ପାରଳାଖେମୁଣ୍ଡି,୦୩/୦୮/୨୦୨୪:
ଓଡିଶାର ହିମାଳୟ ମହେନ୍ଦ୍ରଗିରିକୁ କରାଯିବ ତୀର୍ଥକ୍ଷେତ୍ର, ରାମାୟଣ ସର୍କିଟରେ ସ୍ଥାନିତ, ଜିଲ୍ଲା ପ୍ରଶାସନ ସହ ପରିବହନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ।ଓଡିଶାର ହିମାଳୟ ଭାବେ ପରିଚିତ ମହେନ୍ଦ୍ରଗିରି ପର୍ବତ।ଗଞ୍ଜାମ – ଗଜପତି ଜିଲ୍ଲା ସୀମାନ୍ତର ସମୁଦ୍ର ପତ୍ତନ ଠାରୁ ପାଖାପାଖି ୭ହଜାର ଫୁଟ ଉଚ୍ଚରେ ଅବସ୍ଥିତ ଏହି ପର୍ବତ।
କେଉଁ ପୁରାଣ କାଳରୁ ଏହି ପର୍ବତ ଗୁରୁତ୍ୱ ବହନ କରୁଥିବା ବେଳେ ଏବେ ଏହାର ବିକାଶକୁ ତ୍ୱରାନ୍ୱିତ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର।ରାମାୟଣ ଓ ମହାଭାରତ ସହ ଜଡିତ ମହେନ୍ଦ୍ରଗିରି। ଗଜପତି ଜିଲ୍ଲାରେ ଅବସ୍ଥିତ ମହେନ୍ଦ୍ରଗିରିର ବିକାଶ ପାଇଁ ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଶୁକ୍ରବାର ଦିନ ରାଜ୍ୟ ପରିବହନ, ବାଣିଜ୍ୟ, ଖଣି ଓ ଇସ୍ପାତ ବିଭାଗ ମନ୍ତ୍ରୀ ବିଭୁତି ଭୂଷଣ ଜେନା ମହେନ୍ଦ୍ରଗିରି ଗସ୍ତ କରିଥିଲେ। ମହେନ୍ଦ୍ରଗିରିର ବିକାଶ ପାଇଁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି।ଏ ନେଇ ଗଜପତି ଜିଲ୍ଲା ପ୍ରଶାସନ ସହ ଏକ ସମୀକ୍ଷା ବୈଠକ କରିଥିଲେ।ମନ୍ତ୍ରୀଙ୍କ ସମେତ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ, ମୋହନା, ଖଣ୍ଡପଡା ବିଧାୟକ ଗସ୍ତ କରି ବିକାଶ ନେଇ ଆଲୋଚନା କରିଥିଲେ।ମହେନ୍ଦ୍ରଗିରିର ସୁରକ୍ଷା ଓ ବିକାଶ କରିବାକୁ ହେଲେ ଏହାକୁ ତୀର୍ଥସ୍ଥଳୀ ଭାବେ ସ୍ଥାପନା କରାଯିବ ବୋଲି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି।ଏହାର ମହତ୍ୱ ଅଧିକ,ଏହାକୁ ରାମାୟଣ ସର୍କିଟରେ ଭାରତ ସରକାର ସ୍ଥାନିତ କରିଛନ୍ତି।ଏବେ ଏହାକୁ ପର୍ଯ୍ୟଟନ ସ୍ଥଳୀ ଭାବେ ନକରି ତୀର୍ଥସ୍ଥଳୀ ଭାବେ ସ୍ଥାପନା କରାଯିବ।ମହେନ୍ଦ୍ରଗିରିରୁ ପୁରୀ ପର୍ଯ୍ୟନ୍ତ ବସ ଚଳାଚଳର ବ୍ୟବସ୍ଥା କରାଯିବ।ଯେମିତିକି ଭକ୍ତ ମାନେ ତପ – ଜପର ସାନିଧ୍ୟ ଲାଭ କରିବାରେ ସୁବିଧା ପାଇ ପାରିବେ। ସେଥିପ୍ରତି ଧ୍ୟାନ ଦିଆ ଯାଉଛି ବୋଲି ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି।ଅନ୍ୟପଟେ ଏଭଳି ମହତ୍ୱ ସ୍ଥାନର ସୁରକ୍ଷା ଓ ବିକାଶ ନେଇ ଏହାକୁ ତୀର୍ଥସ୍ଥଳୀ ଭାବେ ସ୍ଥାପନା କରିବାକୁ ଦାବୀ ଜଣାଇଥିଲି ବୋଲି କହିଛନ୍ତି ମୋହନା ବିଧାୟକ ଦାସୀରଥୀ ଗମାଙ୍ଗ।ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଭାୟା ପାତ୍ରପୁର, ଜରଡ଼ା, ତୁମ୍ବା ରାସ୍ତାରେ ଗଲେ ମହେନ୍ଦ୍ରଗିରିରେ ପହଂଚିବାକୁ ହୁଏ। ସେପଟେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି, ମହେନ୍ଦ୍ରଗଡ଼ କଇଁପୁର, ବୁରିଖତ ରାସ୍ତାରେ ଗଲେ ମହେନ୍ଦ୍ରଗିରି ପହଞ୍ଚିବାକୁ ହୁଏ। ଗଞ୍ଜାମ, ଗଜପତି ସହ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ମଧ୍ୟ ବହୁ ଭକ୍ତ ଏଠାକୁ ଆସିଥାନ୍ତି। ଭୀମ, କୁନ୍ତୀ, ଅର୍ଜୁନ, ଯୁଧିଷ୍ଠିର, ହନୁମାନ ପ୍ରଭୃତି ମନ୍ଦିର ଏଠାରେ ରହିଛି। ନୀଳମାଧଵ ମଧ୍ୟ ଏଠାରେ ପୂଜା ପାଉଛନ୍ତି। ପର୍ଶୁରାମ ଏଠାରେ ସବୁବେଳେ ବିଦ୍ୟମାନ ବୋଲି ବିଶ୍ୱାସ ରହିଛି। ମହେନ୍ଦ୍ରଗିରି ତପ ସ୍ଥଳୀ ଭାବେ ପରିଚିତ।ଏଥିପାଇଁ ଏହାର ବିକାଶ ନିଶ୍ଚିତ ଭାବେ ହେବ। ଏହାକୁ ତୀର୍ଥସ୍ଥଳୀ ଭାବେ ପରିଣତ କରିବାକୁ ସରକାର ସମସ୍ଥ ପ୍ରକାର ପଦକ୍ଷେପ ଗ୍ରହଣ କରିବେ ବୋଲି କହିଛନ୍ତି ଦୁଇ ବିଧାୟକ।କଥାରେ ଅଛି ବାର ବାର ପୁରୀ, ଗୋଟିଏ ଥର ମହେନ୍ଦ୍ରଗିରି। ଏହାର ବିକାଶ ଓ ସୁରକ୍ଷା ଦିଗରେ ରାଜ୍ୟ ସରକାର ଅଣ୍ଟା ଭିଡି ଥିବା ବେଳେ ତୀର୍ଥସ୍ଥଳୀର ମାନ୍ୟତା କେବେ ମିଳୁଛି, ତାକୁ ହିଁ ଏବେ ଅପେକ୍ଷା।ପ୍ରାଚୀନ କିମ୍ବଦନ୍ତୀ ଏବଂ ଐତିହରେ ଭରପୁର ମହେନ୍ଦ୍ରଗିରି। ଭଗବାନ ପରଶୁରାମ ଏବଂ ବହୁ ମହାପୁରୁଷଙ୍କ ତପସ୍ୟାସ୍ଥଳୀ ତଥା ମହାଭାରତ, ରାମାୟଣର ବିଭିନ୍ନ ଉପାଖ୍ୟାନରେ ବର୍ଣ୍ଣିତ ଏହି ପର୍ବତକୁ ଆଦି ହିମାଳୟ କୁହାଯାଏ। ଏହି ସ୍ଥାନ କେନ୍ଦ୍ର ସରକାରଙ୍କ ରାମାୟଣ ସର୍କିଟରେ ମଧ୍ୟ ସ୍ଥାନ ପାଇଛି। କେବଳ କିମ୍ବଦନ୍ତୀ ନୁହେଁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ ମେଘୁଆ ସାଙ୍ଗକୁ ଥଣ୍ଡା ପରିବେଶ। ଶୁକ୍ରବାର ଦିନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ସମେତ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ ସ୍ୱାଇଁ, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ ଓ ସ୍ଥାନୀୟ ନେତାଙ୍କ ସହ ଗଜପତି ଜିଲ୍ଲା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ,ରାୟଗଡା ତହସିଲଦାର ସଦାଶିବ ଭ୍ରାତ୍ରା ,ଡିଏଫ୍ଓ ଏସ୍.ଆନନ୍ଦ ଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଯୋଗ ଦେଇ ଦିବ୍ୟଭୂମିର ଦର୍ଶନ କରିବା ସହ କିପରି ସ୍ଥାନର ଆଧ୍ୟାତ୍ମିକ ବିକାଶ ହେବ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ମହେନ୍ଦ୍ରଗିରିର ବିକାଶ ପାଇଁ ରାଜ୍ୟ ସରକାର ସୁଚିନ୍ତିତ ପଦକ୍ଷେପ ଗ୍ରହଣ କରିଛନ୍ତି : ମନ୍ତ୍ରୀ ବିଭୂତି...