ପୋଲସରା , ୨୩/୧୧/୨୪ : ଗଞ୍ଜାମ ଜିଲ୍ଲାର ପୋଲସରା ପୋଲିସ ଥାନାର ବୁଢେଇଶୁଣୀ ପଞ୍ଚାୟତ ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀ ଗ୍ରାମରେ ସ୍ୱାମୀଙ୍କ ଘର ଆଗରେ ୬ ଦିନର ଧାରଣା ପରେ ସ୍ତ୍ରୀ ଙ୍କ ଅଭିଯୋଗ କ୍ରମେ ସ୍ୱାମୀ ଗିରଫ ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡ଼ିଛି ଯେ ଲକ୍ଷ୍ମଣପଲ୍ଲୀ ଗ୍ରାମର ଭାରତୀ ସାହୁଙ୍କ ସେହି ଗ୍ରାମର କରମ ଚାନ୍ଦ ସାହୁ (ବାପୁଜୀ)ଙ୍କ ସହିତ ପ୍ରାୟ ୧୩ ବର୍ଷ ପୂର୍ବେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏହା ଉଭୟଙ୍କ ପରିବାର ଜାଣିବା ପରେ ଦୁହେଁ ଗୋଟିଏ ଜାତୀର ହୋଇଥିବାରୁ ବିବାହ କରି ଦେବାଲାଗି ସ୍ଥିର ହୋଇଥିଲା। ଉଭୟଙ୍କ ଏହି ସମ୍ପର୍କ ଆଗକୁ ବଢି ଚାଲିଲା ପରେ ଚଣ୍ଡିରାମପୁର ସ୍ଥିତ ଉଗ୍ରେଶ୍ବର ଶୈବ ପୀଠରେ ଗ୍ରାମର କିଛି ଲୋକ ଓ ପରିବାର ଲୋକଙ୍କ ଉପସ୍ଥିତରେ ପ୍ରେମିକ କରମଚାନ୍ଦ ସାହୁ ପ୍ରେମିକା ଭାରତୀ ସାହୁଙ୍କ ବେକରେ ମଙ୍ଗଳସୁତ୍ର ଓ ମଥାରେ ସିନ୍ଦୂର ଲଗାଇ ସ୍ତ୍ରୀର ମାନ୍ୟତା ଦେଇଥିଲେ। ବିଭିନ୍ନ ଆଳରେ ଦୁଇଥର ଗର୍ଭ ନଷ୍ଟ କରାଯାଇ ଥିବା ଏତଲାରେ ଦର୍ଶାଯାଇଛି। ବାହା ହେବାପରେ କରମଚାନ୍ଦ ନିଜ ସ୍ତ୍ରୀ ଭରତୀଙ୍କୁ ଆଉ ଘରକୁ ନ ନେଇ ବିଭିନ୍ନ ବାହାନା ଦେଖାଇବା ସହ ଘର ଡିହ ଓ ନଗଦ ୫୦ଲକ୍ଷ ଟଙ୍କା ଦେବା ପାଇଁ ପୁଅ ଘର ପକ୍ଷରୁ ଦାବି କରାଯାଇଥିଲା। ସେଥିପାଇଁ ଦୀର୍ଘ ଛଅ ଦିନ ଧରି ପ୍ରେମିକଙ୍କ ଘର ଆଗରେ ଭାରତୀ ଧାରଣାରେ ବସି ଶେଷରେ ପରିବାର ଲୋକେ ଅନୁପସ୍ଥିତ ହେତୁ କାନ୍ଥ ଡେଇଁ ଘରେ ପଶି ମାର୍ଗଶୀର ଗୁରୁବାର ପୂଜା କରିବା ସହ ଆଜି ପର୍ଯ୍ୟନ୍ତ ସେଠାରେ ପଡ଼ି ରହିଛନ୍ତି। କରମଚାନ୍ଦ ଗ୍ରାମକୁ ଆସି ସମାଧାନ କରିବା ବୋଲି କହିଥିଲେ ମଧ୍ୟ ଗ୍ରାମକୁ ଆସିନଥିଲେ। ଯାହା ଫଳରେ ପୋଲସରା ପୋଲିସ ଥାନା ଆଇଆଇସି କୌଶିକ ମାଝୀ ପୋଲସରା ଥାନା କେଶ ନଂ ୬୯୪/୨୦୨୪ ପ୍ରକାରେ କେସ ରୁଜୁ କରି ଗତକାଲି ବ୍ରହ୍ମପୁର ଠାରୁ କରମ ଚାନ୍ଦ ସାହୁ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ ହୋଇଥିବା ଆଇଆଇସି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି।