ବୁଗୁଡା , ୧୧/୧୧/୨୪ : ନଭେମ୍ବର ୧୧ ତାରିଖ ହେଉଛି ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର। ବୁଗୁଡା ସହର ଠାରୁ ତିନି କିଲୋମିଟର ଦୂରରେ ଥିବା ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତଥା ପଞ୍ଚଶମ୍ଭୁ ଶୈବପୀଠ ବୁଦ୍ଧଖୋଲ ପାଲଟି ଯାଇଛି ଲୋକାରଣ୍ୟ। ବୁଦ୍ଧଖୋଲ ରେ ବିଜେ ଜଗଦ୍ଦେଶ୍ବର, ଗଙ୍ଗାଧରେଶ୍ବର, ମକରେଶ୍ବର, ସିଦ୍ଧେଶ୍ବର ଓ ବୁଦ୍ଧେଶ୍ବର ପଞ୍ଚଶମ୍ଭୁ ଙ୍କୁ ଦର୍ଶନ କରିବା ପାଇଁ କାର୍ତ୍ତିକ ମାସର ସମସ୍ତ ସୋମବାର ଓ କାର୍ତ୍ତିକ ପୂର୍ଣ୍ଣିମା ଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ଏହି ପ୍ରସିଦ୍ଧ ଶୈବପୀଠର ଉନ୍ନତି ଓ ବିଭିନ୍ନ ପର୍ବପର୍ବାଣୀ ଶାନ୍ତି ଶୃଙ୍ଖଳା ସହ ପରିଚନା ପାଇଁ ବୁଦ୍ଧଖୋଲ ଉନ୍ନୟନ ସମିତି ଗଠନ ହୋଇଛି। ଆଜିର ଶେଷ ସୋମବାର ଯୋଗୁଁ ପ୍ରବଳ ଗହଳି ଯୋଗୁଁ ଜନସାଧାରଣ ଶାନ୍ତିଶୃଙ୍ଖଳା ସହ ଠାକୁର ଦର୍ଶନ କରିବା ଏବଂ ବିଭିନ୍ନ ଯାନବାହନ ନିର୍ଦ୍ଦିଷ୍ଠ ସ୍ଥାନରେ ରଖିବା ପାଇଁ ସ୍ବେଛାସେବୀ ଓ ପୋଲିସ ବାହିନୀ ନିୟୋଜିତ ଥିଲେ। ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସମିତିର ସାଧାରଣ ସମ୍ପାଦକ ସୁରେଶ ଚନ୍ଦ୍ର ଦାଶ ଓ ଗଙ୍ଗାଧର ବିଷୋୟୀଙ୍କ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀ ବୃନ୍ଦ ଓ ବୁଗୁଡା ପୋଲିସ ସବଇନ୍ସପେକ୍ଟର ସମୀର କୁମାର ସେଠୀଙ୍କ ନେତୃତ୍ୱରେ ପୋଲିସ ବାହିନୀ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା।