ବ୍ରହ୍ମପୁର,୨୧/୧୧/୨୦୨୪:
ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବ ଙ୍କ ୧୨୫ ତମ ଜୟନ୍ତୀ କୁ ନୂଆଦିଲ୍ଲୀ ଠାରେ ସଂସ୍କୃତି ମନ୍ତ୍ରାଳୟ ଦ୍ଵାରା ଧୂମଧାମ ରେ ପାଳନ କରାଯାଇଛି । ଏହି ଅବସରରେ ଓଡିଶାର ୧୫ ଜଣ ପ୍ରଖ୍ୟାତ ଚିତ୍ରକର ଙ୍କୁ ନେଇ ଏକ ରାଷ୍ଟ୍ରୀୟ ଚିତ୍ରଶିଳ୍ପୀ ଶିବିର ଦିଲ୍ଲୀ ଲଳିତ କଳା ଏକାଡେ଼ମୀ ଠାରେ ନଭେମ୍ବର ୧୩ ରୁ ୨୦ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ରୁ ଡକ୍ଟର ସ୍ଥିତଧୀ ରଥ ଏହି ଚିତ୍ର ଶିବିର ପାଇଁ ନିମନ୍ତ୍ରିତ ହୋଇଥିଲେ । ଏହି ଚିତ୍ର ସମୂହ ର ପ୍ରଦର୍ଶନୀ କୁ ନୂଆ ଦିଲ୍ଲୀ ସ୍ଥିତ ଵିଜ୍ଞାନ ଭବନ ଠାରେ ଆଜି ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଧିବଦ୍ଧ ଭାବରେ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ , ସାଂସଦ ଭର୍ତ୍ତୃହରି ମହତାବ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ଅତିଥି ରୂପେ ଯୋଗ ଦେଇଥିଲେ । ଚିତ୍ରଶିଳ୍ପୀ ଡକ୍ଟର ରଥ ଙ୍କ ଦ୍ଵାରା ମହତାବ ଙ୍କ ଜୀବନଶୈଳୀ ଉପରେ ଅଙ୍କିତ ଚିତ୍ର ” ଉତ୍କଳର କେଶରୀ” ସବୁଠାରୁ ଆକର୍ଷଣୀୟ ହୋଇଥିଲା । ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ , ସାଂସଦ ଭର୍ତ୍ତୃହରି ମହତାବ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଏହି ଚିତ୍ରର ବହୁ ପ୍ରଶଂସା କରିବା ପୂର୍ବକ ଡକ୍ଟର ସ୍ଥିତଧୀ ରଥ ଙ୍କୁ ସମ୍ମାନିତ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ ପୁଷ୍ପ ପ୍ରଦାନ ପୂର୍ବକ ସମସ୍ତ ଶିଳ୍ପୀ ଙ୍କୁ ସ୍ୱାଗତ କରିଥିଲେ ।