ବ୍ରହ୍ମପୁର,୨୧/୦୮/୨୦୨୪:
ରକ୍ଷାବନ୍ଧନର ପୁଣ୍ୟ ଅବସରରେ ବ୍ରହ୍ମପୁର ସେଣ୍ଟ ଜାଭିଏର୍ସ ହାଇସ୍କୁଲର କିଛି ବିଦ୍ୟାର୍ଥୀ ମହାମହିମ ରାଷ୍ଟ୍ରପତିଙ୍କୁ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ସାକ୍ଷାତକାର କରିଛନ୍ତି। ଛାତ୍ରଛାତ୍ରୀ ମାନେ ହେଲେ ବ୍ରହ୍ମପୁର ସେଣ୍ଟ ଜାଭିଏର୍ସ ହାଇସ୍କୁଲର
ନବମ ଶ୍ରେଣୀ ଛାତ୍ରୀ ପବିତ୍ରା ଶବର, ଅଷ୍ଟମ ଶ୍ରେଣୀ ଛାତ୍ରୀ ଲିପିକା ଦଳପତି, ସପ୍ତମ ଶ୍ରେଣୀ ଛାତ୍ର ରମେଶ ପାଇକ ଏବଂ ଆମ୍ବପୁଆ ସ୍ଥିତ ସେଣ୍ଟ ଜାଭିଏର୍ସ ହାଇସ୍କୁଲର ତୃତୀୟ ଶ୍ରେଣୀ ଛାତ୍ର ଆଦ୍ୟାଂଶ ପଟ୍ଟନାୟକ, ନବମ ଶ୍ରେଣୀ ଛାତ୍ରୀ ଇତିଶ୍ରୀ ବେହେରା ରକ୍ଷାବନ୍ଧନ ଅବସରରେ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ।ରାଷ୍ଟ୍ରପତି ଭବନ ଠାରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମର୍ମୂଙ୍କୁ ସାକ୍ଷାତ କରିବାର ଏକ ବିରଳ ସୌଭାଗ୍ୟ ଅର୍ଜ୍ଜନ କରିଛନ୍ତି।ସ୍କୁଲ ମ୍ୟାନେଜମେଣ୍ଟ ଦ୍ବାରା ଆୟୋଜିତ ଏହି ଏଜୁକେସନାଲ୍ ଟ୍ରିପରେ ବୁଲିବାକୁ ଯାଇଥିଲେ।ବିଦ୍ୟାର୍ଥୀମାନେ ରାଷ୍ଟ୍ରପତିଙ୍କ ସହ ମିଶି ଫଟୋ ଉଠାଇବା ସହିତ ରାଷ୍ଟ୍ରପତି ଭବନ ପରିସରରେ ବୁଲିବା ଏବଂ ସମୁଚିତ ବ୍ୟବସ୍ଥାଗୁଡ଼ିକୁ ଉପଭୋଗ କରିବାର ସୌଭାଗ୍ୟ ପାଇଥିଲେ। ରାଷ୍ଟ୍ରପତି ସେମାନଙ୍କୁ କଠୋର ପରିଶ୍ରମ କରି ଜଣେ ଜଣେ ସଫଳ ମଣିଷ ହେବା ସହିତ ଦେଶ, ସ୍କୁଲ ଓ ପରିବାରକୁ ଗୌରବାନ୍ବିତ କରିବା ପାଇଁ ଉପଦେଶ ପ୍ରଦାନ କରିଥିଲେ। ସେଣ୍ଟ ଜାଭିଏର୍ସ ହାଇସ୍କୁଲ ସମୂହ ସାଉଥ ଜୋନର ସହ ନିର୍ଦ୍ଦେଶକ ଇଂ କୁନାଲ କୌଶିକ ପଣ୍ଡା ବିଦ୍ୟାର୍ଥୀମାନଙ୍କୁ ନେଇ ରାଷ୍ଟ୍ରପତି ଭବନ ଭ୍ରମଣ କରିବା ଅବସରରେ କହିଥିଲେ ଯେ ଏହା ପିଲାମାନଙ୍କ ପାଇଁ ବେଶ୍ ଶିକ୍ଷଣୀୟ ଓ ପ୍ରେରଣାପ୍ରଦ ଅବକାଶ ରହିଥିଲା। ଏହି ଭ୍ରମଣ ପିଲାମାନଙ୍କୁ ନିଶ୍ଚିତ ରୂପେ ସୁନାଗିରକ ଭାବେ ଗଠିତ ହେବାରେ ସାହାଯ୍ୟ କରିବ ବୋଲି ସେ କହିଥିବା ବେଳେ ପିଲାମାନେ ବି ଏହା ସେମାନଙ୍କ ପାଇଁ ଏକ ଲାଇଫଟାଇମ୍ ଏଚିଭମେଣ୍ଟ ଥିଲା ବୋଲି ମତପ୍ରକାଶ କରିଥିଲେ।