ଆଜି ଠାରୁ କଳାବ୍ୟାଚ ପିନ୍ଧି ନସିଂ ଅଫିସର ମାନଙ୍କର ରାଜ୍ୟ ବ୍ୟାପି ପ୍ରତିବାଦ

0
49

ଭୁବନେଶ୍ୱର,୧୪/୦୮/୨୦୨୪: ସରକାର ନସିଂ ଅଫିସର ମାନଙ୍କୁ ଉପେକ୍ଷା କରୁଥିବାରୁ ଆଜି ରାଜ୍ୟ ବ୍ୟାପି ନସିଂ ଅଫିସର ମାନେ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି | ଯଦିଓ ରାଜ୍ୟ ସରକାରଙ୍କୁ
ସଙ୍ଘ ତରଫରୁ ବାରମ୍ବାର ଦାବି ଉପସ୍ଥାପନା କରାଯାଉଛି କିନ୍ତୁ ନାର୍ଯ୍ୟ ଦାବି ଗୁଡିକ ବାବଦରେ ସରକାର କୌଣସି ପୁଙ୍ଖାନୁପୁଙ୍ଖ ଆଲୋଚନା ନକରି ନସିଂ ଅଫିସର ମାନଙ୍କୁ ନିରାଶ କରୁଛନ୍ତି,ଯାହାଫଳରେ ରାଜ୍ୟର ହଜାର ହଜାର ନସିଂ ଅଫିସରମାନେ ଉପଯୁକ୍ତ ଅଧିକାରରୁ ବଞ୍ଚିତ ହେଉଛନ୍ତି | ପ୍ରକାଶଯୋଗ୍ୟ ଯେ, ସଙ୍ଘ ତରଫରୁ ଗତ ଜୁଲାଇ ୫ ତାରିଖରେ ଦିଆଯାଇଥ‌ିବା ୧୦ ଦଫା ଦାବିଗୁଡିକ ଉପରେ ରାଜ୍ୟ ସରକାର କୌଣସି ଠୋସ ନିଷ୍ପତ୍ତି ନେଇ ନାହାନ୍ତି ଏବଂ ଦାବି ଗୁଡିକୁ ପୂରଣ କରିବା ନିମନ୍ତେ ସଙ୍ଘକୁ କୌଣସି ପ୍ରତିଶୃତି ମିଳି ନାହିଁ ଯାହା ଫଳରେ ବିଭିନ୍ନ ବର୍ଗର ନସିଂ କର୍ମଚାରୀମାନେ ନିରାଶ ହେବା ସହିତ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି | ତେଣୁ ଆଜି ଠାରୁ ରାଜ୍ୟର ସମସ୍ତ ନସିଂ ଅଫିସର ଶାନ୍ତିପୂର୍ଣ ଭାବରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି | ଆସନ୍ତା କାଲି ସ୍ଵାଧୀନତା ଦିବସ ଉପଲକ୍ଷେ ଗୋଟିଏ ଦିନ ପାଇଁ କୌଣସି ନସିଂ ଅଫିସର କଳା ବ୍ୟାଚ ପିନ୍ଧିବେନି ବୋଲି ରାଜ୍ୟ ସଙ୍ଘ ତରଫରୁ ନିଷ୍ପତ୍ତି ନିଆଯାଇଛି ଏବଂ ଆସନ୍ତା ୧୬ ତାରିଖରୁ ନିର୍ଧାରିତ ପ୍ରତିବାଦକୁ ପୁନଃ ଆରମ୍ଭ କରାଯିବ ବୋଲି ସଙ୍ଘ ତରଫରୁ ନିଷ୍ପତ୍ତି ହୋଇଅଛି | ସୂଚନା ଯୋଗ୍ୟ ଯେ ଆସନ୍ତା ୨୧ ତାରିଖରୁ ରୋଗୀ ସେବାରେ ବାଧା ନଦେଇ ବିଭିନ୍ନ ହସ୍ପିଟାଲର ଅଧିକାରୀଙ୍କ ଅଫିସ ସାମ୍ନାରେ ଆନ୍ଦୋଳନ କରିବେ ବୋଲି ସଙ୍ଘ ତରଫରୁ ନିଷ୍ପତ୍ତି ନିଆଯାଇଅଛି ଏବଂ ଯଦି ରାଜ୍ୟ ସରକାର ଦାବି ଗୁଡିକ ଉପରେ କର୍ଣପାତ କରିବେ ନାହିଁ ତେବେ ଆସନ୍ତା ୨୩ ତାରିଖରେ ଭୁବନେଶ୍ବର ଠାରେ ୧୦ ହଜାର ନସିଂ କର୍ମଚାରୀ ମାନେ ଜନ ସମାବେଶ କରିବେ ବୋଲି ଗତ ୪ ତାରିଖରେ ହୋଇଥିବା ସାଧାରଣ ପରିଷଦରେ ନିଷ୍ପତ୍ତି ହୋଇଅଛି ଏବଂ ୨୭ ତାରିଖରୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ
ବୋଲି ନିଷ୍ପତ୍ତି ନିଆଯାଇଛି | ରୋଗୀ ସେବାକୁ ପ୍ରାଧାନ୍ୟ ଦେଇ ସରକାରଙ୍କ ପ୍ରତିଶୃତିକୁ ସଙ୍ଘ ବାରମ୍ବାର ସମ୍ମାନ ଜଣାଇ ଆସିଅଛି କିନ୍ତୁ ଦାବି ପୂରଣ ଦିଗରେ ସରକାରଙ୍କ ନୀରବତା ପାଇଁ
ଆଗାମୀ ଦିନରେ ସମସ୍ତ ନସିଂ ଅଫିସର କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି
