ଟିପିଏସ୍ଓଡିଏଲ୍ ପକ୍ଷରୁ ୧୬ ଏମଭିଏ ଟ୍ରାନ୍ସଫର୍ମର ସ୍ଥାପନ ସହ ଭିତ୍ତିଭୂମିରେ ସୁଦୃଢୀକରଣ

0
4

ବ୍ରହ୍ମପୁର,୨୩/୧୨/୨୦୨୪: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ବ୍ରହ୍ମପୁରର ନିମଖଣ୍ଡି ସ୍ଥିତ ପ୍ରାଇମେରୀ ସବ ଷ୍ଟେସନରେ ପ୍ରଥମ ଥର ପାଇଁ ୧୬ ଏମଭିଏ ପାୱାର ଟ୍ରାନ୍ସଫର୍ମର ସ୍ଥାପନ କରିଛି। ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଯାହା ଫଳରେ ଏହି ଅଞ୍ଚଳର ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ଏବଂ ଭରସାଯୋଗ୍ୟ ବିଜୁଳି ସେବା ମିଳିପାରିବ। ଏହି ୧୬ ଏମଭିଏ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମରରେ ବର୍ତ୍ତମାନ ୧୨.୫ ଏମଭିଏ କାର୍ଯ୍ୟକ୍ଷମ ହୋଇଛି। ଏହା ଦ୍ବାରା ସ୍ଥାନୀୟ ଅଞ୍ଚଳର ବିଜୁଳି ଚାହିଦା ପୂରଣ ହୋଇପାରୁଛି ଏବଂ ଭବିଷ୍ୟତରେ ଏହାର କ୍ଷମତା ବୃଦ୍ଧି ମଧ୍ୟ କରାଯାଇପାରିବ। ନୂତନ ଟ୍ରାନ୍ସଫର୍ମର ସ୍ଥାପନ ହେବା ପୂର୍ବରୁ ଏହି ଅଞ୍ଚଳର ଉପଭୋକ୍ତାମାନେ ଏକ ୮ ଏମଭିଏ ପିଟିଆର ଉପରେ ନିର୍ଭର କରୁଥିଲେ। ଯାହା ଫଳରେ ବର୍ଦ୍ଧିଷ୍ଣୁ ବିଜୁଳି ଚାହିଦା ପୂରଣ କରିବାରେ ସମସ୍ୟା ହେଉଥିଲା।

ନୂତନ ପାୱାର ଟ୍ରାନ୍ସଫର୍ମର ସ୍ଥାପନ ହେବା ପରେ ଦୀର୍ଘ ଦିନ ଧରି ଲୋକେ ସାମ୍ନା କରୁଥିବା ଓଭର ଲୋଡ୍ ସମସ୍ୟା ଦୂର ହୋଇଛି। ଏହାସହ ଜଗଦଲପୁର, ଶ୍ରୀକ୍ଷେତ୍ର ବିହାର, ଲୋଚାପଡା ବଜାର, ଗୋବିନ୍ଦ ବିହାର, ଶକ୍ତି ନଗର, ରୁବୀ ଚକ୍ଷୁ ଡାକ୍ତରଖାନା ଏବଂ ଆଖ ପାଖ ଅଞ୍ଚଳରେ ରହୁଥିବା ୭ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଣ ହୋଇପାରିବ। ଏହି ସବୁ ସ୍ଥାନ ହେଉଛି ବ୍ରହ୍ମପୁର ସହର ଏବଂ ଆଖ ପାଖରେ ଥିବା ସବୁଠାରୁ ଜନ ଗହଳିପୂର୍ଣ୍ଣ ଏବଂ ବ୍ୟାବସାୟିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “କ୍ରମ ବର୍ଦ୍ଧିଷ୍ଣୁ ବିଜୁଳି ଚାହିଦା ପୂରଣ କରିବା ଉପରେ ଆମର ପ୍ରାଥମିକତା ରହି ଆସିଛି। ଭିତ୍ତିଭୂମି ଉନ୍ନତ କରିବା ସହ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ସମୟ ଅନୁଯାୟୀ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଅଛୁ। ଏହି ନୂତନ ପାୱାର ଟ୍ରାନ୍ସଫର୍ମର ସ୍ଥାପନା ଲୋକଙ୍କ ଚାହିଦା ମେଣ୍ଟାଇବା ଦିଗରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି।”

ଏହି ଟ୍ରାନ୍ସଫର୍ମରର ଏକ ମୁଖ୍ୟ ବୈଶିଷ୍ଟ୍ୟ ହେଉଛି ଏଥିରେ ଥିବା ଅତ୍ୟାଧୁନିକ “ନାଇଟ୍ରୋଜେନ ଇଞ୍ଜେକ୍ଟେଡ୍ ଫାୟାର ପ୍ରୋଟେକ୍ସନ୍ ସିଷ୍ଟମ” (ଏନଆଇଏଫପିଏସ) ପ୍ରଯୁକ୍ତି ବିଦ୍ୟା। କୌଣସି ତ୍ରୁଟି ଯୋଗୁଁ ବିସ୍ପୋରଣ ଘଟି ନିଆଁ ଲାଗିବା ଭଳି ଦୁର୍ଘଟଣାକୁ ରୋକିବା ପାଇଁ ଏହି ସ୍ଵତନ୍ତ୍ର ବ୍ୟବସ୍ଥା ଡିଜାଇନ୍ କରାଯାଇଛି। ଅତ୍ୟଧିକ ଉତ୍ତାପ ନିୟନ୍ତ୍ରଣ କରିବା ପାଇଁ ଏନଆଇଏଫପିଏସ ସିଷ୍ଟମ ସ୍ଵତଃ ଭାବେ ନାଇଟ୍ରୋଜେନ ନିର୍ଗତ କରେ, ତଥା ଭିତ୍ତିଭୂମି ସୁରକ୍ଷା ଓ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରେ।

ଏହି ଅତ୍ୟାଧୁନିକ ପଦକ୍ଷେପ ବ୍ରହ୍ମପୁର ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାକୁ ଆହୁରି ଅଧିକ ସୁଦୃଢ କରିଛି। ଯାହା ଫଳରେ ଏକ ଅଭିନବ ଓ ଗ୍ରାହକ କୈନ୍ଦ୍ରିକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଟିପିଏସଓଡିଏଲ ଅଗ୍ରଣୀ ସଂସ୍ଥା ଭାବେ ପରିଣତ ହୋଇପାରିଛି।

LEAVE A REPLY

Please enter your comment!
Please enter your name here