ଭୋଟର କାର୍ଡରେ ୮୦ ବର୍ଷ, ପ୍ରକୃତରେ ପ୍ରାୟ ୧୦୦ ବର୍ଷ, ତଥାପି ମିଳୁନି ବାର୍ଦ୍ଧକ୍ୟ ଭତ୍ତା।

0
19

ବୁଗୁଡ଼ା ୦୧/୧୧/୨୪ ସରକାରଙ୍କ ନିୟମ ପ୍ରକାରେ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳିବାର ନିୟମ ଥିଲେ ମଧ୍ୟ ପ୍ରଶାସନିକ ଅବହେଳା ଓ ରାଜନୈତିକ ଇଚ୍ଛା ଶକ୍ତିର ଅଭାବ ଯୋଗୁଁ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକର ଜଣେ ୮୦ ବର୍ଷର ବୃଦ୍ଧ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ପ୍ରକୃତରେ ସେ ଜଣେ ଶତାୟୁ ବୃଦ୍ଧ ହୋଇଥିଲେ ମଧ୍ୟ ତାଙ୍କର ଭୋଟର ତାଲିକାରେ ୮୦ ବର୍ଷ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇପାରି ନାହାଁନ୍ତି। ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ରାମଣ୍ଡା ଗ୍ରାମରେ । ବୃଦ୍ଧ ଜଣକ ହେଲେ ବାଞ୍ଛାନିଧି ସାହୁ, ପିତା-ଉପେନ୍ଦ୍ର ସାହୁ, ଗ୍ରାମ-ବୁରୁଝୋଳା, ପଞ୍ଚାୟତ-ଖୋଳଖାଳି, ଥାନା- ବୁଗୁଡା, ଜିଲ୍ଲା ଗଞ୍ଜାମ । ତାଙ୍କର ପୋଲସରା ନିର୍ବାଚନ ମଣ୍ଡଳୀର ଭୋଟର କାର୍ଡ ସଂଖ୍ୟା RHW ୧୧୫୦୧୮୪ ପ୍ରକାରେ ନାମ ରହିଅଛି। ବୁରୁଝୋଳା ଗ୍ରାମ ଖୋଳଖାଳି ପଞ୍ଚାୟତ ଅନ୍ତର୍ଗତ ହୋଇଥିବା ବେଳେ ବୃଦ୍ଧ ଜଣକ ବର୍ତ୍ତମାନ ଗୋଳାବନ୍ଧ ପଞ୍ଚାୟତର ରାମଣ୍ଡା ଗ୍ରାମରେ ଆଶ୍ରୟ ନେଇ ରହିଛନ୍ତି। ଅସହାୟ ବୃଦ୍ଧଙ୍କର କୌଣସି ସନ୍ତାନ ନଥିବା ବେଳେ ସେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଚଳୁଥିବା ଦେଖାଦେଇଛି। ବାଞ୍ଛାନିଧି ଦିର୍ଘ ବର୍ଷ ଧରି ଭତ୍ତା ପାଇବା ପାଇଁ ଆବେଦନ କରି ଆସୁଥିଲେ ସୁଦ୍ଧା ସେ ସେଥିରୁ ବଞ୍ଚିତ ଅଛନ୍ତି। ତାଙ୍କର ଆଧାର କାର୍ଡ ନଥିବା ଯୋଗୁଁ ବାର୍ଦ୍ଧକ୍ୟ ଭତ୍ତା ହେଉ ନଥିବା ଜଣାପଡିଛି। ଆଧାର କାର୍ଡ ଆବେଦନ କଲେ ମଧ୍ୟ ଅଧିକ ବୟସ ହେତୁ ବାଞ୍ଛାନିଧିଙ୍କ ପାଞ୍ଚ ଗୋଟି ଆଙ୍ଗୁଠିର ଟିପ ଚିହ୍ନ ଆସୁନଥିବା ଯୋଗୁଁ ଆଧାର କାର୍ଡ ହୋଇପାରୁନାହିଁ। ଏହି ବିଷୟ ନେଇ ବୁଗୁଡା ବିଡ଼ିଓ ଦାୟିତ୍ୱରେ ଥିବା ବୁଗୁଡା ତହସିଲଦାର ତାପସ ରାଉତଙ୍କ ସହ ଯୋଗାଯୋଗ ବେଳେ, ଜିଲ୍ଲାପାଳଙ୍କ ସହ ଆଲୋଚନା କରି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବେ ବୋଲି ତହସିଲଦାର ପ୍ରକାଶ କରିଥିଲେ। ବାଞ୍ଛାନିଧି ସାହୁଙ୍କ ପୁଅ ଝିଅ କେହିନଥିବା ବେଳେ ପ୍ରଶାସନ ହିଁ ତାଙ୍କ ପାଇଁ ସବୁକିଛି। ରାମଣ୍ଡା ଗ୍ରାମରେ ଆଶ୍ରୟ ନେଇଥିଲେ ମଧ୍ୟ ବୁରୁଝୋଳା ଗ୍ରାମର ଭୋଟର ତାଲିକାରେ ନାମ ଥିବା ଯୋଗୁଁ ଖୋଳଖାଳି ପଞ୍ଚାୟତର ପିଇଓ ଏବଂ ଲୋକ ପ୍ରତିନିଧି ବୃନ୍ଦ ଏଥିପାଇଁ ଆନ୍ତରିକ ଉଦ୍ୟମ କଲେ ବାର୍ଦ୍ଧକ୍ୟର ଶେଷ ସମୟରେ ବାର୍ଦ୍ଧକ୍ୟ ଭତ୍ତା ପାଇ ବାଞ୍ଛାନିଧିଙ୍କ ମୁହଁରେ ହସ ଫୁଟି ପାରିବ।

LEAVE A REPLY

Please enter your comment!
Please enter your name here