ବୁଗୁଡା , ୨୪/୧୧/୨୪ : ବିଶ୍ବର ବୃହତ୍ତମ ୟୁନିଫର୍ମ ଯୁବ ସଙ୍ଗଠନ ଏନସିସି, ୧୯୪୮ ମସିହା ନଭେମ୍ବର ମାସ ଚତୁର୍ଥ ରବିବାର ଦିନ ନୂଆଦିଲ୍ଲୀ ଠାରେ ପ୍ରତିଷ୍ଠା ହୋଇଥିଲା। ସେହି ଦିନ ଠାରୁ ପ୍ରତିବର୍ଷ ନଭେମ୍ବର ମାସ ଚତୁର୍ଥ ରବିବାରକୁ ଏନସିସି ଦିବସ ଭାବେ ସମଗ୍ର ଦେଶରେ ପାଳନ ହୋଇଆସୁଅଛି। ସେହି ପରିପ୍ରେକ୍ଷୀରେ ବୁଗୁଡା ପିପୁଲସ ହାଇ ସ୍କୁଲରେ ୭୬ତମ ଏନସିସି ଦିବସ ନଭେମ୍ବର ମାସ ଚତୁର୍ଥ ରବିବାର ୨୪ ତାରିଖ ଦିନ ପାଳନ ହୋଇଯାଇଛି। ଏନସିସି ଅଫିସର ପ୍ରଶାନ୍ତ କୁମାର ଗୌଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ୭୬ ତମ ଏନସିସି ଦିବସରେ ବୁଗୁଡା ପୋଲିସ ଥାନା ଆଇଆଇସି ସିତାଂଶୁ ଶେଖର ମାନ୍ଧାତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନସିସି ପତାକା ଉତ୍ତୋଳନ କରି ଏନସିସି କ୍ୟାଡେଟ ମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ। ପ୍ୟାରେଡ଼ ପରେ ଏନସିସି ଅଫିସର ଶ୍ରୀ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଆଇଆଇସି ଶ୍ରୀ ମାନ୍ଧାତାଙ୍କ ସମେତ ବୁଗୁଡା ବନପାଳ ସଞ୍ଜୟ କୁମାର ରହିତ ଓ ଶିକ୍ଷୟିତ୍ରୀ ଉଷାରାଣୀ ସିଂହ ଯୋଗଦେଇଥିଲେ। ସଭାରେ ସମସ୍ତ ଏନସିସି କ୍ୟାଡେଟ ଯୋଗଦେବା ସହ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀ ବିଶ୍ବେସର ଗିରି, ସୁଚିତ୍ରା ବିଷୋୟୀ, ଏସ ବେହେରା, ମଧୁସୂଦନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।