ବେଆଇନ ମଦ କାରବାର ନେଇ ରାଜ୍ୟରେ ଦୀର୍ଘ ଓ ସର୍ବବୃହତ ଚଢ଼ାଉ ଅଭିଯାନ । ଭଙ୍ଗା ହେଲା ୧୪୪୩ ବେଆଇନ ଭାଟି।୧୯୫୭ ଜଣ ଗିରଫ ୧୮୩ ଗାଡି ଜବତ

0
11

ଭୁବନେଶ୍ୱର,୦୩/୦୯/୨୦୨୪:

ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ଅଗଷ୍ଟ ମାସ ୨୦ ତାରିଖରୁ ଆରମ୍ଭ ହୋଇଥିବା ଚଢ଼ାଉ ଅଭିଯାନ ଆଜିବି ଜାରି ରହିଛି I ଦୀର୍ଘ ୧୫ ଦିନ ଧରି ଚାଲିଥିବା ଏହି ଚଢ଼ାଉ ସମଗ୍ର ରାଜ୍ୟରେ ଦୀର୍ଘତମ ତଥା ସର୍ବବୃହତ ଚଢ଼ାଉ ଅଭିଯାନ ବୋଲି ବିବେଚନା କରାଯାଉଛି I

ରାଜ୍ୟସରକାରଙ୍କ କଡା ଆଭିମୁଖ୍ୟ ସ୍ଵରୂପ ପୂର୍ବରୁ ରହି ଆସିଥିବା ଏହି ବେଆଇନ ମଦ ଭାଟି ଓ ବିକ୍ରୟ କେନ୍ଦ୍ର ଗୁଡିକୁ ଅବକାରୀ ବିଭାଗର ବିଭିନ୍ନ ଟିମ ପକ୍ଷରୁ ଖୋଜି ବାହାର କରିବା ସହିତ ସମ୍ପୂର୍ଣ୍ଣ ରୂପେ ଭଙ୍ଗା ଯାଉଛି I ଏହି କ୍ରମରେ ସମଗ୍ର ରାଜ୍ୟର ୧୪୪୩ଟି ବେଆଇନ ମଦ ଭାଟିକୁ ଭାଙ୍ଗି ନଷ୍ଟ କରାଯିବା ସହ ପାଖାପାଖି ୧୦ ଟିରୁ ଉର୍ଦ୍ଧ ଭାଟିକୁ ବୁଲଡୋଜର ଯୋଗେ ସମ୍ପୂର୍ଣ୍ଣ ରୂପେ ଧୂଳିସାତ କରାଯାଇଛି I ଏଥିମଧ୍ୟରୁ କେବଳ ରାଜଧାନୀର ୫୧ ଟି ବେଆଇନ ମଦ ଭାଟିକୁ ନଷ୍ଟ କରାଯାଇଛି I

ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ବେଆଇନ ମଦ କାରବାର ନେଇ ୩୬୧୮ ଟି ମାମଲା ରୁଜୁ ହେବା ସହିତ ୧୫୧୯ ସ୍ଥାନରେ ଚଢ଼ାଉ କରାଯାଇ ୧୯୫୭ ଜଣକୁ ଗିରଫ କରାଯାଇଛି I ଏହି କ୍ରମରେ ୧ ଲକ୍ଷ ୮୩ ହଜାର ୬୬୯ ଲିଟର ବେଆଇନ ମଦ ଏବଂ ୧୭ ଲକ୍ଷ ୨୬ ହଜାର ୫୦୯ କେଜି ପ୍ରସ୍ତୁତି ସାମଗ୍ରୀ ଜବତ ହୋଇଛି I ଏଥି ସହ ବେଆଇନ କାର୍ଯ୍ୟରେ ବ୍ୟବହୃତ ୧୮୩ ଟି ଗାଡିକୁ ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଜବତ ହୋଇଛି I

ଏହି ଚଢ଼ାଉ କାର୍ଯ୍ୟକ୍ରମ ସମ୍ପର୍କରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପୂର୍ବରୁ ଚାଲି ଆସିଥିବା ଏହି ସମସ୍ତ ବେଆଇନ କାରବାର ଉପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିବେ I ଆଗକୁ ଏହି ଭଳି ଅଭିଯାନକୁ ଆହୁରି ଜୋରଦାର କରାଯିବ ଏବଂ ସମସ୍ତ ବେଆଇନ କାରବାର ଉପରେ ରୋକ ଲଗାଯିବ I

LEAVE A REPLY

Please enter your comment!
Please enter your name here