଶିଷ ମିଶ୍ର, ଡୁରା ରାମ ନାରାୟଣ ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ଡ. ବନମାଳୀ ପାଣିଗ୍ରାହୀ ପ୍ରମୁଖ ଆଲୋଚକ ରୂପେ ଅଧ୍ୟାପକୀୟ ସର୍ଜନଶୀଳତା ଓ ତା’ର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ l
‘ସାହିତ୍ୟ ଓ ସର୍ଜନଶୀଳତା’ ଶୀର୍ଷକ ତୃତୀୟ ବୈଷୟିକ ଅଧିବେଶନରେ ସଂଚାଳନା କରିଥିଲେ ଚିକିଟୀ ମହାବିଦ୍ୟାଳୟ ଓଡ଼ିଆ ଅଧ୍ୟାପକ ଡ. ସଞ୍ଜୟ କୁମାର ପଣ୍ଡା l ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଦକ୍ଷିଣାଞ୍ଚଳ ସଚିବ ତଥା ଓଡ଼ିଆ ବିଭାଗର ସହକାରୀ ପ୍ରଫେସର୍ ଡ. କୁଳମଣି ଓଝା, ଅଧ୍ୟାପକ ହୃଷୀକେଶ ମହାଖୁଡ଼, ଅଧ୍ୟାପକ ଦୀପୁନ୍ ପୁହାଣ ପ୍ରମୁଖ ଉପର୍ଯ୍ୟୁକ୍ତ ପ୍ରସଙ୍ଗରେ ବିସ୍ତାରିତ ଆଲୋଚନା କରିଥିଲେ l
ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଓ ଡ. କୁଳମଣି ଓଝା ପାରମ୍ପରିକ ଚଉପଦୀ, ଚମ୍ପୂ ଓ ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ l ସଂଗୀତ ସାଧନା ଅନୁଷ୍ଠାନର କଳାକାରମାନେ କଣ୍ଠ ସଂଗୀତ ପରିବେଷଣ କରିଥିବା ବେଳେ ନଟରାଜ କଳା ମନ୍ଦିରର ନୃତ୍ୟଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ l
୨୮ ତାରିଖ ଦ୍ଵିତୀୟ ଦିବସର ତିନିଟି ବୈଷୟିକ ଅଧିବେଶନର ସଂଯୋଜନା କରିଥିଲେ ସଂଗୋଷ୍ଠୀର ସଂପାଦକ ଡ. ଶରତ କୁମାର ଜେନା l ‘ସାହିତ୍ୟ ଶିକ୍ଷାଦାନ ଶୈଳୀ’, ‘ଆଧୁନିକ ସାହିତ୍ୟ ଶିକ୍ଷାଦାନ ଶୈଳୀ’ ଓ ‘ଅଧ୍ୟାପନା ଦକ୍ଷତାର ବିଭିନ୍ନ ଦିଗ’ ଶୀର୍ଷକ ବୈଷୟିକ ଅଧିବେଶନରେ ଭଞ୍ଜ ସାହିତ୍ୟ ବିଶାରଦ ଡ. କମ୍ବୁପାଣି ସାମନ୍ତ, ପ୍ରଫେସର୍ ବାଉରିବନ୍ଧୁ ସାହୁ, ପ୍ରଫେସର୍ କୃଷ୍ଣଚନ୍ଦ୍ର ପ୍ରଧାନ, ଡ. ରଘୁନାଥ ମେହେରେ ପ୍ରମୁଖ ବିଷୟ ବିଶାରଦ ରୂପେ ଓଡ଼ିଆ ଅଧ୍ୟାପକ, ଅଧ୍ୟାପିକାଙ୍କୁ ମାର୍ଗଦର୍ଶନ କରିଥିବା ବେଳେ ଡ. ରଞ୍ଜିତ କୁମାର ପରିଡ଼ା, ଡ. ପ୍ରଦୀପ କୁମାର ମିଶ୍ର, ଡ. ପୁଷ୍ପଲତା ରଥ, ଡ. କୃଷ୍ଣପ୍ରସାଦ ମହାପାତ୍ର, ଡ. ରମେଶ ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ଧର୍ମେନ୍ଦ୍ର କୁମାର ପାତ୍ର, ଅଧ୍ୟାପିକା ସସ୍ମିତା ଲୋହାର, ଡ. ପ୍ରସନ୍ନ କୁମାର ବିଷୋୟୀ ପ୍ରମୁଖ ଭିନ୍ନ ଭିନ୍ନ ଦିଗରୁ ଉପର୍ଯ୍ୟୁକ୍ତ ପ୍ରସଙ୍ଗରେ ଆଲୋଚନା କରିଥିଲେ l ଶେଷରେ ସଂଗୋଷ୍ଠୀର ଉପ-ସଭାପତି ଡ. ବନମାଳୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ସମ୍ମିଳନୀରେ ୧୫୦ରୁ ଊର୍ଦ୍ଧ୍ଵ ଓଡ଼ିଆ ଅଧ୍ୟାପକ, ଅଧ୍ୟାପିକା, ପଚାଶରୁ ଊର୍ଦ୍ଧ୍ଵ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ l ଏହି ଜାତୀୟ କର୍ମଶାଳା ପରିଚାଳନାରେ ଡ. ଦୀନବନ୍ଧୁ ମହାନ୍ତି, ଡ. ବିରୁପାକ୍ଷ ତ୍ରିପାଠୀ ଓ ଡ. ଚନ୍ଦ୍ରଶେଖର ଦାସ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here