ପୋଲସରା , ୬/୧୧/୨୪ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦତ ୧୧ ତମ ପାରିଷଦ ବୈଠକ ନଭେମ୍ବର ୪ ତାରିଖ ଦିନ ଏନ୍ଏସି ସଭା କକ୍ଷରେ ଅଧ୍ୟକ୍ଷା ସଙ୍ଗୀତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଅନ୍ୟତମ ଅତିଥି ଭାବେ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ଯୋଗଦେଇ ପୋଲସରା ଏନ୍ଏସି ର ବିଭିନ୍ନ ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ । ପୋଲସରା ଏନଏସିର ମୁଖ୍ୟ ସମସ୍ୟା ମଧ୍ୟରେ ନୂତନ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା, ମେଡ଼ିକାଲର ବିଭିନ୍ନ ସମସ୍ୟାର ସମାଧାନ, ପାନୀୟ ଜଳ ସମସ୍ୟା , ଟ୍ରାଫିକ ସମସ୍ୟା , ଗମନାଗମନର ସମସ୍ୟା , ଡ଼୍ରେନେଜ୍ ସମସ୍ୟା ଓ ବିଦ୍ୟାଳୟ ଗୁଡ଼ିକରେ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି ଓ ଶିକ୍ଷକ ନିଯୁକ୍ତି ବିଷୟ ସହ ପୋଲସରା ସହର ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ରାଜନୀତି ରୁ ଉର୍ଦ୍ଧ୍ବରେ ରହି ସମସ୍ତ କାଉନସିଲର ବୃନ୍ଦ ପୋଲସରା ମାଟିର ବିକାଶ ପାଇଁ ଏକାଠି ହୋଇ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ଆସିକା ସାଂସଦ ଅନୀତା ଶୁଭଦର୍ଶନୀ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର, ଏନ୍ଏ.ସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଋଷି ମାଝୀ , ବିଦ୍ୟୁତ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିବପ୍ରସାଦ ଲେଙ୍କା , କାଉନସିଲର ବୃନ୍ଦ, ଗୋଷ୍ଠୀ ପରିଦର୍ଶିକା ଅନୀତା ଅଂଶୁଣାଳୀ ସାହୁ , ସାନିଟାରୀ ଏକ୍ସଫୋର୍ଟ ତେଜେଶ୍ବନୀ ନାୟକ ଓ ବିଭାଗୀୟ ଅଧିକାରୀ ବୃନ୍ଦ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।