ନାୟକ ଭବନରେ ୭୫ତମ ସମ୍ବିଧାନ ଦିବସ ପାଳନ

0
5

ବୁଗୁଡା, ୨୭/୧୧/୨୪ : ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ଆବାହକତ୍ୱ ଓ କବି ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ନାୟକ ଭବନଠାରେ ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି l ପ୍ରାରମ୍ଭରେ ଆବାହକ ସୋମନାଥ ନାୟକ ସମ୍ବିଧାନର ମୁଖବନ୍ଧ ପଠନ କରି ବୁଝାଇବା ସହିତ ଉକ୍ତ ଦିବସର ତାତ୍ପର୍ଯ୍ୟ ସମ୍ପର୍କେ ସୂଚନା ପ୍ରଦାନ କରିଥିଲେ l ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ପ୍ରଧାନ ସମ୍ବିଧାନରେ ସନ୍ନିବେଶ ହୋଇଥିବା ମୌଳିକ ଅଧିକାର, ନାଗରିକମାନଙ୍କ କର୍ତ୍ତବ୍ୟ ଓ ମାନବବାଦ ସମ୍ପର୍କେ ବକ୍ତବ୍ୟ ରଖିଥିଲେ। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପଦ୍ମ ଚରଣ ପ୍ରଧାନ ସମ୍ବିଧାନ ଗଠନ ସଂଘର୍ଷ ଓ ସଙ୍କଟରୁ ସୃଷ୍ଟି ହୋଇଥିବା କହିବା ସହିତ ଇଂଲଣ୍ଡ, ଆମେରିକା ଓ ଫ୍ରାନ୍ସରେ ଅଧିକାର ପାଇଁ ହୋଇଥିବା ଆନ୍ଦୋଳନ ସମ୍ପର୍କେ ବକ୍ତବ୍ୟରେ ପ୍ରକାଶ କରିଥିଲେ l କେଶବାନନ୍ଦ ଭାରତୀ ମୋକଦ୍ଦମାର ରାୟ ସମ୍ବିଧାନର ମୌଳିକ ଆଧାର ଗୁଡିକର ସିଦ୍ଧାନ୍ତ କରିବାରେ ସହାୟକ ହୋଇଥିଲା ବୋଲି କହିଥିଲେ l ଆଇନଜୀବୀ ଜ୍ୟୋତିରାଜ ପତି ଓ ଅବସର ପ୍ରାପ୍ତ ଶିକ୍ଷକ ପିତାମ୍ବର ପରିଡା କହିଥିଲେ ଯେ ସାମ୍ପ୍ରତିକ ସମୟେ ଶିକ୍ଷିତ, ବୁଦ୍ଧିଜୀବୀ ଓ ନାଗରିକ ସମାଜ ଜନସାଧାରଣଙ୍କୁ ସମ୍ବିଧାନ ସମ୍ପର୍କେ ସଚେତନ କରାଇବା ସହ ସମ୍ବିଧାନର ସୁରକ୍ଷା ସକାଶେ ଆଗେଇ ଆସିବାପାଇଁ ଆହ୍ୱାନ ଦେଇଥିଲେ l ସଭାପତି କବି ପ୍ରଶାନ୍ତ ମହାନ୍ତି ସମ୍ବିଧାନର ମୁଖବନ୍ଧରେ ରହିଥିବା “ସମାଜବାଦ ଓ ଧର୍ମ ନୀରପେକ୍ଷତା” ପଦ ଦୁଇଟିକୁ ବାଦଦେବାପାଇଁ ହୋଇଥିବା ଯାଚିକାକୁ ରଦ୍ଦକରି – ଏହା ସମ୍ବିଧାନର ମୌଳିକ ଆଧାର ବୋଲି ସୁପ୍ରିମକୋର୍ଟ ସିଦ୍ଧାନ୍ତ ନସିଥିବାରୁ, ଏହାକୁ ସ୍ୱାଗତ କରିବା ସହିତ ସାଧୁବାଦ ଜ୍ଞାପନ କରିଥିଲେ l ସକୀର୍ଣ୍ଣ ଓ ସାମ୍ପ୍ରଦାୟିକ ମନୋଭାବ ନେଇ ଅନ୍ୟ ଧର୍ମ ପ୍ରତି ଘୃଣା ଓ ବିଦ୍ଵେଷ ଭାବ ପ୍ରକାଶ କରୁଥିବା ଲୋକମାନଙ୍କୁ ଏଥିରୁ କ୍ଷାନ୍ତ ହେବାପାଇଁ ସେ ପରାମର୍ଶ ଦେଇଥିଲେ l ପ୍ରତାପ ଚନ୍ଦ୍ର ସାହୁ, ପଣ୍ଡିତ ବିପ୍ର ଚରଣ ସାହୁ, ରଂଜିତ ଜେନା, ଏ.ଶଙ୍କର ନାରାୟଣ ପାତ୍ର, ବି.ରାମଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ସୁରେନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l

LEAVE A REPLY

Please enter your comment!
Please enter your name here