ଦୁର୍ନୀତିର ବାରୁଦ ଗଦାରେ କନିଷି ସବ୍ ରେଜିଷ୍ଟ୍ରାର କାର୍ଯ୍ୟାଳୟ।ପୁଣି ଏକ ଜାଲ ଭୋଟର ପରିଚୟପତ୍ର ଦାଖଲ କରି ଜମି ରେଜିଷ୍ଟ୍ରେସନ ଓ ହଡ଼ପ

0
15

ବ୍ରହ୍ମପୁର, ୩୦/୮/୨୦୨୪:କନିଷି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଜାଲ ଭୋଟର କାର୍ଡ ଦେଇ ଜମି ରେଜିଷ୍ଟ୍ରେସନ ହେବା ମାମଲାରେ କନିଷି ତତ୍କାଳୀନ ତହସିଲଦାରଙ୍କ ‌ପକ୍ଷରୁ ଗୋଳନ୍ଥରା ଥାନାରେ ଦଲିଲ୍ ଲେଖାଳି ସମେତ ୭ ଜଣଙ୍କ ନାମରେ ମାମଲା ରୁଜ୍ଜୁ ହୋଇଛି। ଉଲ୍ଲେଖଯୋଗ୍ୟ ଯେ,କନିଷି ତହସିଲଦାର ବର୍ଷକ ତଳେ ଯେତେବେଳେ କନିଷି ସବ୍ ରେଜିଷ୍ଟ୍ରାର ଭାବେ ଅତିରିକ୍ତ ଦାୟିତ୍ବରେ ଥିଲେ ସେତେବେଳେ ଏହି ଘଟଣା ଘଟିଥିବା ଅନୁସନ୍ଧାନରୁ ଜଣା ପଡୁଛି । କନିଷି ତହସିଲ ଅନ୍ତର୍ଗତ ଦୁମୁଦୁମି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ‌ ଅଧିନରେ ଥିବା ଖାତା ନଂ ୨୪୯ ଓ‌ ୨୫୨ ର ପ୍ରାୟ ଏକର ୧.୯୪୦ ଡିସିମିଲ ଜମିକୁ ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ ଜାଲ ଭୋଟର କାର୍ଡ ପରିଚୟପତ୍ର ଦେଇ କିଣାବିକା କରା ଯାଇଥିଲା । ଏଥିରେ ଦଲିଲ୍ ଲେଖକ ମଣ୍ଟୁ ପାତ୍ର ଓରଫ୍ ମହେଶ୍ୱର ପାତ୍ରଙ୍କ ସମେତ ସାତ ଜଣଙ୍କ ନାମରେ ତତ୍କାଳୀନ ତହସିଲଦାର ପ୍ରଳୟାନନ୍ଦ ଶତପଥୀ ଙ୍କ ତରଫରୁ ନିକଟସ୍ଥ ଥାନାରେ ଅଭିଯୋଗ ହୋଇଅଛି । ଭୋଟର ପରିଚୟପତ୍ର ଯାଞ୍ଚ ସମୟରେ ତାହା ଜାଲ ବୋଲି ଜଣା ପଡ଼ିବାରୁ ଉକ୍ତ ଦଲିଲକୁ ରଦ୍ଦ କରାଯିବା ସହିତ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି ଓ ଅଭିଯୋଗ ପ୍ରକାରେ ଥାନା କେସ୍ ନଂ ୩୪୧/୨୪ ରେ ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀଙ୍କ ଠାରୁ ପ୍ରକାଶ ।
ସୂଚନାଯୋଗ୍ୟ, ଗତ ବର୍ଷ ମଧ୍ୟ ଚାନ୍ଦପୁର ଗାଁର ଏକର ୦.୩୪୯ ସମସ୍ତ ପଟ୍ଟାଦାରଙ୍କ ଅଗୋଚରରେ ଓ ୧.୩୩୫ ଡିସିମିଲ ଜମିକୁ ଭୋଗ ଦଖଲକାରୀଙ୍କ ଅଗୋଚରରେ ବିକ୍ରି ବଟା ହୋଇଥିବାର ଥାନାରେ କେସ୍‌ ନଂ ୫୬୦/୨୦୨୩ ପ୍ରକାରେ ରୁଜ୍ଜୁ କରାଯାଇଥିବାବେଳେ ତାହା ରାଜନୈତିକ ଓ ଅଦୃଶ୍ୟ ଚାପରେ(ଲକ୍ଷ ଲକ୍ଷ ଟଙ୍କାର ଭିତରି କାରବାର ହୋଇ) ପୋଲିସ ପକ୍ଷରୁ ହେଉବା ସବ୍ ରେଜିଷ୍ଟ୍ରାରଙ୍କ ଜିଲା/ରାଜ୍ୟ ବିଭାଗୀୟ କାର୍ଯ୍ୟାଳୟ ତରଫରୁ ଦୋଷୀ ମାନଙ୍କ ବିରୁଦ୍ଧରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଇ ଶୀତଳ ଭଣ୍ଡାରରେ ପଡ଼ି ରହିଥିବା ଅଭିଯୋଗ ହେଉଅଛି, ଯାହାଦ୍ବାରା ସମସ୍ତଙ୍କ ଭୟ ଭ୍ରାନ୍ତି ନରହି ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ଅଘଟଣ କୋଟି କୋଟି ଟଙ୍କାର ସମ୍ପତ୍ତି ହଡ଼ପ ଘଟିବାରେ ଲାଗି ରହିଅଛି । ସୁଚନା ଯୋଗ୍ୟ ଚାନ୍ଦପୁର ଗ୍ରାମର ଉକ୍ତ ହଡ଼ପ ଜମିର ବଜାର ମୂଲ୍ୟ ପ୍ରାୟ ଏକ କୋଟି ଏକୋଇଶି ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ଓ ଜମି ବିକ୍ରି ଲବ୍ଧ ଅର୍ଥ ଆଜି ପର୍ଯ୍ୟନ୍ତ କେଉଁ ଜମି ମାଫିଆ/ଦଲାଲ ପାଖରେ ଅଛି ତାହା ସନ୍ଦେହଜନକ ଅବସ୍ଥାରେ ଅଛି ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଚର୍ଚ୍ଚା ଓ ଆଲୋଚନାର ବିଷୟ ହୋଇ ରହିଯାଇଛି । ବର୍ତ୍ତମାନର ସବ୍ ରେଜିଷ୍ଟ୍ରାର କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଦୁର୍ନୀତିର ଅବନତି ବଦଳରେ ତାହା ବଡି ବଡ଼ି ଚାଲିଛି ଓ କିଛି ଜମି ମାଫିଆ ଓ ଦଲାଲ ମାନେ ସବ୍ ରେଜିଷ୍ଟ୍ରାର ବ୍ରହ୍ମପୁର ଭିଜିଲାନ୍ସ ସହ ସଲାସୁତରା କରି କୋଟି କୋଟି ଟଙ୍କାର ମୂଲ୍ୟବାନ ଜମି ହଡ଼ପ କରି କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତିର ମାଲିକ ହେବାରେ‌ ଲାଗିଛନ୍ତି । ତେଣୁ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ଭିଜିଲାନ୍ସ କୁ ବାଦ ଦେଇ ଏହାର ଟିକିନିଖି ତଦନ୍ତ ସିବିଆଇ କିମ୍ବା ଇଡି କିମ୍ବା କ୍ରାଇମବ୍ରାଞ୍ଚ ଟିମ୍ ଦ୍ଵାରା ତଦନ୍ତ କରାଗଲେ କୋଟି କୋଟି ଟଙ୍କା‌ କାରବାରର‌‌ ମୂଳ ଉତ୍ସ ଉନ୍ମୋଚିତ ହୋଇପାରିବ ଏବଂ ପ୍ରକୃତ ଅପରାଧୀ ମାନେ ଲୋକଲୋଚନକୁ ଆସି ଉଚିତ ଦଣ୍ଡ ପାଇପାରିବେ।

LEAVE A REPLY

Please enter your comment!
Please enter your name here