ବୁଗୁଡା, ୭/୧୨/୨୪ : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ପଦାର୍ଥ ବିଜ୍ଞାନ ବିଭାଗର ନବାଗତ ସ୍ନାତକ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ନାତକ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ବୃନ୍ଦ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଏନେଇ ଡିସେମ୍ବର ୭ ତାରିଖ ଦିନ କଲେଜ ପରିସରରେ ପ୍ରିନ୍ସପାଲ ପ୍ରଫେସର ହରିକୃଷ୍ଣ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଥିଲା। ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପିକା ଡକ୍ଟର ସନ୍ଧ୍ୟାରାଣୀ ସାହୁ, ଡେମୋନଷ୍ଟ୍ରେଟର ପ୍ରଦୀପ କୁମାର ପ୍ରଧାନ ଏବଂ ବାହକ ଭଜରାମ ପାଢ଼ୀ ଓ ସୂର୍ଯ୍ୟ କୁମାର ଡାକୁଆ ଉପସ୍ଥିତ ଥିଲେ। ଡେମୋନଷ୍ଟ୍ରେଟର ଶ୍ରୀ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ପ୍ରିୟଙ୍କା ମଲ୍ଲିକ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଏହାପରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଦ୍ଵିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ସ୍ୱାଗତ କରିବା ସହ ଭାବର ଆଦାନ ପ୍ରଦାନ ହୋଇଥିଲା। ପ୍ରିନ୍ସପାଲ ଶ୍ରୀ ନାୟକ, ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀ ସାହୁ ଓ ଅଧ୍ୟାପିକା ଡକ୍ଟର ସାହୁ ଛାତ୍ରଛାତ୍ରୀଙ୍କୁ କଲେଜର ନିୟମ ପାଳନ ସହ ଉତ୍ତମ ଭାବେ ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଚଳିତ ଶିକ୍ଷା ବର୍ଷରୁ ନୂତନ ଶିକ୍ଷାନୀତି ୨୦୦୦ ଲାଗୁ ହୋଇଥିବା ଯୋଗୁଁ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ବୃନ୍ଦ ଅଧିକ ସକ୍ରିୟ ହେବାକୁ ପରାମର୍ଶ ଦେଇଥିଲେ। ଶେଷରେ ଛାତ୍ରୀ ସ୍ୱାଗତିକା ସାହୁ ସଙ୍ଗୀତ ଗାନ କରିବା ସହ ଅଧ୍ୟାପିକା ସନ୍ଧ୍ୟାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।