ବୁଗୁଡା , ୮/୧୧/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ସଙ୍କୁରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନଭେମ୍ବର ୮ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ବେହେରା ଅଧ୍ୟକ୍ଷତା କରିଥିବା ବେଳେ ବୁଗୁଡା ବିଇଓ ଚିନ୍ମୟ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଙ୍କୁରୁ ହାଇ ସ୍କୁଲର ପ୍ରଧାନ ଶିକ୍ଷକ କାହ୍ନୁ ଚରଣ ସ୍ୱାଇଁ, ଏସଏମସି ସଭାନେତ୍ରୀ ଜାନକୀ ସାହୁ ଓ ସିଆରସିସି ଶଶିକାନ୍ତ ପାତ୍ର ଯୋଗଦେଇଥିଲେ। ନିମନ୍ତ୍ରିତ ଅତିଥି ଭାବେ ମାଣିତରା କ୍ଳଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିମ୍ବା ସହକାରୀ ଶିକ୍ଷକ ବୃନ୍ଦ ଓ ଏସଏମସି ସଦସ୍ୟ/ସଦସ୍ୟା ବୃନ୍ଦ ଯୋଗଦେଇଥିଲେ। ଅତିଥି ବୃନ୍ଦ ଉତ୍ତମ ନାଗରିକ ହେବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବାସହ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ ଦ୍ୱାରା ଉଚ୍ଚଶିକ୍ଷା ପାଇଁ ମିଳୁଥିବା ବିଭିନ୍ନ ସୁବିଧା ବିଷୟରେ ଆଲୋକପାତ କରିଥିଲେ। ଏଥିସହ ଅତିଥି ବୃନ୍ଦ ୧୩୩ ଜଣ ଛାତ୍ରଛାତ୍ରୀଙ୍କୁ ପୋଷାକ ଓ ଜୋତା ବଣ୍ଟନ କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ୟାମ ସୁନ୍ଦର ବେହେରା ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଶିକ୍ଷୟିତ୍ରୀ ସୁନିତା ବେହେରା ଓ ଶିକ୍ଷକ ଶିବରାମ ଆପଟ ପରିଚାଳନାରେ ସହଯୋଗ କରିଥିଲେ।