ବ୍ରହ୍ମପୁର ୨୧/୧୨/୨୦୨୪:ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସ୍ନାତକୋତ୍ତର ଲୋକ ପ୍ରଶାସନ ଏବଂ ରାଜନୀତି ବିଜ୍ଞାନ ବିଭାଗର ମିଳିତ ସହଯୋଗରେ ଏକଦିବସୀୟ ଦକ୍ଷତା ବିକାଶ ଓ ଉଦ୍ୟୋଗ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ , ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟର ରାଜନୀତି ବିଜ୍ଞାନ ସହକାରୀ ପ୍ରାଧ୍ୟାପକ ଡ଼ା. କେଶବ ଚନ୍ଦ୍ର ରଥ, ସହକାରୀ ଜିଲ୍ଲାପାଳ ତଥା ଅତିରିକ୍ତ ତହସିଲଦାର ଶ୍ରୀ ଦୀପକ କୁମାର ଜେନା , ଫ୍ରୀଲାନ୍ସ ନିଯୁକ୍ତି ପ୍ରଶିକ୍ଷକ ଶ୍ରୀ କାଳୀପ୍ରସାଦ ରବି ଏବଂ କାନରା ବ୍ୟାଙ୍କ ବି.ଡି.ଏମ ଶ୍ରୀ ସୁଶାନ୍ତ କୁମାର ସାହୁ ଙ୍କୁ କ୍ୟାରିଅର ପରାମର୍ଶ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଥିଲା। ରାଜନୀତି ବିଜ୍ଞାନର ସଂଯୋଜକ ଡ଼ା. ଶାରଦା ପ୍ରସନ୍ନ ରାଉତଙ୍କ ସଭାପତିତ୍ବରେ ଆୟୋଜିତ ଏହି ସଭାରେ ଅଧ୍ୟାପକ ଡ଼ା.ରାଜେଶ ସେଠ୍, ପ୍ରଥମେ ସଂକ୍ଷେପରେ କର୍ମଶାଳାର ଉଦ୍ଦେଶ୍ୟ ସମ୍ପର୍କରେ ଅଭିଭାଷଣ ରଖିଥିଲେ।
ତତ୍ପରେ,ପ୍ରଥମ ବୈଷୟିକ ଅଧିବେଶନରେ ଡ଼ା. କେଶବ ଚନ୍ଦ୍ର ରଥ, ଆଜିର ସମୟରେ ରାଜନୀତି ବିଜ୍ଞାନର ବୃତ୍ତି ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଦ୍ଵିତୀୟ ବୈଷୟିକ ଅଧିବେଶନରେ ଶ୍ରୀ ଦୀପକ କୁମାର ଜେନା ପ୍ରଶାସନିକ ସେବା ପରୀକ୍ଷା ପ୍ରସ୍ତୁତି ଏଵଂ ପ୍ରଶାସନିକ କାର୍ଯ୍ୟରେ ଆହ୍ବାନ ଏଵଂ ସୁଯୋଗ ଉପରେ ଦୃଷ୍ଟିପାତ କରିଥିଲେ । ଅପରାହ୍ନ ପରବର୍ତ୍ତୀ ଦୁଇଟି ଅଧିବେଶନରେ ଶ୍ରୀ କାଳୀ ପ୍ରସାଦ ରବି ଏଵଂ ଶ୍ରୀ ସୁଶାନ୍ତ କୁମାର ସାହୁ ବ୍ୟକ୍ତିତ୍ଵ ବିକାଶ ତଥା ଏହାର କର୍ମସଂସ୍ଥାନରେ ଉପାଦେୟତା ଯଥାକ୍ରମେ, ଉଦ୍ୟୋଗ ସୁଯୋଗ, ସମୟ ପରିଚାଳନା ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ । ସମସ୍ତ ଅଧିବେଶନ, ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ଓ ସୁଚନାପୂର୍ଣ୍ଣ ଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଧିବେଶନରେ , ଲୋକ ପ୍ରଶାସନ ସଂଯୋଜକ ଶ୍ରୀ. ସଞ୍ଜୟ ମେହେର, ଡ଼ା. ସୌମେନ୍ଦ୍ର କୁମାର ମହାନ୍ତି, ଡ଼ା. ଭାଗ୍ୟଶ୍ରୀ ରଥ,ଶ୍ରୀ ଯଜ୍ଞାଦତ୍ତ ପଟ୍ଟନାୟକଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ।