ପୋଲସରା, ୦୪/୧୨/୨୪ : ପାଠ ପଢ଼ିବା ସହ ସମସ୍ତ ଛାତ୍ରଛାତ୍ରୀ କିପରି ନିଜର ଶାରୀରିକ ଗଠନର ବିକାଶ ଆଣି ପାରିବେ ସେଥିପାଇଁ ତିନିଦିନ ବ୍ୟାପୀ ଚାଲିଥିବା କ୍ରୀଡା ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବୁଧବାର ଦିନ ପୋଲସରା ଦାଶରଥି ନଗର ସ୍ଥିତ ଦୀପକ ମେମୋରିଆଲ ପବ୍ଲିକ୍ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବରେ ପୁରସ୍କୃତ କରାଯାଇଛି । ଦୀପକ ମେମୋରିଆଲ୍ ଅଧ୍ୟକ୍ଷା ପ୍ରତିଭା ରଥଙ୍କ ତତ୍ତ୍ୱାବଧାନରେ ତିନି ଦିନ ଧରି ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଦୀପକ ମେମୋରିଆଲ୍ ପବ୍ଲିକ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଶହେ ମିଟର ଦୌଡ , ବାସ୍କେଟ୍ ବଲ୍ , ଦୌଡ଼ି ଡିଆଁ, ଲମ୍ବା ଡିଆଁ , ବାଟି ଚାମୁଚି ଓ ମ୍ୟୁଜିକ୍ ଚେୟାର ଭଳି ବିଭିନ୍ନ କ୍ରିଡା ପ୍ରତିଯୋଗିତାରେ ଭାଗ ନେଇଥିଲେ । ଡିସେମ୍ବର ୪ ତାରିଖରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଭବାନୀ ଶଙ୍କର ରଥ ଓ ବିଦ୍ୟାଳୟର ସଭାପତି ମମତା କୁମାରୀ ନାୟକ ଯୋଗଦେଇ କ୍ରୀଡ଼ାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପଢୌକନ, ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ ଶାରୀରିକ ଦକ୍ଷତା ସହ ଉତ୍ତମ ଭାବେ ପାଠ ପଢ଼ିବା ନିତାନ୍ତ ଆବଶ୍ୟକ ରହିଥିବା ଅତିଥିମାନେ ପରାମର୍ଶ ଦେଇଥିଲେ। ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ।