ବ୍ରହ୍ମପୁର,୦୨/୧୧/ ୨୦୨୪: ଦୁର୍ନୀତିର ପରିଭାଷା ବ୍ୟାପକ ଶୃଙ୍ଖଳାଗତ ନୀତି ନିୟମରୁ ବିଚ୍ୟୁତି ହେବା ହିଁ ଦୁର୍ନୀତି । ପ୍ରତ୍ୟେକ ନାଗରିକ ନିଜ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ନୀତି ରୁ ବିଚଳିତ ନ ହୋଇ କାର୍ଯ୍ୟ କରିବା ବିଧେୟ ତେବେ ଯାଇ ଦୁର୍ନୀତିର ଲୋପ ହୋଇ ପାରିବ ବୋଲି ଦକ୍ଷିଣାଞ୍ଚଳ ଡିଆଇଜି ଅଫ୍ ପୋଲିସ୍ ଡ. ସାର୍ଥକ ଷଡଙ୍ଗୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ଜଣାଇଥିଲେ । ବ୍ରହ୍ମପୁର ଦୁର୍ନୀତି ନିବାରଣ ଖଣ୍ଡ ଦ୍ବାରା ବ୍ରହ୍ମପୁର ମହାନଗର ନିଗମ ସଭାଗୃହ ପ୍ରକୋଷ୍ଠ ଠାରେ ସଚେତନତା ସଭାରେ ଯୋଗ ଦେଇ ଶ୍ରୀ ଷଡଙ୍ଗୀ କହିଥିଲେ ଯେ, ପ୍ରତ୍ୟେକ ମଣିଷ ନିଜ ଆଚାର ବ୍ୟବହାରରେ ସଠିକ୍ ରହିଲେ ଦେଶରୁ ଦୁର୍ନୀତି ହଟିବ, ଦେଶ ପ୍ରଗତି ପଥରେ ଆଗେଇବ । ସେହି ସଂସ୍କୃତିକୁ ଉଜ୍ଜିବୀତ କରିବାର ବେଳ ଆସିଛି । ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଡ. ଶ୍ରାବଣା ବିବେକ ଏମ୍. ଜଣାଇଥିଲେ ଯେ, ସାରା ଭାରତ ବର୍ଷରେ ଓଡିଶା ଭିଜିଲାନସ୍ ସୁନାମ ବଜାୟ ରଖିଛି । ଓଡିଶାରେ ଭିଜିଲାନସ ପ୍ରଶିକ୍ଷଣ ଏକାଡେମୀ ରହିଛି ଯାହାକି ଭାରତରେ ପ୍ରଥମ । ଦୁର୍ନୀତି କୁ ରୋକିବାରେ ଓଡିଶା ଦୁର୍ନୀତି ବିଭାଗର କାର୍ଯ୍ୟଶୈଳୀ ନିଆରା । ଆମ ପାଖରେ ଦୁର୍ନୀତିକୁ ଧରିବା ପାଇଁ ଅନେକ ସମ୍ବଳ ରହିଛି । ସେଗୁଡିକର ସଠିକ ପରିଚାଳନା ଦ୍ବାରା ଅନେକ ଅସାଧୁ ଲୋକଙ୍କୁ ଧରିବାରେ ସକ୍ଷମ ହୋଇଛି । ପରବର୍ତ୍ତି ଦିନ ମାନଙ୍କରେ ଏହି ବିଭାଗର କାର୍ଯ୍ୟ ଆହୁରି ବ୍ୟାପକ ହେବାକୁ ଯାଉଛି । ସାଇବର ଅପରାଧକୁ ରୋକିବା ସକାଶେ ଅନେକ ବୈଷୟିକ ଜ୍ଞାନ କୌଶଳ ରହିଛି ତାହାରି ବଳରେ ଅନେକେ ଧରା ପଡିଛନ୍ତି ଏବଂ ଅନେକେ ଧରା ପଡିବେ । ଅତ୍ୟାଧୁନିକ ଲ୍ୟାବ ରହିଛି । ଆଗକୁ ଫରେନସିକ୍ ଲ୍ୟାବ ମଧ୍ଯ ପ୍ରତିଷ୍ଠା ହେବାକୁ ଯାଉଛି ବୋଲି ମତଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ବ୍ରହ୍ମପୁର ମହାନଗର ନିଗମ କମିଶନର ଭବାନୀ ପ୍ରସାଦ ମିଶ୍ର ଜଣାଇଥିଲେ ଯେ, ମଣିଷ ମସ୍ତଷ୍କରେ କୌଣସି ପ୍ରକାର ସମାଜ ବିରୋଧି ପରିକଳ୍ପନା ନ ରହୁ । ନିଜ ପରିବେଶକୁ ଯେମିତି ସଫା ସୁତୁରା ରଖିବାକୁ ପ୍ରତ୍ୟେକେ ଚାହାଁନ୍ତି ଯଦି ନିଜ ପରିବେଶ ସହ ପାଖ ପଡୋଶୀ ଏବଂ ସବୁ ସ୍ଥାନର ପରିବେଶ ସଫା ଦିଗରେ ନିଜର ମାନସିକ ପରିବର୍ତ୍ତନ କରିବା ସେହିଠାରୁ ଦୁର୍ନୀତି ହଟାଇବାର ଶୁଭାରମ୍ଭ ହୋଇ ପାରିବ । ଆମ ସଂସ୍କୃତି ସହିତ ତାହାକୁ ଜଡିତ ରଖିବା ତେବେ ଦୁର୍ନୀତି ମୁକ୍ତ ରାଷ୍ଟ୍ର ଗଠନ ସମ୍ଭବ । ମୁଖ୍ୟ ବକ୍ତା ଭାବେ ଶଶୀ ଭୂଷଣ ରଥ ମହିଳା ମହା ବିଦ୍ୟାଳୟ ଅଧ୍ଯକ୍ଷ ଡ ଚିତ୍ତ ରଞ୍ଜନ ଶତପଥୀ ଜଣାଇଥିଲେ ଯେ, ପ୍ରତ୍ୟେକ ନାଗରିକ ଦୁର୍ନୀତି ରୋକିବା ଦିଗରେ ଗୁଣ୍ଡଚି ମୂଷାର ଭୂମିକା ଗ୍ରହଣ କରିବା ଉଚିତ୍ । ପ୍ରଭୁ ରାମଚନ୍ଦ୍ରଙ୍କ ଆଦର୍ଶ, ସ୍ବାମୀ ବିବେକାନନ୍ଦଙ୍କ ବାଣୀ ଏବଂ ଅନେକ ଋଷି ମୁନୀଙ୍କ ଉଦାହରଣ ରଖି ଦୁର୍ନୀତିକୁ ଲୋପ କରିବା ଦିଗରେ ଆହ୍ବାନ ଦେଇଥିଲେ ।
ବ୍ରହ୍ମପୁର ଦୁର୍ନୀତି ନିବାରଣ ଖଣ୍ଡ ଆରକ୍ଷୀ ଅଧୀକ୍ଷକ ଗଣେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଦୁର୍ନୀତି ନିବାରଣ ବିଭାଗର କାର୍ଯ୍ୟକାରିତା ଏବଂ କିଭଳି ପଦକ୍ଷେପ ଗ୍ରହଣ କରାଯାଉଛି ତାହା ବ୍ୟକ୍ତ କରିଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଡିଏସପି ଭିଜିଲାନସ୍ ଶରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ନୀଳକଣ୍ଠ ନଗର ଛାତ୍ରଛାତ୍ରୀଗଣ ବନ୍ଦେ ଉତ୍କଳ ଜନନୀ ପ୍ରରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି ଦିବସ ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ଲିଖନ, ବକ୍ତୃତା ଏବଂ କାର୍ଟୁନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଭା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ବିଭିନ୍ନ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ, ସାମ୍ବାଦିକ ତଥା ଦୁର୍ନୀତି ବିଭାଗୀୟ ଅଧିକାରୀ, କର୍ମଚାରୀଗଣ ଉପସ୍ଥିତ ଥିଲେ ।