ନେଇଛନ୍ତି ଯାହା ଫଳରେ ରୋଗୀ ସେବା ବାଧାପ୍ରାପ୍ତ ହେବ ବୋଲି ଆଶଙ୍କା କରାଯାଉଅଛି |
ଦାବି ଗୁଡିକ ମଧ୍ୟରେ ବରିଷ୍ଠ ନସିଂ ଅଫିସର ମାନଙ୍କର ୨୦୧୩ ପୂର୍ବରୁ ଥିବା ଛଅ ବର୍ଷ ଚୁକ୍ତି ଭିତ୍ତିକ ଚାକିରୀ ସୀମାକୁ ମୁଳ ଚାକିରୀରେ ମିଶାଇବା, ନସିଂ ଅଫିସରମାନଙ୍କୁ ବରିଷ୍ଠତା
ଭିତିରେ ପ୍ରୋମୋସନାଲ୍ ପୋଷ୍ଟରେ ନିଯୁକ୍ତି ଦେବା, ନସିଂ ଅଫିସର ମାନଙ୍କୁ ସି. ଏଚ. ଓ ପୋଷ୍ଟରୁ ଫେରାଇ ଆଣି ରାଜ୍ୟରେ ଖାଲି ପଡିଥିବା ବିଭିନ୍ନ ହସ୍ପିଟାଲରେ ନିୟୋଜିତ କରିବା ଏବଂ ନସିଂ ଅଫିସର ମାନଙ୍କର ଡ୍ରେସ କୋଡ଼ ପରିବର୍ତ୍ତନ କରିବା ଏବଂ ନସିଂ ଅଫିସର ମାନଙ୍କର ଛୁଟି ବାବଦରେ ଥ‌ିବା ଅସଙ୍ଗତିକୁ ଦୂର କରିବା ନିମନ୍ତେ ୟୁନିଭର୍ସାଲ୍ ନିୟମ ତିଆରି କରିବା ଇତ୍ୟାଦି ବିଭିନ୍ନ ପ୍ରମୁଖ ଦାବି ରହିଛି |ପ୍ରକାଶଯୋଗ୍ୟଯେ, ଚୁକ୍ତିଭିତ୍ତିକ ପ୍ରଥା ଉଛେଦ
ହେବାପରେ ବରିଷ୍ଠ ନସିଂ ଅଫିସର ମାନଙ୍କ ପ୍ରତି ସରକାର ଅବିଚାର କରିଛନ୍ତି ବୋଲି ସଙ୍ଘ ଦାବି କରିଆସୁଅଛି କିନ୍ତୁ ଏହାକୁ ସରକାର କର୍ଣପାତ କରୁନାହାନ୍ତି ବୋଲି ସଙ୍ଘ ତରଫରୁ ସୂଚନା ଦିଆଯାଇଅଛି | ପୁନଶ୍ଚ, ବିଭିନ୍ନ ହସ୍ପିଟାଲରେ ନସିଂ ଅଫିସର ଅଭାବଥ‌ିବା ବେଳେ , ନୂତନ ଭାବରେ ନିଯୁକ୍ତି କରାଯାଉଥ‌ିବା ନସିଂ ଅଫିସର ମାନଙ୍କୁ ସି. ଏଚ. ଓ ପୋଷ୍ଟରେ ବିଭିନ୍ନ ଉପ-କେନ୍ଦ୍ରରେ ନିୟୋଜିତ କରାଯାଉଛି ଯାହାକୁ ସଙ୍ଘ ଘୋର ବିରୋଧ କରୁଅଛି ଏବଂ ହସ୍ପିଟାଲକୁ ଆସୁଥ‌ିବା ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦେବା ପାଇଁ ଉପକେନ୍ଦ୍ରରେ ସି. ଏଚ. ଓ ପୋଷ୍ଟରେ ନିୟୋଜିତ ହୋଇଥିବା ନସିଂ ଅଫିସର ମାନଙ୍କୁ ମୂଳ ପୋଷ୍ଟକୁ ଫେରାଇ ଆଣି
ସେମାନଙ୍କୁ ଖାଲି ପଡିଥ‌ିବା ସ୍ବାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ କରାଯାଉ ବୋଲି ସଙ୍ଘ ଦାବି କରୁଅଛି |ନସିଂ ସେବା ଏକ ଜରୁରୀ କାଳୀନ ସେବା ହୋଇଥିଲେ ମଧ୍ୟ ସରକାରୀ ନିୟମ ଅନୁସାରେ ବିଭିନ୍ନ ଆଉଟସୋର୍ସିଂ ସଂସ୍ଥା ମାଧ୍ୟମରେ ନସିଂ ଅଫିସରମାନଙ୍କୁ ନିୟୋଜିତ କରାଯାଉଛି,ଯାହାକୁ ସଙ୍ଘ ଘୋର ବିରୋଧ କରିବା ସହିତ ନିନ୍ଦା କରୁଅଛି | ଯଦିଓ ବର୍ତ୍ତମାନ ଚାଲିଥିବା ପ୍ରତିବାଦ ରେ କୌଣସି ରୋଗୀ ସେବାରେ ବାଧା ଦିଆଯାଉନାହିଁ କିନ୍ତୁ ଆସନ୍ତା ୨୭ ତାରିଖରୁ ରୋଗୀସେବା ବାଧାପ୍ରାପ୍ତ ହେବା ସହିତ ଆଗକୁ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ସଙ୍ଘର ରାଜ୍ୟ ସଭାନେତ୍ରୀ ଶୁଚିସ୍ମିତା ଦାଶ ଏବଂ ରାଜ୍ୟ ସମ୍ପାଦକ ଅଶ୍ବିନୀ କୁମାର ଦାସ ସୂଚନା ଦେଇଛନ୍ତି |

LEAVE A REPLY

Please enter your comment!
Please enter your name here