ପୋଲସରା ୩୧/୧୨/୨୪ ପୋଲସରା ବ୍ଲକରେ ଗତ ଅଦିନିଆ ଲଗାଣ ବର୍ଷାରେ ଧାନ ଓ ଅନ୍ୟାନ୍ୟ ଫସଲ ନଷ୍ଟ ହୋଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଏହି ଲଗାଣ ବର୍ଷାରେ ବର୍ଷକର ଅମଳକ୍ଷମ ଧାନ, ପନିପରିବା ଓ ରବି ଫସଲ ପାଇଁ ବୁଣା ଯାଇଥିବା ମୁଗ, ବିରି, କୋଳଥ ଓ ଭୁଇଁ ଚଣା ଆଦି ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ଅମାଲକରି ଖଳାରେ ରଖାଯାଇଥିବା ଧାନ ଗଦାରେ ମଧ୍ଯ ପାଣି ପଶି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ବିଷୟ ନେଇ ପୋଲସରା ବ୍ଲକ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ସମ୍ପାଦକ ଶଙ୍କର ଡାକୁଆଙ୍କ ନେତୃତ୍ୱରେ ଅଞ୍ଚଳର ଚାଷୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପୋଲସରା ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଗୋଷ୍ଠୀ କୃଷି ଅଧିକାରୀ ଙ୍କ ଜରୀଆରେ ଦାବିପତ୍ର ପ୍ରଦାନ କରିଥିଲେ। ଦାବି ଗୁଡ଼ିକ ମଧ୍ଯରେ ବିନା କଟନି ଛଟନି ରେ ସମସ୍ତ ଚାଷୀଙ୍କ ଧାନ ଏଫକ୍ଯୁ ମାନ କୋହଳ କରି କିଣିବା, ରିଲିଫ ବୋର୍ଡ ସଂଶୋଧନ କରି ହେକ୍ଟର ପିଛା ୨୦,୦୦୦ ଟଙ୍କା ପ୍ରଦାନ କରିବା, ସମସ୍ତ କୃଷି ଋଣ ଛାଡ଼ କରିବା, ପ୍ରଧାନମନ୍ତ୍ରୀ ଫସଲ ବୀମା କରିଥିବା ସମସ୍ତ ଚାଷୀଙ୍କୁ ସେମାନଙ୍କ ହକ ବୀମାରାଶି ପ୍ରଦାନ କରିବା, ରବି ଫସଲ ପାଇଁ ବୁଣିଥିବା ବିହନ ନଷ୍ଟ ହୋଇଥିବା ବେଳେ ବିହନ ଯୋଗାଇଦେବା ସହିତ ଚାଷୀଙ୍କ ଜଳକର ଛାଡ଼ କରିବା ଆଦୀ ଦାବି ରହିଅଛି। ତିନି ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ସମୟରେ ସଭାପତି ଦ୍ବିତୀକୃଷ୍ଣ ପ୍ରଧାନ, ବିଜେପି ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ଉପଦେଷ୍ଟା ହିନ ସ୍ବାଇଁ, ସହ ସମ୍ପାଦିକ ଜ୍ୟୋତିର୍ମୟୀ ଦାସ, କୋଷାଧ୍ୟକ୍ଷ ପ୍ରଦିପ କୁମାର ଦାସ, ନାରାୟଣ ସାହୁ, ରମେଶ ଚନ୍ଦ୍ର ସାହୁ, ତପନ ସାହାଣୀ ପ୍ରମୁଖଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ।