ବ୍ରହ୍ମପୁର,୧୪/୧୧/୨୦୨୪:
ପୁରୁଷୋତ୍ତମପୁର ମାଁ’ ତାରାତାରିଣୀ ମନ୍ଦିରରୁ ଚୋରି ଘଟଣାରେ ରାତ୍ରୀ ଜଗୁଆଳି ସହ ୬ ଜଣ ଗିରଫ ହେବା ସହ ଚୋରିରେ ବ୍ୟବହୃତ ସାମଗ୍ରୀ ସହ ୩୯ ହଜାର ଟଙ୍କା ଏବଂ ଚୋରି ଅଭିଯୁକ୍ତ ମାନେ ବ୍ୟବହାର କରୁଥିବା ୩ ଟି ମୋବାଇଲ, ୩ ଟି ମୋଟର ସାଇକେଲ ଜବତ ହୋଇଥିବା ଜଣାପଡିଛି । ଗିରଫ ସମସ୍ତ ଅଭିଯୁକ୍ତ ପୁରୁଷୋତ୍ତମପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି।ଗିରଫ ଅଭିଯୁକ୍ତ ମାନେ ହେଲେ ରାତ୍ର ଜଗୁଆଳୀ କାଳିଆ ଦାସ, ବଳିଆ ନାୟକ ଏବଂ ସେବାୟତ ଅମୂଲ୍ୟ ରଣା, ବିକାଶ ରଣା, ଗୈାତମ ରଣା ଓ ରବୀନ କୁମାର ରଣା ବୋଲି ଜଣାପଡିଛି।ଉଲ୍ଲେଖ ଯୋଗ୍ୟ ଯେ, ପ୍ରସିଦ୍ଧ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ମାଁ ତାରାତାରିଣୀଙ୍କ ମନ୍ଦିରରୁ ଗତ ୫ ତାରିଖ ମଙ୍ଗଳବାର ରାତିରେ ବଡଧରଣର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ଚୋର ମାନେ ମନ୍ଦିରରେ ପଶି ରୂପା ମୁଖା ସହ ମୁକୁଟ ଓ ବିଭିନ୍ନ ମୂଲ୍ୟବାନ ଅଳଙ୍କାର ଲୁଟି ନେଇ ଅଭିଯୋଗ ହୋଇଥିଲା । ତାପର ଦିନ ସକାଳେ ଏନେଇ ଜଣାପଡିବା ପରେ ସେବାୟତ ଓ ମନ୍ଦିର ପରିଚାଳନା କମିଟିର ପକ୍ଷରୁ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ପ୍ରକାରେ ମନ୍ଦିରରେ ବ୍ୟବହାର ହେଉଥିବା ଦୁଇଟି ମୁଖା ସହିତ ଗୋଟିଏ ରୂପାର ଛତା, ତିନୋଟି ମୁକୁଟ, ପୂଜା ଓ ବିଭିନ୍ନ ନୀତିକାନ୍ତିରେ ବ୍ୟବହୃତ ହେଉଥିବା ଏକାଧିକ ଅଳଙ୍କାର ଚୋରି କରିବା ସହ ଚୋରମାନେ ମନ୍ଦିର ପରିସରରେ ରହିଥିବା ହୁଣ୍ଡି ଭାଙ୍ଗି ନେଇଯିବା ପାଇଁ ଉଦ୍ୟମ ମଧ୍ୟ କରିଥିଲେ । ହୁଣ୍ଡିର ପ୍ରଥମ ତାଲାକୁ ଭାଙ୍ଗି ଦେଇଥିବା ବେଳେ ଭିତର ତାଲାକୁ ଭାଙ୍ଗି ନପାରି ଛାଡି ପଳାଇଥିଲେ । ମନ୍ଦିରର ସେବାୟତ ଓ ପରିଚାଳନା କମିଟି ସଦସ୍ୟ ଙ୍କ ଅଭିଯୋଗ ପରେ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।