ପୋଲସରା , ୧୨/୧୧/୨୪ : ପୂର୍ବତନ ନବୀନ ବାବୁଙ୍କ ସରକାରର ଦୁଇଟି ଯୁଗାନ୍ତକାରୀ ଯୋଜନାରେ ଗରିବ ଜଣ ସାଧାରଣ ବହୁତ ଉପକୃତ ହୋଇପାରୁଛନ୍ତି। ଗୋଟିଏ ହେଲା ଆହାର କେନ୍ଦ୍ର ଓ ଦ୍ଵିତୀୟଟି ହେଲା ଲକ୍ଷ୍ମୀ ବସ। ପଞ୍ଚାୟତରୁ ବ୍ଲକ ହେଡ କ୍ୱାଟରକୁ ଆସିଲେ ଆଦିବାସୀ, ହରିଜନ ଓ ଗରିବ ଶ୍ରେଣୀର ଲୋକମାନେ ମାତ୍ର ୫ ଟଙ୍କା ଦେଇ ପେଟପୁରା ଖାଇପାରୁଛନ୍ତି ଓ ନିଜ ଗ୍ରାମରୁ ୫ ଟଙ୍କା ଦେଇ ଲକ୍ଷ୍ମୀ ବସରେ ଆସିପାରୁଛନ୍ତି। ଗରିବ ଲୋକଟିଏ ସହରକୁ ଆସି ମାତ୍ର ୧୫ ଟଙ୍କା ବ୍ୟୟରେ ଯିବା, ଆସିବା ଓ ଖାଇବା ଖର୍ଚ୍ଚ କରି ନିଜର କାମ ଶେଷ କରି ଫେରି ପାରୁଛନ୍ତି। ହେଲେ ବର୍ତ୍ତମାନ ପୋଲସରା ସହରର ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ହେଉଥିବା ବେଳେ ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଆହାର କେନ୍ଦ୍ରରେ ଦୈନିକ ଉତ୍ତମ ମାନର ଖାଦ୍ୟ ପ୍ରଦାନ କରିବା ପାଇଁ ୧୭ନମ୍ବର ୱାର୍ଡର ଚନ୍ଦ୍ରଶେଖର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ପୋଲସରା ଏନ୍.ଏ.ସି ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଛି। ପୋଲସରା ଆହର କେନ୍ଦ୍ରରେ ନିର୍ଦ୍ଧାରିତ ସମୟରେ ଦୈନିକ ୩୦୦ ଆହାରର ଟୋକେନ୍ ଦେବାର ବ୍ୟବସ୍ଥା ରହିଛି । ହେଲେ ଦୈନିକ ଧାର୍ଯ୍ୟ ଠାରୁ ବହୁତ କମ୍ ଲୋକମାନଙ୍କୁ ଆହାର ପ୍ରଦାନ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ସୋମବାର ଦିନ ଆହାର କେନ୍ଦ୍ରକୁ ଆସି ଆହାର ପାଇଁ ନଥିବା ଡେଙ୍ଗା ପଦର ଗ୍ରାମର ସନ୍ତୋଷ ଡାକୁଆ, ଡିମ୍ବିରିଆର ମୋଚିରାମ ସେଠୀ , ତମାଳ ସେଠୀ, ଆଦିବାସୀ ବହୁଳ ଗ୍ରାମ ବ୍ରାହ୍ମଣ ଦେଇର କୁନା ଶବର, ରଚନା ଶବର , ବେଲଗାଁର ଅଜୟ ନାୟକ ଓ ଖଣ୍ଡୁରୁ ଗ୍ରାମର ସୁକୁମାରୀ ପ୍ରଧାନ ପ୍ରଭୃତି । ଏନେଇ ସାମ୍ବାଦିକ ସନ୍ତୋଷ କୁମାର ଘଡେଇ ଓ ଜ୍ୟୋତି ରଞ୍ଜନ ଆଚାରୀ ପୋଲସରା ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷି ମାଝୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଶ୍ରୀ ମାଝୀ ଅନୁସନ୍ଧାନ କରି ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ। ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମାଝୀ ମଙ୍ଗଳବାର ଦିନ ରୋଷେଇ ବେଳେ ନିଜେ ଉପସ୍ଥିତ ରହି ନିର୍ଦ୍ଧାରିତ ଚାଉଳ ଓ ଡାଲି ବ୍ୟବହାର କରାଇଥିଲେ। ଯାହା ଫଳରେ ମଙ୍ଗଳବାର ଦିନ କୌଣସି ବ୍ୟକ୍ତି ଆହାର ନଖାଇ ଫେରିନଥିଲେ। ଏଥିରୁ ଜଣାପଡୁଛି ଯେ ପୂର୍ବ ଦିନ ଗୁଡିକରେ ଆହାର କେନ୍ଦ୍ରରେ କିଛି ଭୁଲ ରହିଥିଲା। ଅନ୍ୟଦିଗକୁ ବିଚାର କଲେ ଦାୟିତ୍ୱ ନେଇଥିବା ମହିଳା ସ୍ୱୟଂ ସହାୟକ ଗୃପକୁ ଗୋଟିଏ ମିଳସ ବାବଦକୁ ୨୩ ଟଙ୍କା ମିଳୁଅଛି। ପ୍ରତି ଆହାର ୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ଅବଶିଷ୍ଟ ୧୮ ଟଙ୍କା ସରକାର ଦେଇଥାନ୍ତି। ନୂତନ ସରକାର ଆସିବା ପରେ ସମସ୍ତ ଦରଦାମ ଆକାଶ ଛୁଆଁ ହୋଇଥିବା ବେଳେ ଗୃପକୁ ପୂର୍ବ ପ୍ରକାର ପ୍ରାପ୍ୟ ମିଳୁନାହିଁ। ପ୍ରତି ମାସରେ ସରକାର ଗୃପ କୁ ମିଲସ ବାବଦକୁ ୧ ଲକ୍ଷ ୬୨ ହଜାର ଟଙ୍କା ଦେଇଥାନ୍ତି। ମାତ୍ର ନୂତନ ସରକାର ଆସିବ ପରେ ଗୃପକୁ ତିନି ମାସର ମିଲସ ବାବଦକୁ ୪ ଲକ୍ଷ ୮୬ ହଜାର ଟଙ୍କା ଦେଇନାହାଁନ୍ତି। ଯାହା ଫଳରେ ମହିଳା ଗୃପକୁ ଆହାର କେନ୍ଦ୍ର ପରିଚାଳନାରେ ଅସୁବିଧା ଭୋଗିବାକୁ ପଡୁଛି। ଏହି ସବୁକୁ ଦୃଷ୍ଟି ଦେଇ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବା ସହ ଆହାର କେନ୍ଦ୍ରରେ ସିସି କ୍ୟାମେରା ଲଗାଗଲେ ଅଭିଯୋଗ ବେଳେ ପ୍ରକୃତ ତଥ୍ୟ ସଂଗ୍ରହ ହୋଇପାରିବ।
Home ବ୍ରହ୍ମପୁର ସ୍ପେଶାଳ ଆହାର କେନ୍ଦ୍ରରେ ଖାଦ୍ୟ ଅଭାବ , କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ହସ୍ତକ୍ଷେପ ପରେ ଦୁରହେଲା ସମସ୍ୟା ।