ପୋଲସରା, ୧୪/୧୧/୨୪ : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକର ମଧୂପଲ୍ଲୀ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରି ବିଡ଼ିଓ କୁରେଶ ଚନ୍ଦ୍ର ଜାନୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ନଭେମ୍ବର ୧୪ ତାରିଖ ଦିନ ମଧୂପଲ୍ଲୀ ପଞ୍ଚାୟତର ସରପଞ୍ଚ ବସନ୍ତ କରଣ ଓ ସମିତି ସଭ୍ୟ ତଥା ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡ଼ାଙ୍କ ସମେତ ବହୁ ଗ୍ରାମବାସୀ ପୋଲସରା ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରିଛନ୍ତି। ଦିର୍ଘ ୫ ପାଞ୍ଚମାସ ହେଲା ମଧୁପଲ୍ଲୀ ପଞ୍ଚାୟତରେ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବା ଦର୍ଶାଇ ପୋଲସରା ବିଡ଼ିଓ ଶ୍ରୀ ଜାନୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ଅନ୍ୟ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟ ହେଉଥିବା ବେଳେ ରାଜନୈତିକ ଉଦ୍ଦେଶ୍ୟ ରଖି ମଧୁପଲ୍ଲୀ ପଞ୍ଚାୟତକୁ ଅଣଦେଖା କରାଯାଉଛି ବୋଲି ଜନପ୍ରତିନିଧି ଓ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ତୁରନ୍ତ ଆରମ୍ଭ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ମଧୁପଲ୍ଲୀ ପଞ୍ଚାୟତକୁ ସ୍ବତନ୍ତ୍ର ଧ୍ୟାନ ଦିଆ ଯିବା ପାଇଁ ଦାବି କରିଥିଲେ। ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ପୋଲସରା ବ୍ଲକ ସମ୍ମୁଖରେ ମଧୁପଲ୍ଲୀ ପଞ୍ଚାୟତ ଗ୍ରାମବାସୀଙ୍କ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଥିଲେ ।ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ ବେଳେ ମଧୂପଲ୍ଲୀ ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ସୁଶାନ୍ତ କୁମାର ପୋଲେଇ, କାଳୁ ଚରଣ ପରିଡା, ଦୁର୍ଗାମାଧବ ବଢ଼େଇ, ରାମଚନ୍ଦ୍ର ଗୌଡ଼, ଜୟ ଚନ୍ଦ୍ର ପରିଡା ସମେତ ପଞ୍ଚାୟତର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।